ପହିଲାରୁ ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ
ପ୍ରତି ଶନିବାର ଅଫିସ ବନ୍ଦ ରହିବ

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ୧ ତାରିଖରୁ ଭୁବନେଶ୍ବର ଓ କଟକ ସହରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତ ପ୍ରତିଶତ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟରେ ଯୋଗଦେବେ। କରୋନା ମହାମାରୀ ପାଇଁ ଏସବୁ ଅଫିସ ଆଜି ପର୍ଯ୍ୟନ୍ତ ଅଧା କର୍ମଚାରୀ ଓ ଅଧିକାରୀରେ ଚାଲୁଥିଲା। ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ଏହି କଟକଣା କୋହଳ କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହିତ ପ୍ରତି ଶନିବାର ସରକାରୀ ଅଫିସ ବନ୍ଦ ରହିବ। କୋଭିଡ ନିୟମ ସମ୍ପୂର୍ଣ୍ଣ ଅନୁପାଳନ ପୂର୍ବକ କର୍ମଚାରୀମାନେ ଅଫିସରେ କାର୍ଯ୍ୟ କରିବେ। ଯଦି ଶତ ପ୍ରତିଶତ କର୍ମଚାରୀଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କରିବାରେ କୌଣସି ଅଫିସରେ ସ୍ଥାନାଭାବ ଦେଖାଦିଏ, ତାହେଲେ ସେ କ୍ଷେତ୍ରରେ ବିଭାଗୀୟ ମୁଖ୍ୟ ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେଇପାରିବେ। ଖାଲିସେତିକି ନୁହେଁ, ଯଦି ଜଣେ କିମ୍ବା ଏକାଧିକ କର୍ମଚାରୀ କୋଭିଡ୍‌ ଆକ୍ରାନ୍ତ ହୋଇଥିବା ନଜରକୁ ଆସେ, ତାହେଲେ ସରକାରୀ ସ୍ତରରେ ଜାରି କରାଯାଇଥିବା ମହାମାରୀ ନିୟମ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ସମସ୍ତ ତଳସ୍ତର କର୍ମଚାରୀଙ୍କୁ ଜଣାଇଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

The post ପହିଲାରୁ ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ first appeared on Sambad.



from ରାଜ୍ୟ – Sambad https://ift.tt/3t9oTvV

Post a Comment

0 Comments