
ରାଉରକେଲା: ବେଆଇନ ଇଟାଭାଟି ସହ ଚୋରା ବାଲି ଚାଲାଣ ସୁନ୍ଦରଗଡ ଜିଲ୍ଲାର ନିତି ଦିନିଆ ଘଟଣା ହୋଇଛି। ଉଭୟ ଦଲାଲ ଓ ବିଭାଗୀୟ ଅଧିକାରୀଙ୍କ ଭିତିରି ସଲାସୁତୁରାରେ ଚାଲିଛି ସବୁକିଛି । ଫଳରେ ସାଧାରଣ ଲୋକଙ୍କ ପ୍ରତିବାଦର ସ୍ବର ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନି। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୪୦ରୁ ଅଧିକ ବାଲିଘାଟରେ ଚାଲିଛି ଏଭଳି ବେଆଇନ କାରବାର। ସମ୍ପୂର୍ଣ୍ଣ ବ୍ୟାନ୍ ଥିବା ମାଟି ଇଟା ଭାଟି ବେଧଡକ ଚାଲିଛି। ଯେତିକି ରାଜସ୍ବ ସରକାରୀ ପାଣ୍ଠିରୁ ଯାଉଛି, ତା’ଠାରୁ ଢ଼େର ଅଧିକ ଦଲାଲ, ବିଭାଗୀୟ ଅଧିକାରୀଙ୍କ ପକେଟକୁ ଯାଉଛି। ଏଥିପାଇଁ ବର୍ଷ ବର୍ଷ ଧରି ଚାଲିଥିବା ବେଆଇନ ଇଟାଭାଟି, ବାଲି ଚାଲାଣକୁ ରୋକଯାଇ ପାରୁନି।

ବୀରମିତ୍ରପୁର ତହସିଲ ଅନ୍ତର୍ଗତ କନ୍ଦରକେଲା ଗ୍ରାମ ନିକଟରେ ଦୀର୍ଘ ୧୫ ବର୍ଷ ଧରି ବେଆଇନ ମାଟି ଇଟା ତିଆରି ହେଉଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମାଟି ଇଟା ତିଆରି ବନ୍ଦ କରିବାକୁ ଥରେ କି ଦୁଇଥର ନୁହେଁ ଅନେକ ଥର ଇଟାଭାଟି ମାଲିକଙ୍କୁ କହିଛନ୍ତି। ମାଲିକମାନେ ଇଟା ତିଆରି ବନ୍ଦ କରିବା ତ ଦୂରର କଥା ଓଲଟା ରାଜସ୍ବ ନିରୀକ୍ଷକମାନଙ୍କୁ ଧମକ ଚମକ ଦେଉଛନ୍ତି। କେବଳ କନ୍ଦରକେଲା ନୁହେଁ ବିଶ୍ରାର ଗୁଡଗୁଡଜୋର, ପୁରୁଣାବିଶ୍ରା, ଝିରପାଣି କୋଏଲ ବ୍ରିଜ ନିକଟରେ ସେହି ସମାନ ସ୍ଥିତି। ମାଟି ଇଟା ଭାଟି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଯେତେ ତାଗିଦ୍ କରୁଥିଲେ ହେଁ ମାଲିକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁ ନାହିଁ। ଏଥିସହ ଜିଲ୍ଲା ପ୍ରଶାସନ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ନୀତି ନିୟମକୁ ଫୁଃ କରି ଦେଇଛନ୍ତି। ଇଟାଭାଟି ଯୋଗୁଁ କେବଳ ମୂର୍ତ୍ତିକା ସଂରକ୍ଷଣ ହେଉନି ବରଂ ସ୍ଥାନୀୟ ଅଞ୍ଚଳର ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ନିକଟରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ବେଆଇନ ଭାବେ ଚାଲିଥିବା ଇଟାଭାଟିଗୁଡ଼ିକର ତାଲିକା କରାଯାଇଥିଲା। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା। ବିଡମ୍ବନା, ଅଦ୍ୟାବଧି ହାତଗଣତି କେତୋଟି ଇଟାଭାଟିକୁ ବାଦ୍ ଦେଲେ ଅନ୍ୟ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

ଅନୁରୂପ ଭାବେ ଝିରପାଣି କୋଏଲ ନଦୀ ନିକଟରେ ବିନା ଟେଣ୍ଡରରେ ପ୍ରତିଦିନ ହଜାର ହଜାର ବାଲି ଉଠୁଛି। ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଉଭୟ ବିଶ୍ରା ଓ ବୀରମିତ୍ରପୁର ତହସିଲର ବିଭାଗୀୟ ଅଧିକାରୀ ଜରିମାନା ଆଦାୟ କରୁଛି ବୋଲି କହୁଛନ୍ତି। ବାଲିଘାଟ ଆମ ସୀମାରେ ଆସୁ ନାହିଁ ବୋଲି କହି ନିଜର କାମ ସାରି ଦେଉଛନ୍ତି। ଉଭୟ ତହସିଲ ନୁହେଁ ସ୍ଥାନୀୟ ପୁଲିସ ମଧ୍ୟ ଏମାନଙ୍କୁ ରୋକିବା ପରିବର୍ତ୍ତେ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ୫ଟି ତହସିଲ ଅଧୀନରେ ମୋଟ ୪୪ଟି ବାଲିଘାଟ ରହିଛି। ରାଉରକେଲାରେ ୭ଟି, ବିଶ୍ରାରେ ୭ଟି, କୁଆରମୁଣ୍ଡାରେ ୧୩ଟି, ଲାଠିକଟାରେ ୮ଟି, ବୀରମିତ୍ରପୁରରେ ୯ଟି ବାଲି ଘାଟ ରହିଛି। ରାଉରକେଲା ତହସିଲ ଅଧୀନରେ ବ୍ରାହ୍ମଣୀ ନଦୀର ତରକେରା-୧, ତରକେରା -୨, ତରକେରା-୩, କୋଏଲନଦୀର ତୁମକେଲା, ପ୍ରଧାନପାଲୀ, ଲୁଆକେରା, କୋଏଲନଗର। ତୁମକେଲା, ପ୍ରଧାନପାଲୀ ବାଲିଘାଟର ନିଲାମ ହୋଇଛି। ଦୁଇଟି ଘାଟକୁ ଇସି ଏଯାଏ ମିଳି ନାହିଁ। କିନ୍ତୁ ବେଧଡକ ହେଉଛି ବାଲି ଉଠାଣ। ଏମାନଙ୍କୁ ନା ତହସିଲ ବାରଣ କରୁଛି ନାଁ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ସମସ୍ତେ ଜାଣିଶୁଣି ଚୁପ୍ ରହୁଛନ୍ତି। ବିଶ୍ରା ତହସିଲ ଅଧୀନରେ ଜାମେସରା-୧, ଜାମସେରା-୨, ଡୁଡୁସୁ, କୁଣ୍ଡାପୋଷ, ଜବାଘାଟ, ବଡବମ୍ବୁଆ, ମଶୁରିକୁଦର ବାଲି ଘାଟ ଅଛି। ଏଥିରୁ କେବଳ ଜାମସେରା ବାଲିଘାଟ ଚାଲିଛି। ଦୁଇଟି ନିଲାମ ହୋଇଛି। କିନ୍ତୁ ଠିକାସଂସ୍ଥା ସହ ଏଗ୍ରିମେଣ୍ଟ ହୋଇ ନାହିଁ। ଜବାଘାଟ, ମଶୁରୀକୁଦର, ବଡବମ୍ବୁଆ ଘାଟର ନିଲାମ ପାଇଁ ପ୍ରକ୍ରିୟା ଚାଲିଛି। ବିଡମ୍ବନା, ଯେଉଁ ୬ ଘାଟକୁ ବାଲି ଉତ୍ତୋଳନ କରିବାକୁ ଏଯାଏଁ ଅନୁମତି ମିଳିନି ସେଠି ଖୋଲାଖୋଲି ଭାବେ ଦୈନିକ ଶହ ଶହ ଟ୍ରିପ୍ ବାଲି ଉତ୍ତୋଳନ କରି ବାହାରକୁ ଚାଲାଣ କରାଯାଉଛି।
କୁଆରମୁଣ୍ଡା ତହସିଲରେ ମଧ୍ୟ ଅନୁରୂପ ସ୍ଥିତି। ୧୩ଟି ବାଲିଘାଟରୁ ବିଜୁବନ୍ଧ, ପସରା, ଜମୁନାକି -୧, କୁଦାବେଡାକୁ ଅନୁମତି ମିଳିଛି। ଅନ୍ୟ ୯ ବାଲିଘାଟ ଏଯାଏଁ ନିଲାମ ହୋଇ ନାହିଁ। କିନ୍ତୁ ମାଫିଆମାନେ ମନଇଚ୍ଛା ବାଲି ଉଠାଉଛନ୍ତି। ବୀରମିତ୍ରପୁର ତହସିଲ ଅଧୀନରେ ୯ଟି ବାଲିଘାଟରୁ ତେତରକେଲା, ଗୋପୁର, ଲାଙ୍କୋଇ, ଜାହାରିଟୋଲି ନିଲାମ ହୋଇ ଠିକାସଂସ୍ଥାକୁ ୫ ବର୍ଷ ପାଇଁ ଲିଜ୍ ସୂତ୍ରରେ ଦିଆଯାଇଛି। ଅନ୍ୟ ୫ଟି ଅବଧି ଶେଷ ହୋଇଛି। ନବୀକରଣ ହୋଇ ନାହିଁ। ଯେବେଠୁ ଲିଜ୍ ଅବଧି ଶେଷ ହୋଇଛି, ସେବେଠୁ ବେଆଇନ ଭାବେ ବାଲି ଉତ୍ତୋଳନ ଚାଲିଛି। ଜିଲ୍ଲାର ଅନ୍ୟ ବ୍ଲକରେ ଥିବା କିଛି ବାଲିଘାଟ ବିନା ଲିଜ୍, ଇସିରେ ଚାଲିଛି। ମାଲେମାଲ୍ ହେଉଛନ୍ତି ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ ମାଫିଆ। ତେଣୁ ସମସ୍ତେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି।
The post ରାଉରକେଲା: ରୋକିପାରୁନି ଜିଲ୍ଲା ପ୍ରଶାସନ; ବେଧଡକ ଭାବେ ଚାଲିଛି ମାଟି ଇଟା ଭାଟି, ବାଲି ଚୋରା ଚାଲାଣ first appeared on Sambad.
from ରାଜ୍ୟ – Sambad https://ift.tt/3qNgrRf
0 Comments