ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁସାଗରର ସଫେଇ ପାଇଁ ଶନିବାର ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବିନ୍ଦୁସାଗର କୂଳରେ ଉପସ୍ଥିତ ରହିଛନ୍ତି। ଏହାଛଡ଼ା ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଅଶୋକ ପଣ୍ଡା ପ୍ରମୁଖ ବି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଇଓସିଏଲ୍ ଦ୍ବାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ଭୁବନେଶ୍ୱର ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି ସଫେଇ କାର୍ଯ୍ୟ ଦାୟିତ୍ବ ନେଇଛନ୍ତି। ପ୍ରଥମେ ବିନ୍ଦୁସାଗର ପାଣି ବିଶୋଧନ କରାଯିବ ଓ ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ।ବୈଜ୍ଞାନିକ ପଦ୍ଧତିରେ ଏହାକୁ ବିଶୋଧନ କରାଯିବ। ପ୍ରାଚୀନ ଏହି ପୋଖରୀର ପୁନରୁଦ୍ଧାର କରାଯାଇ ପୂର୍ବାବସ୍ଥା ଫେରାଇ ଅଣାଯିବ।

ଉଲ୍ଲେଖଯୋଗ୍ୟ, ୧୩ ଶହ ଫୁଟ୍ ଲମ୍ୱ ଓ ୭ ଶହ ଫୁଟ୍ ଚଉଡ଼ା ବିଶିଷ୍ଟଏହି ପବିତ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୨୦୦୭ ମସିହାରେ ବିଏମ୍ସି ପକ୍ଷରୁ ଏକ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର କିଛି ସୁଫଳ ମିଳିନଥିଲା। ମାତ୍ର କିଛି ଦିନ ପରେ ପୁଣି ଏହି ପୋଖରୀରେ ଦଳ ଭର୍ତ୍ତି ହୋଇଗଲା। ଏହା ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୩ ମସିହାରେ ଦଳ ସଫେଇ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିପାଇଁ ୧ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ପ୍ରଥମେ ଡ୍ରେନେଜ୍ ଡିଭିଜନକୁ ଏହି ଦାୟିତ୍ୱ ଦିଆଯାଇଥଇଲା। ପରେ ଡ୍ରେନେଜ୍ ଡିଭିଜନ୍ଠାରୁ ଦାୟିତ୍ବ କାଢ଼ି ନିଆଯାଇ ଓଡିଶା ନିର୍ମାଣ ନିଗମ(ଓସିସି)କୁ ଦିଆଯାଇଥିଲା। ୨୦୧୪ରେ ଓସିସି ସଫେଇ କାମ ସାରିଥିଲା। ସେତେବେଳେ ଏକ ବଡ଼ ମେସିନ୍ ଦ୍ବାରା ଦଳକୁ ଭିଡ଼ି ବାହାରକୁ ବାହାର କରାଯାଉଥିଲା। ତେବେ ପରେ ପୁଣି ଯେଉଁ କଥାକୁ ସେଇ କଥା ହେଲା। ରକ୍ଷଣାବେକ୍ଷଣ ଅଭାବରୁ ପୁଣି ପୋଖରୀର ଚାରିଆଡ଼େ ଦଳ ଭର୍ତ୍ତି ହୋଇଯାଇଥିଲା। ସେହିପରି ଇନ୍ଟାକ୍ ଦ୍ବାରା ବିନ୍ଦୁସାଗର କଡ଼ରେ ପାଚେରି ନିର୍ମାଣ କାମ ଚାଲିଥିବାବେଳେ କିଛି ଦିନ ଦଳ ସଫା କାମ କରିଥିଲେ। ମାତ୍ର କିଛି କାମ ଦେଲାନାହିଁ। ୨୦୧୫ ମସିହାରେ ପୋଖରୀ ପୁଣି ପୂର୍ବ ଅପରିଷ୍କାର ଅବସ୍ଥାକୁ ଫେରିଥିଲା। ସେତେବେଳେ ବାହାର କରାଯାଇଥିବା ଦଳର ଓଜନ ହିସାବରେ ଠିକାଦାରଙ୍କୁ ବିଏମ୍ସି ଟଙ୍କା ଗଣିଥିଲା। ସେତେବେଳେ ଓଦା ସରସର ଦଳର ଅଧିକ ଓଜନ ଦ୍ବାରା ଠିକାଦାର ବିଏମ୍ସି ପାଖରୁ ଭଲ ମୁନାଫା ହାସଲ କରିଥିଲେ। ଏହା ପରେ ୨୦୧୭ ମସିହାରେ ବିଏମ୍ସି ପକ୍ଷରୁ ସଫେଇ ପାଇଁ ୧୦ ଜଣ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଞ୍ଚଳରେ ରାସ୍ତାଘାଟ ସଫା କରିବା ପାଇଁ ଠିକା ନେଇଥିବା ଠିକାଦାର ଦଳଗୁଡ଼ିକୁ ମଝିରେ ମଝିରେ ବାହାର କରି ଆବର୍ଜନା ସହ ବିକ୍ରି କରିଥିଲେ। ଏବେ ବି ବିଏମ୍ସି ଠିକାଦାର ଦଳ ବାହାର କରି ବିକ୍ରି କରୁଛନ୍ତି। ମାତ୍ର ଏହା ଦ୍ବାରା ପୋଖରୀରୁ କିଛି ଦଳ ବାହାରି ଯାଉଛି ସିନା ପୁନରୁଦ୍ଧାର ହୋଇପାରିନି। ତେଣୁ ସରକାରୀ ତହବିଲରୁ ପୁଳା ପୁଳା ଟଙ୍କା ଗଣା ହେଉଥିଲେ ବି ପୋଖରୀକୁ ଦଳମୁକ୍ତ କରିବା ସମ୍ଭବ ହୋଇନାହିଁ। ତେବେ ଏଥର ନୂତନ ଜ୍ଞାନକୌଶଳ ବିନ୍ଦୁସାଗରକୁ କି ରୂପ ଦେଉଛି, ଏହାକୁ ରାଜଧାନୀବାସୀ ଓ ପର୍ଯ୍ୟଟକମାନେ ଦେଖିବାକୁ ଅପେକ୍ଷା କରିଛନ୍ତି ବୋଲି ଆଲୋଚନା ହେଉଛି।
The post ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ first appeared on Sambad.
from ରାଜ୍ୟ – Sambad https://ift.tt/39gNF41
0 Comments