ବନୀକରଣ ତଥ୍ୟ ପୋର୍ଟାଲ୍‌ରେ ରହିବ

ଜଙ୍ଗଲ ପରିଚାଳନାରେ ଓଡ଼ିଶା ଆଗରେ
୯୦୩ କୋଟି ଟଙ୍କା‌ର ବାର୍ଷିକ ଆକ୍ସନ ପ୍ଲାନ୍‌କୁ ମଞ୍ଜୁରି

ଭୁବନେଶ୍ବର : ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବନୀକରଣ ଓ ଜଙ୍ଗଲ ପରିଚାଳନାରେ ଓଡ଼ିଶା ଏକ ଆଗୁଆ ରାଜ୍ୟର ମାନ୍ୟତା ପାଇଛି। ଭାରତୀୟ ରାଜ୍ୟ ଜଙ୍ଗଲ ରିପୋର୍ଟ -୨୦୧୯ରେ ଏହି ତଥ୍ୟ ଦିଆଯାଇଛି। ୬୦,୯୯୧ କିମି ଜଙ୍ଗଲ ଜମିରେ ହୋଇଥିବା ଡିଜିପିଏସ୍‌ ସର୍ଭେ ଜଙ୍ଗଲ ଅଞ୍ଚଳ, ବନ୍ୟ ପ୍ରାଣୀ ଓ ଅନ୍ୟାନ୍ୟ ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାମ୍ପା ବୈଠକରେ ଏହି ସୂଚନା ଦିଆଯାଇଛି।

୨୦୨୧-୨୨ରେ ବୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ନଣ୍ଡା ପାହାଡ଼ରେ ସବୁଜିମା ଭରିବା ଉପରେ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ। ସବୁ ଜଙ୍ଗଲ ସମ୍ପଦର ଡିଜିଟାଲ୍‌ ତଥ୍ୟ ପ୍ରସ୍ତୁତ କରିବା ସହ ଏହାକୁ ନିୟମିତ ଭାବେ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କ୍ଷତିପୂରଣ ବନୀକରଣ ପାଇଁ ଲ୍ୟାଣ୍ଡ୍‌ ବ୍ୟାଙ୍କ ସୃଷ୍ଟି କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ ଶ୍ରୀ ମହାପାତ୍ର କହିଥିଲେ। ଦୁର୍ଗମ ଗ୍ରାମଗୁଡ଼ିକରେ ସ୍ବାସ୍ଥ୍ୟ ଓ ଜରୁରିକାଳୀନ ସେବାର ଉପଲବ୍ଧ ପାଇଁ ଜଙ୍ଗଲ ରାସ୍ତାଗୁଡ଼ିକୁ ଗାଡ଼ି ଚଳାଚଳ ଉପଯୋଗୀ କରିବାକୁ କୁହାଯାଇଥିଲା।

DNA India

ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ସବୁ ବନୀକରଣ ପ୍ରକଳ୍ପର ପୂର୍ବ ଓ ପରବର୍ତ୍ତୀ ସବୁଜିମା ଘନତ୍ବର ତୃତୀୟ ପକ୍ଷ ଦ୍ବାରା ମୂଲ୍ୟାୟନ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଥି‌େଲ, ଆଇଏସ୍‌ଏଫ୍‌ଆର୍‌-୨୦୧୯ ଅନୁଯାୟୀ ୨୦୧୭ରୁ ୨୦୧୯ ମଧ୍ୟରେ ୨୭୪ ବର୍ଗ କିଲୋମିଟର ବୃଦ୍ଧି ପ‌ାଇଛି। ଜଙ୍ଗଲ ପରିଚାଳନାର ବିଭିନ୍ନ ମାପଦଣ୍ଡରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଁ ଜାତୀୟ ସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି। କାମ୍ପା ସିଇଓ ଉମା ନନ୍ଦୁରୀ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୫୬,୯୫୮.୭୩ ହେକ୍ଟର ଜଙ୍ଗଲ ଅଞ୍ଚଳ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଦିଆଯାଇଛି। ତାହା ବଦଳରେ ୬୭,୮୨୮ ହେକ୍ଟର ଜମିରେ ବନୀକରଣ କରାଯାଇଛି।

ବୈଠକରେ ୨୦୨୧-୨୨ ପାଇଁ ୯୦୩.୩୯ କୋଟି ଟଙ୍କାର ବାର୍ଷିକ ଆକ୍ସନ୍ ପ୍ଲାନ୍ ମଞ୍ଜୁର ଲାଭ କରିଥିଲା। ୪୦,୪୯୪ ହେକ୍ଟର ଜମିରେ ବୃକ୍ଷରୋପଣ ଏବଂ ୭୫ ହଜାର ହେକ୍ଟର ଜମିରେ ବାଉଁଶ ଗଛ ଲଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପୂର୍ବରୁ ୧,୫୪,୮୬୫ ହେକ୍ଟର ଜମିରେ ହୋଇଥିବା ରାସ୍ତା ପାର୍ଶ୍ବ ବନୀକରଣର ରକ୍ଷଣାବେକ୍ଷଣ କରାଯିବାକୁ ସ୍ଥିର ହୋଇଥିଲା। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

The post ବନୀକରଣ ତଥ୍ୟ ପୋର୍ଟାଲ୍‌ରେ ରହିବ first appeared on Sambad.



from ରାଜ୍ୟ – Sambad https://ift.tt/3ssR4FM

Post a Comment

0 Comments