
୪ମାସରେ ସରିବ ନିର୍ମାଣ କାର୍ଯ୍ୟ
ପୁରୀ ଟୋକିଓକୁ ବି ପଛରେ ପକାଇପାରିବ: ରାଜ୍ୟପାଳ
ପୁରୀ : ‘ଫନି’ ବାତ୍ୟାରେ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ପୁରୀ ରାଜଭବନର ସଂରକ୍ଷଣ ଓ ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ୨ କୋଟି ୯୦ ଲକ୍ଷ ଟଙ୍କା ବିନିଯୋଗ ହେବ। ୪ ମାସ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବ। ଆଜି ଅପରାହ୍ଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁରୀ ଗସ୍ତରେ ଆସି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ସର୍କିଟ ହାଉସରେ ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ‘ଗାର୍ଡ ଅଫ୍ ଅନର୍’ ଦିଆଯାଇଥିଲା। ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ ମେହେର୍ଦ୍ଦା, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ମୁଖ୍ୟଯନ୍ତ୍ରୀ ବିଜୟ କୁମାର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ସହାୟକ ନିର୍ବାହୀଯନ୍ତ୍ରୀ ଘନଶ୍ୟାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସଂରକ୍ଷଣ କାର୍ଯ୍ୟ ଶୁଭାରମ୍ଭ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟପାଳ କହିଥିଲେ, ପୁରୀରେ ଫନି ଲ୍ୟାଣ୍ଡ୍ ଫଲ୍ କରିଥିବାରୁ ସହରରେ ବ୍ୟାପକ କ୍ଷତି ହୋଇଥିବା ବେଳେ ରାଜଭବନ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଝରକା, କବାଟ ଭାଙ୍ଗି ଯାଇଥିଲା। ପାଣି ଘରେ ପଶି ଯାଇଥିବାରୁ ବସିବା ପାଇଁ ସ୍ଥାନ ନଥିଲା। ମାତ୍ର ସରକାର ରାଜଭବନ ସଂରକ୍ଷଣ ପାଇଁ ଉପକ୍ରମ ଆରମ୍ଭ କରିଦେଇଥିବାରୁ ଏହା ଅନ୍ତତଃ ରଥଯାତ୍ରା ପୂର୍ବରୁ ସରିଯିବା ନେଇ ସେ ଆଶାବାଦୀ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ‘ ପୁରୀକୁ ଅନ୍ତର୍ଜାତୀୟସ୍ତରର ଡିଜାଇନ୍ କରାଯିବା ଦରକାର। ମୁଖ୍ୟମନ୍ତ୍ରୀ ମଧ୍ୟ ପୁରୀ ପାଇଁ ବିଶେଷ ଚିନ୍ତା କରୁଛନ୍ତି। ପୁରୀରେ ଏୟାରପୋର୍ଟ କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମୋ ମତରେ ଭୁବନେଶ୍ବର ଏୟାରପୋର୍ଟ ଅପେକ୍ଷା ପୁରୀରେ ଏୟାରପୋର୍ଟ ହେଲେ, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଅଧିକ ପର୍ଯ୍ୟଟକ ଓ ଯାତ୍ରୀ ପୁରୀରେ ଓହ୍ଲାଇବାକୁ ପ୍ରାଥମିକତା ଦେବେ। ମୋର ବିଶ୍ବାସ ପୁରୀକୁ ଅନ୍ତର୍ଜାତୀୟ ସହରରେ ପରିଣତ କରାଯିବ। ଏହା ଟୋକିଓକୁ ବି ପଛରେ ପକାଇ ଦେଇପାରିବ,’ ବୋଲି ରାଜ୍ୟପାଳ କହିଛନ୍ତି।
The post ପୁରୀ ରାଜଭବନର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ first appeared on Sambad.
from ରାଜ୍ୟ – Sambad https://ift.tt/38QEQPp
0 Comments