ମାନସୀଙ୍କ ୨୨ ବର୍ଷର ସଂଘର୍ଷ କାହାଣୀ : ୫ଶହ ଟଙ୍କା ପୁଞ୍ଜିରୁ ଏବେ ୫୦ ମହିଳାଙ୍କ ନିଯୁକ୍ତିଦାତ୍ରୀ

କଟକ, (ସୀମନ୍ତିକା ନନ୍ଦ): ଅଦମ୍ୟ ଇଚ୍ଛାଶକ୍ତି, ଦୃଢ ଆତ୍ମବିଶ୍ବାସ ଥିଲେ ସବୁ କିଛି ସମ୍ଭବ। ଏହାର ଉଦାହରଣ ହେଉଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଇଶାନୀ ବ୍ରହ୍ମପୁର ଗ୍ରାମର ମାନସୀ ଓଝା। ୩୯ ବର୍ଷର ଏହି ମହିଳା କେବଳ ନିଜ ଅଞ୍ଚଳରେ ନୁହନ୍ତି, ସମଗ୍ର କଟକ ଜିଲ୍ଲାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୨୨ ବର୍ଷ ପୂର୍ବେ ତାଙ୍କୁ ୫ଶହ ଟଙ୍କା ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼ିଥିଲା। ଏବେ ୫୦ରୁ ଅଧିକ ଗ୍ରାମୀଣ ମହିଳାଙ୍କୁ ସେ ରୋଜଗାରର ସୁଯୋଗ ଦେବା ସହିତ ବାର୍ଷିକ ୨୦ ଲକ୍ଷରୁ ଅଧିକ ଟଙ୍କାର କାରବାର କରିବାରେ ସଫଳତା ଅର୍ଜନ କରିପାରିଛନ୍ତି।

ମାନସୀ ୧୯୯୮ରେ ଗାଁ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନ ଥିଲା। ଅଧିକ ପାଠ ପଢିବା ବି ସମ୍ଭବ ନଥିଲା। ଏଭଳି ସ୍ଥିତିରେ ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳର ମହିଳାଙ୍କୁ ବି ତାଙ୍କ ସହିତ ନେଇ କାମ କରିବା। ଏହି ଲକ୍ଷ୍ୟରେ ସେ ଗାଁର ୧୦ଜଣ ମହିଳାମାନଙ୍କୁ ନେଇ ଗଠନ କଲେ ମହିଳା ଗୋଷ୍ଠୀ। ଖୁବ୍ କଷ୍ଟରେ ଯୋଗାଡ଼ କରିଥିଲେ ୫୦୦ ଟଙ୍କା। ତାଙ୍କ ସହିତ ସାମିଲ ହୋଇଥିବା ମହିଳାଙ୍କ ପାଖରେ ବି ପୁଞ୍ଜି ପାଇଁ ଟଙ୍କାଟିଏ ବି ନଥିଲା। ମହିଳାମାନେ ନିଜ ଘରୁ ବିରି, ଚାଉଳ ଆଣି ବଡି, ଚାଉଳ ଚୂନା, ପାମ୍ପଡ ଆଦି ତିଆରି କଲେ। ସେହି ସାମଗ୍ରୀକୁ ଗାଁ ଗାଁ ବୁଲି ବିକ୍ରି କଲେ। ‌କାଗଜ ଠୁଙ୍ଗା ପ୍ରସ୍ତୁତ କରି ବୁଲି ବୁଲି ଦୋକାନରେ ଦେଲେ। ସେଥିରୁ ଯାହା କିଛି ମିଳିଲା ସେଥିରେ ଚଳିଲା ମହିଳାମାନଙ୍କ ପରିବାର। ଏହି ବଡି, ପାମ୍ପଡ ହିଁ ତାଙ୍କୁ ଆଗକୁ କିଛି ନୂଆ ବ୍ୟବସାୟ ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ଆଶା ଦେଲା। ଫଳରେ ୨୦୧୦ରୁ ସେ ଆରମ୍ଭ କଲେ ହାତ ତିଆରି ଧୂପକାଠି। ତାହାର ଚାହିଦା ବଢିବାରୁ ୨୦୧୩ରେ ନିଜେ ହ୍ୟାଣ୍ଡେଲ ମେସିନ୍‌ ଆଣି ଧୂପକାଠି ତିଆରି ଆରମ୍ଭ କଲେ। ମାନସୀଙ୍କ ଧୂପକାଠି ପ୍ରସ୍ତୁତି କାରବାରରେ ୫୦ ଜଣ ଗ୍ରାମୀଣ ମହିଳା ନିୟୋଜିତ ହେବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି।

ମାନସୀ କିଛିବର୍ଷ ହେଲା ଓରମାସ୍‌ ସହ ଅନୁବନ୍ଧିତ ହୋଇ ବାଲିଯାତ୍ରା, ବରଗଡ ଧନୁଯାତ୍ରାଠାରୁ ଆରମ୍ଭ କରି ବଡ ବଡ ମେଳା ମହୋତ୍ସବରେ ନିଜର ଧୂପକାଠି ବିକ୍ରି କରି ବେଶ୍‌ ଭଲ ରୋଜଗାର ମଧ୍ୟ କରୁଛନ୍ତି। ସେ ସରକାରୀ ଯୋଜନାରେ ୧୦ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ତାହାକୁ ଇତିମଧ୍ୟରେ ଶୁଝି ସାରିଛନ୍ତି। ଏବେ ସେ ଏକ ନୂଆ ଯୋଜନାରେ କାମ ଆରମ୍ଭ କରିଛନ୍ତି। ମନ୍ଦିରରେ ପୂଜା ପରେ ଫୋପାଡି ଦିଆଯାଉଥିବା ସୁଗନ୍ଧିତ ବାସି ଫୁଲକୁ ସଂଗ୍ରହ କରି ସେଥିରୁ ଅଗରବତୀ ପ୍ରସ୍ତୁତ କରିବା ଯୋଜନାରେ କାମ ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶହେ ଗ୍ରାମୀଣ ମହିଳାଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ଯୋଜନା ରଖିଛନ୍ତି ମାନସୀ।

ମାନସୀ ନିଜର କାର୍ଯ୍ୟକୁ କେବଳ ଏହି ବ୍ୟବସାୟରେ ସୀମିତ ରଖିନାହାନ୍ତି। ପିଲାଦିନରୁ ସେ ମହିଳାଙ୍କ ନିର୍ଯାତନାକୁ ଖୁବ ନିକଟରୁ ଅନୁଭବ କରି ଆସିଥିବାବେଳେ ସେହି ମାନଙ୍କ ସାମଗ୍ରିକ ବିକାଶ ପାଇଁ ବି କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ଘରୁ ବାହାରିବା ପରେ ସାହି ପଡିଶାରେ ରହୁଥିବା ମହିଳାମାନଙ୍କ ସମସ୍ୟା ବୁଝନ୍ତି। ମହିଳା ମାନଙ୍କୁ ନିଜ ସହ ଯୋଡ଼ି ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ କରନ୍ତି। ଏସବୁ ଭିତରେ ବି ସେ ନିଜ ପାଠପଢା ଜାରି ରଖିଛନ୍ତି। ନିଜେ ଗ୍ରାଜୁଏଟ୍ ହୋଇ ପାରିଛନ୍ତି।

The post ମାନସୀଙ୍କ ୨୨ ବର୍ଷର ସଂଘର୍ଷ କାହାଣୀ : ୫ଶହ ଟଙ୍କା ପୁଞ୍ଜିରୁ ଏବେ ୫୦ ମହିଳାଙ୍କ ନିଯୁକ୍ତିଦାତ୍ରୀ first appeared on Sambad.



from ରାଜ୍ୟ – Sambad https://ift.tt/2LfAsR0

Post a Comment

0 Comments