
ଭୁବନେଶ୍ବର : ଶୁକ୍ରବାର ରାଜ୍ୟରେ ଟିକାକରଣ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍(ପ୍ରାକ୍ ଅଭ୍ୟାସ) କରାଯିବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ନଗର ନିଗମରେ ଡ୍ରାଏ ରନ୍ କରାଯିବ। ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ମେଡିକାଲ କଲେଜ କିମ୍ବା ଘରୋଇ ମେଡିକାଲରେ ଡ୍ରାଏ ରନ୍ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ପୌର କର୍ତୃପକ୍ଷ ଓ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ଗତ ୨ ତାରିଖରେ ରାଜ୍ୟରେ ପ୍ରଥମ ଡ୍ରାଏ ରନ୍ ହୋଇଥିଲା। ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ୨୫ ଜଣ ଲେଖାଏଁ ସ୍ବେଚ୍ଛାସେବୀଙ୍କୁ ସାମିଲ୍ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଯିବ। କାହାକୁ ଟିକା ଦିଆଯିବ ନାହିଁ, କେବଳ ଟିକାକରଣର ପ୍ରକ୍ରିୟାକୁ ଯାଞ୍ଚ କରାଯିବ। ଆଗକୁ ଖୁବ୍ଶୀଘ୍ର ଟିକାକରଣ କରାଯିବା ନେଇ କେନ୍ଦ୍ର ସରକାର ସୂଚନା ଦେଇଥିବାରୁ ଡ୍ରାଏ ରନ୍ ଏ ଦିଗରେ ସହାୟକ ହେବ। ରାଜ୍ୟ ସରକାର ଟିକାଦାନ ପାଇଁ ୨୯ ହଜାର ଟିକାଦାନ କେନ୍ଦ୍ର ଚିହ୍ନଟ କରି ସାରିଛନ୍ତି। ଏହାସହ ପ୍ରଥମ ପର୍ଯ୍ୟାୟରେ ୩.୨୮ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଟିକା ସିଧାସଳଖ ଯୋଗାଣକାରୀ ସଂସ୍ଥା ନିକଟରୁ ରାଜ୍ୟକୁ ଆସିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଟିକାର ମୁଖ୍ୟତଃ ୨ଟି ଡୋଜ୍ ଦିଆଯିବ। ଅପରପକ୍ଷରେ ଗତ ୨ ତାରିଖରେ ହୋଇଥିବା ଡ୍ରାଏ ରନ୍ ସମୟରେ ରାଜ୍ୟର କିଛି ସ୍ଥାନରେ ଏ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ଶୁକ୍ରବାର ଡ୍ରାଏ ରନ୍ ସମୟରେ ଏଭଳି କୌଣସି ସମସ୍ୟା ରହିଛି କି ନାହିଁ, ସେ ସଂପର୍କରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ତଥା ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ। ଡା. ପାଣିଗ୍ରାହୀ କହିଛନ୍ତି, ଚଳିତଥର ପ୍ରତି ବ୍ଲକ୍ର ୩/୪ଟି ସ୍ଥାନରେ ଡ୍ରାଏ ରନ୍ କରାଯିବ।
The post ରାଜ୍ୟରେ ଟିକାକରଣ ପ୍ରସ୍ତୁତି : ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍ ଆଜି first appeared on Sambad.
from ରାଜ୍ୟ – Sambad https://ift.tt/35mcWst
0 Comments