ଅଭାବ ଦେଖାଇଲା ରୋଜଗାର ବାଟ : ୧୨୭୫ଟି ସ୍ବୟଂ ସହାୟକ ଗୋ‌ଷ୍ଠୀର ନେତୃତ୍ବ ନେଉଛନ୍ତି କଳ୍ପନା

ରାମଚନ୍ଦ୍ରପୁର, : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡା ଗ୍ରାମର ଜଣେ ସଫଳ ମହିଳା ହେଉଛନ୍ତି କଳ୍ପନା ବିଶ୍ବାଳ (୪୫)। ନିଷ୍ଠା, ଉଦ୍ୟମ, କର୍ମନିଷ୍ଠା ଯୋଗୁଁ ସେ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟ କେତେଜଣଙ୍କୁ ଆହାର ଯୋଗାଇବାରେ ସମର୍ଥ ହୋଇପାରିଛନ୍ତି।

କଳ୍ପନାଙ୍କ ସ୍ବାମୀ ହେଉଛନ୍ତି ଜୟନ୍ତଗାନ୍ଧି ବିଶ୍ବାଳ। ସେ ଜଣେ ଉଚ୍ଚ ଶିକ୍ଷିତ। ମାତ୍ର ଚାକିରି ନଥିବାରୁ ଘରେ ବସି ରହିଥିଲେ। ଘରର ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନଥିଲା। ଅଭାବଅନଟନରେ କଳ୍ପନା ସବୁବେଳେ କିଛିନା କିଛି ନୂଆ ବାଟ ଖୋଜୁଥିଲେ। ଭିନ୍ନତା ଆଣି ନିଜ ଗୋଡ଼ରେ ଠିଆ ହେବା ପାଇଁ ଚେଷ୍ଟିତ ଥିଲେ। ପ୍ରଥମେ ମିଶନ ଶକ୍ତି ଜରିଆରେ ୨୦୦୪ ମସିହାରେ ଗ୍ରାମର କିଛି ମହିଳାଙ୍କୁ ନେଇ ସ୍ବଂୟ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ମହିଳାମାନଙ୍କୁ ନେଇ ଧୂପ, ମହମବତି ତିଆରି କରି ସେ ସବୁକୁ ବିକ୍ରିବଟା କଲେ। ପରେ ପଞ୍ଚାୟତର ସମସ୍ତ ସ୍ବଂୟ ସହାୟିକା ଗୋଷ୍ଠୀର ମୁଖ୍ୟ ସମ୍ପାଦିକା ହେବା ସହ ୨୦୦୮ ମସିହାରୁ ବ୍ଲକ ମହାସଂଘ ମିଶନ ଶକ୍ତିର ନେତ୍ରୀ ହିସାବରେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ବ୍ଲକର ବିଭିନ୍ନ ଗ୍ରାମରେ ପ୍ରାୟ ୧୨୭୫ ଟି ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବାକୁ ପ୍ରୟାସ ଜାରି ରଖିଥିଲେ।

୨୦୧୧ ମସିହାରୁ ନିଜ ଉଦ୍ୟମରେ ସରକାରଙ୍କ ସ୍ବୀକୃତି ନେଇ ନିଜ ଗାଁ ଗଡବାନ୍ଧଗୋଡା ଠାରେ ସ୍ବାମୀଙ୍କ ସହଯୋଗରେ ଝାଡେଶ୍ବର ଛତୁଆ ୟୁନିଟ ପ୍ରତିଷ୍ଠା କରିଥିଲେ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ୧୫ ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ରୋଜଗାରର ବାଟ ଦେଖାଇଛନ୍ତି। ଏହି ଛତୁଆ ୟୁନିଟରୁ ବ୍ଲକର ୧୮ ଟି ପଞ୍ଚାୟତରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଛତୁଆ, ଲଡୁ, ହାଲୁଆ, ମାଣ୍ତିଆ ପ୍ରଭୃତି ପ୍ରସେସିଂ କରିବା ପରେ ପ୍ୟାକେଟରେ ଯୋଗାଇ ଦିଆଯାଉଛି। ଗର୍ଭବତୀ ଏବଂ ପ୍ରସୂତିଙ୍କ ସହିତ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପର୍ଯ୍ୟାୟକ୍ରମେ ଛତୁଆ, ହାଲୁଆ, ମାଣ୍ତିଆ ଓ ଲଡୁ ତିଆରି କରି ଅଙ୍ଗନବାଡି ମାଧ୍ୟମରେ ବଣ୍ଟନ କରାଯାଉଛି। ପ୍ରଥମେ ଏସବୁ କାମ ନିଜେ କରିବା ସହ ପ୍ୟାକେଟିଂ ମଧ୍ୟ କରୁଥିଲେ। ଏବେ ସମସ୍ତ ପ୍ରକ୍ରିୟା ଅତ୍ୟାଧୁନିକ ମେସିନ ସାହାଯ୍ୟରେ କରାଯାଉଛି। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ସ୍ଥାନରେ ହିଁ ଏହି ୟୁନିଟ୍ ଚାଲୁ ରହିଛି । ଏହି ଛତୁଆ ୟୁନିଟରେ ବର୍ଷକୁ ହାରାହାରୀ ୭୦ ରୁ ୮୦ ଲକ୍ଷ ଟଙ୍କାର କାରବାର ହୋଉଥିବା ବେଳେ କର୍ମଚାରି ଓ ଆନୁଷଙ୍ଗିକ ସାଜ ସରଞ୍ଜାମ ଓ କଞ୍ଚାମାଲ ବାବଦକୁ ଖର୍ଚ୍ଚ ଯିବା ପରେ ୭ରୁ ୮ ଲକ୍ଷ ଟଙ୍କା ଲାଭ ମିଳୁଥିବା କଳ୍ପନା କହିଛନ୍ତି। କଳ୍ପନା ଘରୁ ଗୋଡ଼ କାଢ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏଥିପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସେ ପ୍ରଶଂସିତ ଓ ସମ୍ମାନିତ ହୋଇଛନ୍ତି।

The post ଅଭାବ ଦେଖାଇଲା ରୋଜଗାର ବାଟ : ୧୨୭୫ଟି ସ୍ବୟଂ ସହାୟକ ଗୋ‌ଷ୍ଠୀର ନେତୃତ୍ବ ନେଉଛନ୍ତି କଳ୍ପନା first appeared on Sambad.



from ରାଜ୍ୟ – Sambad https://ift.tt/39vmGD8

Post a Comment

0 Comments