ପ୍ରସଙ୍ଗ ଗୋଟିଏ: ବିରୋଧର ତରିକା ଅଲଗା

ଭୁବନେଶ୍ବର: ନୂଆେ ଅନ୍ନଦ ଟ୍ରାକ୍ଟର ରାଲିକୁ ନେଇ ସାରା ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳମାନେ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଆଜି ଗଣମାଧ୍ୟମ ସାମ୍ନାରେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିବାକୁ ଭୁଲିନାହାନ୍ତି। ଫଳରେ ସାଧାରଣତନ୍ତ୍ର ଦିବସରେ ବି ଚାଷୀ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି।

ବିଜେପି ସଭାପତି ସମୀର ମହାନ୍ତି ଆଜି ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଓଡିଶାର ଚାଷୀ ଆଜି କଷଣ ଭିତରେ ଅଛି। ରାଜ୍ୟର ଶହ ଶହ ମଣ୍ଡିରେ ଧାନ ଥୁଆ ହୋଇଛି। ଲୋକେ ଦିନ ଦିନ ଧରି ଧାନ ବିକ୍ରି ପାଇଁ ଅପେକ୍ଷା କରି ରହିଛନ୍ତି। କେଉଁଠି ଟୋକନ୍ ସମୟ ସୀମା ସରିଗଲାଣି ତ ଆଉ କେଉଁଠି ଜିଲ୍ଲା ପାଇଁ ସରକାରଙ୍କ କୋଟା ପୂରଣ ହୋଇଯାଇଛି। ଯେତେ ଅଭିଯୋଗ କଲେ ବି ସରକାରଙ୍କ କାନରେ ପଶୁନାହିଁ। ଆଜି ଭଳି ଦିନରେ ବି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଉଛି ଯେ ସରକାର ଚାଷୀମାନଙ୍କ ଦୁଃଖ ଶୁଣନ୍ତୁ।

ନୂଆଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସଂପର୍କରେ ବିଜେପି ନେତା ଐର ଖାରବେଳ ସ୍ବାଇଁ କହିଛନ୍ତି ଯେ ଗୋଟିଏ ଦୁଇଟି ରାଜ୍ୟର ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ଚାଷୀମାନେ ଯଦି ଆଇନରେ କିଛି ଭୁଲ ବାହାର କରୁଛନ୍ତି, ତେବେ ସ୍ପଷ୍ଟ ଭାବେ କହିଲେ, ସେଥିରେ ସଂଶୋଧନ ଅଣାଯିବ। କିନ୍ତୁ କିଛି ବି ଭୁଲ୍ ନ ଦେଖି କେବଳ ଆଇନ ପ୍ରତ୍ୟାହାର ପାଇଁ ଦାବି କରିବା କେମିତିକା କଥା? ଯଦି ଏହା ପ୍ରତ୍ୟାହାର କରାଯିବ, ଆଗକୁ ଯେଉଁ ବିଲ୍ ପାସ୍ ହେବ, ତାକୁ ଆଉ ଦଳେ ଆସି କହିବେ ପ୍ରତ୍ୟାହାର କର। ଏମିତି ହେଲେ, ଶାସନ ବ୍ୟବସ୍ଥାଟି କେମିତି ଚାଲିବ? ସେହିଭଳି ଏହି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ମଧ୍ୟ ଶ୍ରୀ ସ୍ବାଇଁ କଟାକ୍ଷ କରିଛନ୍ତି। କହିଛନ୍ତି, ଚାଷୀ ପ୍ରସଙ୍ଗରେ ବିଜେଡିର କିଛି ମତ ନାହିଁ। ଅନ୍ନଦାତା କହିଦେଲେ ଭାବୁଛନ୍ତି ଚାଷୀଙ୍କ ଭୋଟ ମିଳିଯିବ। କହିବା କଥା ବୋଲି କହୁଛନ୍ତି। କିଛି ବିଚାର ନାହିଁ କି ଦୂରଦୃଷ୍ଟି ବି ନାହିଁ।
ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ବୟାନବାଜିରେ ନିଜକୁ ସାମିଲ କରିଛନ୍ତି।

 ଚାଷୀଙ୍କ ପାଇଁ ବିଜେଡି-ବିଜେପି-କଂଗ୍ରେସର ବୟାନବାଜି
 ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ସମାଲୋଚନା
 କେନ୍ଦ୍ରକୁ ଆଙ୍ଗୁଠି ଦେଖାଇଲେ କଂଗ୍ରେସ ଏବଂ ବିଜେଡି

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଭାରତ ଏକ କୃଷି ପ୍ରଧାନ ଦେଶ। ଚାଷୀ ହେଉଛନ୍ତି ଦେଶର ଅନ୍ନଦାତା । ଯେଉଁ ତିନିଟି କୃଷି ବିଲ୍ ଆସିଛି ତାହା ମୁଷ୍ଟିମେୟ ଓ ପୁଞ୍ଜିପତିମାନଙ୍କର ସ୍ବାର୍ଥରେ। ତେଣୁ ଏହା ଠିକ୍ ନୁହେଁ। ଏହି ବିଲ୍ କର୍ପୋରେଟ ମାନଙ୍କର ଲାଭ ପାଇଁ ହୋଇଛି। ଏହା କେନ୍ଦ୍ର ସରକାର ବୁଝିବା ଦରକାର। ବିଜେଡି ବି ଏହି ପ୍ରସଙ୍ଗରେ ମତ ରଖି ନିଜର ଅସନ୍ତୋଷ ଝାଡ଼ିଛି। ବିଜେଡି ସାଧାରଣ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା କହିଛନ୍ତି ଯେ କେହି ଏକଥା ଭୁଲିବା ଉଚିତ୍ ନୁହେଁ ଯେ ଭାରତ ବର୍ଷର ଚାଷୀମାନଙ୍କ ପାଇଁ ରାଜ୍ୟ ତଥା ଦେଶ ସମୃଦ୍ଧ ହୋଇଛି। କୃଷକ ମାନଙ୍କୁ ଛାଡି ଦେଶର ବିକାଶ ଚିନ୍ତା କରାଯାଇ ପାରିବ ନାହିଁ। ସେମାନେ ଜାତିର ଅନ୍ନଦାତା। ଆଶା କରାଯାଉଛି, ଆଜି ଭଳି ପବିତ୍ର ସାଧାରଣତନ୍ତ୍ର ଦିବସରେ ଅନ୍ନଦାତାଙ୍କର ବହୁ ଦିନର ଦାବିକୁ ସରକାର ସହ ହୃଦୟତା ସହ ଗ୍ରହଣ କରିବେ ଏବଂ ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବେ।

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାରଙ୍କ ଚାଷୀ ଆଇନ କ୍ଷେତ୍ରରେ ଥିବା ଅସଙ୍ଗତି ଉପରେ ବିଜେଡି ପୂର୍ବରୁ ପ୍ରଶ୍ନଚିହ୍ନ ଉଠାଇଛି। ଏମ୍‌ଏସ୍‌ପି ବୃଦ୍ଧି ଓ ସ୍ବାମୀନାଥନ୍ ରିପୋର୍ଟ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର କ୍ୟାବିନେଟ୍‌ରେ ସଂକଳ୍ପ ପାରିତ କରିଛନ୍ତି ଓ ଆଗକୁ ସଂସଦରେ ମଧ୍ୟ ଦଳ ଦାବି ଜୋରଦାର କରିବ ବୋଲି ନିଷ୍ପତ୍ତି ନେଇଛି। ଏପଟେ କିନ୍ତୁ ବିଜେପି ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ଧରି ରାଜ୍ୟ ସରକାରଙ୍କୁ ଘେରିଛି। ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ୩୭ଟି ନିର୍ବାଚନମଣ୍ଡଳୀରେ ସରକାରଙ୍କୁ ଅକଳରେ ପକାଇବା ଲାଗି କୌଣସି ସୁଯୋଗ ଦଳ ଛାଡ଼ୁନି। ଆସନ୍ତା ୨୯ ତାରିଖ ଦିନ ଧାରଣା କାର୍ଯ୍ୟକ୍ରମ ରଖିଛି ଓ ଏକଥା ବି ଧମକ ଦେଇଛି ଯେ ଯଦି ରାଜ୍ୟ ସରକାର ସବୁ ଧାନ ନ ଉଠାନ୍ତି, ତେବେ ରାସ୍ତାରୋକ କରି ପଶ୍ଚିମ ଓଡ଼ିଶାକୁ ଅଚଳ କରିଦେବ।

The post ପ୍ରସଙ୍ଗ ଗୋଟିଏ: ବିରୋଧର ତରିକା ଅଲଗା first appeared on Sambad.



from ରାଜ୍ୟ – Sambad https://ift.tt/39kI3qQ

Post a Comment

0 Comments