ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଜଗନ୍ନାଥଧାମ ଅନ୍ୟତମ। ଏଠାକୁ ସମଗ୍ର ବିଶ୍ୱରୁ ହିନ୍ଦୁମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି। ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସେ ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୁରୀଠାରୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କର ସୂର୍ଯ୍ୟ ମନ୍ଦିର ମାତ୍ର ୩୫ କିଲୋମିଟର ଦୂର। ପୁରୀ ସହ ରାମଚଣ୍ଡୀ ଓ ଚନ୍ଦ୍ରଭଗା ବେଳାଭୂମି ସଂଲଗ୍ନ ରହିଛି। ଏହାଛଡ଼ା ଜାତୀୟ  ଭିତରକନିକା ଜାତୀୟ ଉଦ୍ୟାନ, ରତ୍ନଗିରି ଓ ଧଉଳି ଭଳି ପ୍ରସିଦ୍ଧ ବୌଦ୍ଧପୀଠ ବି ଏହା ନିକଟରେ ରହିଛି। ଏହା ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରେ। ନୂତନ ଅର୍ଥନୈତିକ କାର୍ଯ୍ୟକଳାପ ଦିଗରେ ଅନ୍ତର୍ଜାତୀୟ ବିମାନବନ୍ଦର ଯଥେଷ୍ଟ ସହାୟକ ହେବ।

ଏଥିଲାଗି ରାଜ୍ୟ ସରକାର ପୁରୀରେ ଜାଗା ଚିହ୍ନଟ କରିସାରିଛନ୍ତି। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ଓଡ଼ିଶା ସରକାର ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ବି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ  ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠାକୁ ପ୍ରାଥମିକତା ଦେବା ଲାଗି ନରେନ୍ଦ୍ର ମୋଦୀ କହନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

The post ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ first appeared on Sambad.



from ରାଜ୍ୟ – Sambad https://ift.tt/3hKc1r3

Post a Comment

0 Comments