ଭୁବନେଶ୍ବର: ନୂତନ ଉନ୍ନୟନ କମିସନର ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗରୁ ସେ ଏସଆରସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭଳି ଦାୟିତ୍ୱ ତୁଲାଇ ସାରିଛନ୍ତି।ସୁରେଶ ମହାପାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହେବା ପରେ ୧୯୮୯ ବ୍ୟାଚର ଆଇଏଏସ୍ ପ୍ରଦୀପ ଜେନା ନୂଆ ଉନ୍ନୟନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
୧୯୬୪ ମସିହାରେ ଜନ୍ମିତ ପ୍ରଦୀପ କୁମାର ଜେନା ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା।
୧୯୯୯ ମସିହାର ମହାବାତ୍ୟା ସମୟରେ ସେ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି। କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।
୨୦୧୭ ମସିହାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିବା ପରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍ କମିସନର ଭାବେ ଦାୟିତ୍ବ ଦିଆଯାଇଥିଲା। ଚଳିତ ବର୍ଷ କୋଭିଡ୍ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଅଦ୍ୟାବଧି ତାଙ୍କର ଗୁରୁଦାୟିତ୍ବ ତୁଲାଇଆସୁଛନ୍ତି।
The post ନୂତନ ଉନ୍ନୟନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା first appeared on Sambad.
from ରାଜ୍ୟ – Sambad https://ift.tt/3o0rRzU
0 Comments