ଭେଡ଼େନ ଥାନା ଭଂଗାରୁଜା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ବେଳେ ଗାଁରେ ଉତ୍ତେଜନା

ବରଗଡ଼/ଥୁଆପାଲି :  ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବୁର୍ଦ୍ଦା ଗ୍ରାମର  ଜିତୁ ନାଏକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସହ ତଦନ୍ତରେ ବିଳମ୍ବକୁ ନେଇ ଗତମାସ ୧୭ ତାରିଖ ଭେଡ଼େନରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ୍‌ ଏବଂ ଜନତାଙ୍କ ମଧ୍ୟରେ ତିନି ଘଣ୍ଟା କାଳ ଖଣ୍ଡଯୁଦ୍ଧ ହୋଇଥିଲା। ଲୋକେ ଥାନା ଭିତରେ ପଶି ଭଂଗାରୁଜା କରିବା ସହ ପୁଲିସ୍‌ ଗାଡ଼ିକୁ ବି ଚୂରମାର କରିଥିଲେ। ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ମଂଗଳବାର ପୁଲିସ୍‌ ଗିରଫ କରିବାକୁ ଯାଇଥିବାବେଳେ ବୁର୍ଦ୍ଦା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ‌ଲୋକେ ପ୍ରଥମେ ହତ୍ୟାକାରୀକୁ ଗିରଫ କର, ପରେ ଭଂଗାରୁଜା ମାମଲାର ଅଭିଯୁକ୍ତକୁ ଧରିବ ବୋଲି କହି ପୁଲିସ୍‌କୁ ପ୍ରତିରୋଧ କରିଥିଲେ। ପ୍ରଥମେ ସାଦା ପୋଷାକରେ ଆସିଥିବା ପୁଲିସ କର୍ମଚାରୀଙ୍କୁ ଗ୍ରାମବାସୀ ଘଉଡ଼ାଇ ଦେଇଥିଲେ। ଗ୍ରାମର ମୁଖ୍ୟ ପ୍ରବେଶ ପଥରେ ଗଛ ପକାଇ ଅବରୋଧ କରି ରଖିଥିଲେ।

କିନ୍ତୁ ଘଟଣାସ୍ଥଳରେ ୪ ପ୍ଳାଟୁନ ଫୋର୍ସ ପହଂଚିବା ପରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁଲିସ୍‌ ଘରଘର ପଶି ଲୋକଙ୍କୁ ଉଠାଇ ନେଇଥିଲା। କିଛି ମହିଳାଙ୍କ ସମେତ ୩୧ ଜଣଙ୍କୁ ବରଗଡ଼ ଅଣାଯାଇ ଅଟକ ରଖାଯାଇଛି। ତେବେ ଏହି ସମୟରେ ଗ୍ରାମବାସୀ ଧସ୍ତାଧସ୍ତି କରିଥିବା ପୁଲିସ୍‌ କହୁଥିବାବେଳେ ଲୋକେ ଏହାକୁ ଖଣ୍ଡନ କରିଛନ୍ତି। ଭେଡ଼େନ ଥାନା ଏବଂ ବୁର୍ଦ୍ଦା ଗାଁରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖ ଭେଡ଼େନ ବ୍ଲକ୍‌ ବୁର୍ଦ୍ଦା ଗାଁରେ ଜିତୁ ନାଏକଙ୍କ ଗଳାକଟା ଶବ ବିଲରୁ ଉଦ୍ଧାର ହୋଇଥିଲା। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। ତଦନ୍ତରେ ବିଳମ୍ବ ହେଉଥିବାରୁ ଗତମାସ ୧୭ ତାରିଖ ‌ ମୃତ ଜିତୁର ବାପା ଲିଙ୍ଗରାଜ ନାଏକଙ୍କ ନେତୃତ୍ବରେ ଗ୍ରାମବାସୀ ଥାନା ଘେରାଉ କରିଥିଲେ। ସେଠାରେ ପୁଲିସ୍‌-ଜନତା ଧସ୍ତାଧସ୍ତି ପରେ ଉତ୍ତେଜନା ପ୍ରକାଶ ପାଇଥିଲା।  ଗ୍ରାମବାସୀ ଥାନା ଭିତରକୁ ପଶି   ଭଙ୍ଗାରୁଜା କରିଥିଲେ। ପରେ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଗ୍ରାମବାସୀ  ପଥର ମାଡ଼ରେ ଥାନାର ଅନେକ ଗାଡ଼ି ଭାଂଗିରୁଜି ଯାଇଥିଲା।

The post ଭେଡ଼େନ ଥାନା ଭଂଗାରୁଜା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ବେଳେ ଗାଁରେ ଉତ୍ତେଜନା first appeared on Sambad.



from ରାଜ୍ୟ – Sambad https://ift.tt/3n0tr4f

Post a Comment

0 Comments