ବନ୍ଦ ରତ୍ନପଥର ଖଣି ଉପରେ ମାଫିଆଙ୍କ ‌ଲୋଲୁପ ଦୃଷ୍ଟି, ଓଏମ୍‌ସି ଜାଣତରେ ଚୋରା ଚାଲାଣ

ରାୟଗଡ଼ା: ଓଏମ୍‌ସି ପାଇଁ ଲାଭଜନକ ନୁହେଁ। ମାଫିଆଙ୍କ ପାଇଁ କିନ୍ତୁ ବନ୍ଦ ରତ୍ନପଥର ଖଣି ପାଲଟିଛି ଲେଉଟିଆ କିଆରି। ପ୍ରତି ମାସରେ ଏସବୁ ବନ୍ଦ ଖଣିରୁ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ମୂଲ୍ୟବାନ ରତ୍ନପଥର। ଯାହାର ଚେର ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼, ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ଲମ୍ବିଛି। ଚୋରା ଚାଲାଣ ରୋକିବା ଦିଗରେ ଓଡ଼ିଶା ଖଣି ନିଗମ କୌଣସି ପଦକ୍ଷେପ ନେଉ ନ ଥିବାରୁ ମୁନିଗୁଡ଼ାରେ ଆଡ଼ା ଜମାଉଛନ୍ତି ଅନ୍ତଃରାଜ୍ୟ ବେପାରୀ। ଗତକାଲି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍ ରାୟଗଡ଼‌ାରେ ଚଢ଼ଉ କରି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ରତ୍ନପଥର ଜବତ କରିବା ପରେ ଚୋରା ବେପାରୀଙ୍କ ମନରେ ପଶିଛି ଛନକା।

ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲର ଡାକୁଲଗୁଡ଼ାରେ ରହିଛି ରତ୍ନପଥର ଖଣି। କ୍ୟାଟ୍‌ସ ଆଇ ପଥର ଉତ୍ପାଦନ ହେଉଥିବା ଏହି ଖଣିକୁ ଓଏମ୍‌ସି ଲାଭଜନକ ନ ଥିବା ଦର୍ଶାଇ ଦୀର୍ଘ ବର୍ଷ ହେଲା ବନ୍ଦ କରି ଦେଇଛି। ଚୋରା ଚାଲାଣ ରୋକିବାକୁ ବୁଲା ଯାଇଥିବା ତାରବାଡ଼ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଥିବାରୁ ଚୋରା ଚାଲାଣକାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଏକଦା ଏହି ପଥର ଖଣି ଏସିଆର ସବୁଠାରୁ ଉତ୍କୃଷ୍ଟ କ୍ୟାଟ୍‌ସ ଆଇ ଖଣି ଭାବେ ବିବେଚିତ ହେଉଥିଲା। ଯେଉଁଥିପାଇଁ ରାଜସ୍ଥାନ ସମେତ ଛତିଶଗଡ଼ର ମହାସମୁଦ, ଉତ୍ତରପ୍ରଦେଶର କିଛି ‌ପଥର ବେପାରୀ ମୁନିଗୁଡ଼ା ଆସି ସ୍ଥାନୀୟ ଲୋକଙ୍କୁ ହାତବାରିସି କରି ପଥର ଖୋଳି ନେଉଛନ୍ତି। ମୁନିଗୁଡ଼ାର ବିଭିନ୍ନ ହୋଟେଲ, ଆବାସିକ ଘରକୁ ଭଡ଼ା ସୂତ୍ରରେ ନେଇ ମାଫିଆମାନେ ଏହି ବେଆଇନ କାରବାର ଚଲାଇଛନ୍ତି। ଯାହାର ସୁରାକ୍ ପାଇପାରୁନି ଓଏମ୍‌ସି ଓ ଜିଲ୍ଲା ପ୍ରଶାସନ। ଚୋରା ଚାଲାଣ ସଂପର୍କରେ ସୂଚନା ରହିଥିବା ସତ୍ତ୍ବେ ପୁଲିସ୍ କେବଳ ପାଟ୍ରୋଲିଂ କରି ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇଥିବା ବେଳେ ନୂଆ ଲିଜ୍ ଅପେକ୍ଷାରେ ଓଏମ୍‌ସି କର୍ତ୍ତୃପକ୍ଷ ଆଖି ଦୃଶିଆ ପଦକ୍ଷେପ ନେଉନାହାନ୍ତି। ଯେଉଁଥିପାଇଁ ଖଣିରେ ଗଚ୍ଛିତ କୋଟି କୋଟି ଟଙ୍କାର ମୂଲ୍ୟବାନ ପଥର ବାହାର ରାଜ୍ୟକୁ ଚାଲାଣ ହେଉଛି।

କେବଳ ଡାକୁଲୁଗୁଡ଼ା ନୁହେଁ, ମୁନିଗୁଡ଼ା ତହସିଲର ଦହିଖାଲ, ରଘୁବାରୀରେ ମଧ୍ୟ ରହିଛି ରତ୍ନପଥର ଖଣି। ଯାହାକୁ ଓଏମ୍‌ସି ଲିଜ୍ ସୂତ୍ରରେ କାହାକୁ ଦେଇନି। ଦହିଖାଲରେ ଥିବା ଗୋମେଦ ପଥର ଖଣି ଉପର ଦେଇ ରେଳ ଲାଇନ୍ ଯାଇଥିବାରୁ ଚୋରା ବେପାରୀ ଖଣି ଖୋଳି ପଥର ଲୁଟ୍ ପାଇଁ ଉଦ୍ୟମ କରୁଛନ୍ତି। ବାରମ୍ବାର ବେଆଇନ ଖନନ ପରେ ଏବେ ରେଲୱେ ବିଭାଗ ଖୋଳା ଯାଉଥିବା ସ୍ଥାନକୁ ସିମେଣ୍ଟ୍ କଂକ୍ରିଟ୍ କରିଛି। ସେହିପରି ରଘୁବାରୀ ନିକଟ ପାହାଡ଼ରୁ କ୍ୟାଟ୍‌ସ ଆଇ, ଶ୍ରଦ୍ଧାପୁର-ଜଗଦଲପୁର ନିକଟ ପାହାଡ଼ରେ କ୍ବାର୍ଜ ନାମକ ବହୁମୂଲ୍ୟ ରତ୍ନପଥର ମହଜୁଦ୍ ରହିଛି। ସ୍ଥାନୀୟ ଲୋକ ପଥରକୁ ଖୋଳି ମାଫିଆଙ୍କୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ଅନ୍ୟପକ୍ଷରେ ଗୁଡ଼ାରି ତହସିଲର କର୍ଲାଘାଟି ପାହାଡ଼ରେ ମଧ୍ୟ କ୍ୟାଟ୍‌ସ ଆଇ ରତ୍ନପଥର ମହଜୁଦ୍ ରହିଛି। ଡାକୁଲଗୁଡ଼ା ଭଳି ଚନ୍ଦ୍ରପୁର ତହସିଲର ଜାରପା ନିକଟରେ ଥିବା ପାହାଡ଼ରେ ମଧ୍ୟ କ୍ୟାଟ୍‌ସ ଆଇ ରତ୍ନପଥର ରହିଛି। ରାୟଗଡ଼ା ତହସିଲର ଇରୁକୁବାଡ଼ିରେ ମଧ୍ୟ ରହିଛି ଉତ୍କୃଷ୍ଟମାନର କ୍ୟାଟ୍‌ସ ଆଇ ରତ୍ନପଥର ଖଣି। ୧୯୯୦ ମସିହାରେ ଏହି ଖଣିକୁ ଆନ୍ଧ୍ରର ଜଣେ ବ୍ୟବସାୟୀ ଲିଜ୍ ସୂତ୍ରରେ ନେଇ ଖନନ କରିଥିଲେ। ଚୁକ୍ତିଠାରୁ ଅଧିକ ଖନନ କରିବା କାରଣରୁ କିଛି ଦିନ ପରେ ଓଏମ୍‌ସି ଏହି ଖଣିକୁ ବନ୍ଦ କରି ଦେଇଥିଲା। ହେଲେ ଚୋରା ଚାଲାଣ କିନ୍ତୁ ଦୀର୍ଘ ବର୍ଷ ଧରି ଚାଲିଥିଲା। ଏବେ ମଧ୍ୟ କିଛି ଲୋକ ପାହାଡ଼ ଖୋଳି ରତ୍ନପଥର ବାହାର କରୁଛନ୍ତି। ଜିଲ୍ଲାରେ ଗଚ୍ଛିତ ଥିବା ରତ୍ନପଥର ଖଣିର ସର୍ଭେ ଓଏମ୍‌ସି ପକ୍ଷରୁ ସରିଛି। ଗଚ୍ଛିତ ରତ୍ନପଥର ଉତ୍କୃଷ୍ଟ ମାନର ନଥିବା ଦର୍ଶାଇ ଓଏମ୍‌ସି ଖଣିକୁ ବନ୍ଦ ରଖିଥିବା ବେଳେ ପଥର ମାଫିଆ ଚୋରା ଚାଲାଣ କରି ମାଲେମାଲ ହେବାରେ ଲାଗିଛନ୍ତି। ଚୋରା ଚାଲାଣ କରୁଥିବା ମାଫିଆଙ୍କ ସଂପର୍କରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍ ସୂଚନା ପାଇବା ପରେ ଗତକାଲି ରାୟଗଡ଼ା ସହରର ଜଗନ୍ନାଥ କମ୍ପ୍ଲେକ୍ସରେ ଚଢ଼ଉ କରି ଜି‌ତେନ୍ଦ୍ର କୁମାର ବେହେରାକୁ ଗିରଫ କରିବା ସହ ୨୦ପ୍ରକାରର ରତ୍ନପଥର ଜବତ କରିଛି। ଏହି ସବୁ ରତ୍ନପଥର ଡାକୁଲଗୁଡ଼ା, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଜିଲ୍ଲାର କିଛି ଖଣିରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

The post ବନ୍ଦ ରତ୍ନପଥର ଖଣି ଉପରେ ମାଫିଆଙ୍କ ‌ଲୋଲୁପ ଦୃଷ୍ଟି, ଓଏମ୍‌ସି ଜାଣତରେ ଚୋରା ଚାଲାଣ first appeared on Sambad.



from ରାଜ୍ୟ – Sambad https://ift.tt/37F7b9y

Post a Comment

0 Comments