ପରୀ ହତ୍ୟା ଘଟଣା : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ତଦନ୍ତ

ବାବୁଲି ନାୟକଙ୍କୁ ପଚରାଉଚରା
ଯଦୁପୁର ଗ୍ରାମବାସୀ ଓ ପରୀ ପରିବାରକୁ ଭେଟିଲେ
ଗାଁ ଛାଡ଼ି ପରିବାର ଏବେ ଯୋଗିଆପଲ୍ଲୀରେ ରହୁଛନ୍ତି

ନୟାଗଡ଼ : ବହୁଚର୍ଚ୍ଚିତ ନାବାଳିକା ଅମ୍ରିତ‌ାସ୍ନେହା ସାହୁ ଓରଫ୍‌ ପରୀ ହତ୍ୟାକାଣ୍ଡ ମାମଲା ନେଇ ଆଜି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଟିମ୍‌ ନୟାଗଡ଼ ଗସ୍ତ କରିଛନ୍ତି। ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପରୀର ଗ୍ରାମ ଯଦୁପୁରକୁ ଯାଇ ଘଟଣା ବାବଦ‌ରେ ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରିଛନ୍ତି। ପରୀ ହତ୍ୟା କେଉଁଭଳି ସ୍ଥିତି‌ରେ ଘଟିଲା, ସେ ନେଇ ପ୍ରତ୍ୟକ୍ଷ ଭାବେ ଅବଗତ ହୋଇଛନ୍ତି। ଏଥିସହିତ ପରୀର ଶବ (ମାତ୍ର ୧୦/୧୨ ଖଣ୍ଡ ହାଡ଼) ଯେଉଁ ପୋଖରୀ କୂଳ ବୁଦା ମଧ୍ୟରୁ ଉଦ୍ଧାର ହୋଇଥିଲା, ସେହି ସ୍ଥାନ ପରିଦର୍ଶନ କରିଛନ୍ତି। ଗ୍ରାମର ଆଶାକର୍ମୀଙ୍କ ଘର ଏହି ସ୍ଥାନରେ ହୋଇଥିବାରୁ ଆଶା ଦିଦିଙ୍କୁ ମଧ୍ୟ ଶ୍ରୀମତୀ ପ୍ରଧାନ ପଚରାଉଚରା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ହତ୍ୟା ପଛରେ ବାବୁଲି ନାୟକଙ୍କ ହାତ ଥିବା ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନଙ୍କ ନିକଟରେ ପରୀର ପରିବାର ଅଭିଯୋଗ କରିଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କମିସନ ଅଧ୍ୟକ୍ଷା ବାବୁଲିଙ୍କୁ ତାଙ୍କ ବାସଭବନରେ ଭେଟି ପଚରାଉଚରା କରିଥିଲେ। ତେବେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ବାବୁଲି କହିଥିବା ଜଣାପଡ଼ିଛି। ଯଦୁପୁର ଗ୍ରାମରେ ଶିଶୁ ସୁରକ୍ଷା ଆୟୋଗ ଟିମ୍‌ ପାଖାପାଖି ୩ ଘଣ୍ଟା ରହିବା ପରେ ସନ୍ଧ୍ୟାରେ ପରୀର ପରିବାରକୁ ଭେଟିଥିଲେ। ପରୀର ପରିବାର ଭୟରେ ଗାଁ ଛାଡ଼ି ଏବେ ଖଣ୍ଡପଡ଼ା ବ୍ଲକ୍‌ ଯୋଗିଆପଲ୍ଲୀସ୍ଥିତ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଯୋଗିଆପଲ୍ଲୀ ଯାଇ ପରୀ ବାପା ଅଶୋକ ସାହୁ ଓ ମା’ ସୌଦାମିନୀଙ୍କୁ ଭେଟିଥିଲେ। କେଉଁ ପରିସ୍ଥିତିରେ ପରୀ ନିଖୋଜ ହେଲା ଏବଂ ହତ୍ୟା କରିଥିବା ନେଇ କାହାକୁ ସନ୍ଦେହ କରୁଛନ୍ତି, ସେ ସମ୍ପର୍କରେ ପଚାରି ବୁଝିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ ପରୀର ବାପାମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ବାବୁଲି ନାୟକଙ୍କ ପାଇଁ ମନ୍ତ୍ରୀ ଅରୁଣ ସାହୁ ଘଟଣାକୁ ଚପାଉଥିବା ପରୀର ବାପା, ମା’ ଚିତ୍କାର କରି କହିଥିଲେ। ଫଳରେ, ଘଟଣା ଭିନ୍ନ ମୋଡ଼ ନେଇଥିଲା। ଏହି ଘଟଣାରେ ବିରୋଧୀ ଦଳ ଘେରିବା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଓ ପରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି) ଗଠନ କରି ତଦନ୍ତ କରାଉଛନ୍ତି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି ଏସ୍‌ଆଇଟି ମୁଖ୍ୟ ତଥା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଆସି ପରୀ ପରିବାରକୁ ଭେଟି ସାରିଛନ୍ତି। ସମସ୍ତ‌େ ସେହି ଏକା କଥା ପଚାରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିସାରିଛନ୍ତି। ଏତେ ସବୁ ତଦନ୍ତ, ଅନୁଧ୍ୟାନ ପରେ ଅନୁସନ୍ଧାନକାରୀ ସଂସ୍ଥା ହତ୍ୟ‌ାକାରୀ ନିକଟରେ ପହଞ୍ଚୁଛି କି ନାହିଁ, ଦେଖିବାକୁ ବାକି ରହିଲା।

The post ପରୀ ହତ୍ୟା ଘଟଣା : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ତଦନ୍ତ first appeared on Sambad.



from ରାଜ୍ୟ – Sambad https://ift.tt/36A1lqS

Post a Comment

0 Comments