ରାଜ୍ୟ ବାହାରେ ମଜୁରି ଖଟୁଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ: ବଇନା ନେଇ ବନ୍ଧା ପଡ଼ିଛନ୍ତି, ନିର୍ଯାତିତ ହେଉଛନ୍ତି

ଭୁବନେଶ୍ବର: ନୃତ୍ୟର ତାଳେତାଳେ ଯାତ୍ରା ମଞ୍ଚର ପରଦା ଉଠେ। ମୁହଁରେ ରଙ୍ଗବୋଳି ନୃତ୍ୟଶିଳ୍ପୀମାନେ ମଞ୍ଚକୁ ରଙ୍ଗିନ କରନ୍ତି। କିଏ ତାଳି ଦିଏ ତ, କିଏ ଗାଳି। ତଥାପି ପେଟ ଚାଖଣ୍ଡକ ପାଇଁ ସେମାନେ କେବେ ନିଆଁରେ ଗଡ଼ନ୍ତି ତ କେବେ କଣ୍ଟାରେ ଚାଲନ୍ତି। ରାତି ରାତି ଅନିଦ୍ରା ପରେ ସେମାନଙ୍କୁ ମାସିକ ପାରିତୋଷିକ ମିଳେ ୭ରୁ ୧୦ ହଜାର। ପାଉଣା ସେତିକିରେ ସୀମିତ ଥିଲେ ହେଁ ସେମାନେ ହାରି ଯାଇନଥିଲେ। ମାତ୍ର କରୋନା ଦାଦନ ସଜେଇ ଦେଲା। ୧୦ ମାସ ହେବ ଯାତ୍ରା ବନ୍ଦ ପରେ ବାହାର ରାଜ୍ୟକୁ ଯାଇ ଅନେକ ଦୈନିକ ମଜୁରିରେ ନୃତ୍ୟ କରୁଛନ୍ତି। କିଛି ନୃତ୍ୟଶିଳ୍ପୀ ଏଯାଏ ପାରିଶ୍ରମିକ ପାଇନାହାନ୍ତି। ଆଉ କିଛି ଆଗରୁ ବଇନା ନେଇ ବନ୍ଧା ପଡ଼ିଛନ୍ତି। ନା ସେ ସ୍ଥାନ ଛାଡ଼ି ଘରକୁ ଫେରି ପାରୁଛନ୍ତି ନା ସେଠି ସେମାନଙ୍କ ନିର୍ଯାତନା ସହି ପାରୁଛନ୍ତି। ୪ଶହରୁ ଊର୍ଧ୍ବ ନୃତ୍ୟଶିଳ୍ପୀ ଏପରି ଦହଗଞ୍ଜ ହେଉଛନ୍ତି।

‘ଯାତ୍ରା ନୃତ୍ୟ ଗୁରୁ ଓ ନୃତ୍ୟଶିଳ୍ପୀ ସଂଘ’ର ସଭାପତି ରଂଜିତ ସ୍ବାଇଁଙ୍କ କହିବା ମୁତାବକ, ନୃତ୍ୟଶିଳ୍ପୀଙ୍କ ରୋଜଗାର ବହୁତ କମ୍‌। ବଡ଼ କଳାକାରମାନଙ୍କୁ ଡିସେମ୍ବରରୁ ଫେବ୍ରୁଆରି ମଧ୍ୟରେ ଏବଂ ନୃତ୍ୟ କଳାକାଙ୍କୁ ଫେବ୍ରୁଆରିରୁ ମେ’ ମଧ୍ୟରେ ବଇନା ମିଳେ। ଏଥର ବଇନା ମିଳିବା ବେଳକୁ ଲକ୍‌ଡାଉନ ହୋଇଯିବାରୁ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା। ନୃତ୍ୟଶିଳ୍ପୀମାନଙ୍କର ଏହି ଦୁଃସ୍ଥିତିର ସୁଯୋଗ ନେଇଥିଲେ କିଛି ମଧ୍ୟସ୍ଥି। ଉତ୍ତରପ୍ରଦେଶ ଓ ବିହାରକୁ ନେଇ ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମରେ କାମ ଯୋଗାଇ ଦେଲେ। ହେଲେ ପାରିଶ୍ରମିକ ଦେବା ବେଳକୁ ଆଳ ଦେଖାଉଛନ୍ତି। ମାସ ମାସ ଧରି ଏପରି ସମସ୍ୟା ଯୋଗୁଁ ସେମାନେ ଘରକୁ ଫେରିବାକୁ ଚାହିଁଲେ ବି ଫେରିପାରୁନାହାନ୍ତି। ଯାତ୍ରା ମାୟାନଗରୀର ନୃତ୍ୟଶିଳ୍ପୀ ଜଗତସିଂହପୁର ଡେଙ୍ଗାପୋଲର ବାସିନ୍ଦା କୁନମୁନଲତା ରାଉତ କହିଛନ୍ତି, ଲକ୍‌ଡାଉନ ପରେ ଗାଁ’ରେ ଯାଇ ବିଲ ବାଡ଼ିରେ ମୁଗ ବାଛିଲି। ସେସବୁ କାମ ସରିଯିବା ପରେ ବସି ରହିଥିଲି।

ଜଣେ ବ୍ୟକ୍ତି ଗୋଟେ କାର୍ଯ୍ୟକ୍ରମରେ ନାଚିଲେ ୧୫ଶହ ଟଙ୍କା ମିଳିବ ବୋଲି କହି ମୋତେ ବିହାର ନେଇଆସିଲେ। ୨୦ ହଜାର ଟଙ୍କା ବଇନା ବି ଦେଲେ। ମାତ୍ର ଏବେ ଏଠି କାର୍ଯ୍ୟକ୍ରମ ବନ୍ଦ। ‌ଏଣେ ସମ୍ପୃକ୍ତ ବ୍ୟକ୍ତି କହୁଛନ୍ତି, କାର୍ଯ୍ୟକ୍ରମ ଆରମ୍ଭ ହେଲେ ଏବଂ ତୁମ ଟଙ୍କା ଶୁଝିଲେ ତୁମକୁ ଛଡ଼ାଯିବ। ତେଣୁ ୩ ମାସ ହେଲା ଏଠି ପଡ଼ି ରହିଛୁ। ଯାହା ଖାଦ୍ୟ ମିଳୁଛି ତାହା ପେଟକୁ ଅଣ୍ଟୁ ନାହିଁ। ଅନ୍ତତଃ ଘରକୁ ଫେରାଇ ନିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି। ସଂଘର ସଭାପତି ମିଟୁ ମାନସ କହିଛନ୍ତି, ଯାତ୍ରା ଜଗତରେ କିଛି ଅଣ ଯାତ୍ରା କଳାକାର ନିଜକୁ ନେତା ସଜାଇ ଆମକୁ ଅଣକଳାକାର ବୋଲି କହୁୁଛନ୍ତି। ଆମ ଦୁଃଖକୁ କେହି ସରକାରଙ୍କ ପାଖେ ଉପସ୍ଥାପନ କରିନାହାନ୍ତି। ସରକାର ଓ ଯାତ୍ରା ମାଲିକଙ୍କ ସହଯୋଗରେ ବାହାରେ ବନ୍ଧା ପଡ଼ିଥିବା ଯାତ୍ରା ନୃତ୍ୟଶିଳ୍ପୀଙ୍କୁ ଫେରାଇ ଆଣିବା ସହ ଯାତ୍ରା ନୃତ୍ୟଗୁରୁ ଓ ନୃତ୍ୟଶିଳ୍ପୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

The post ରାଜ୍ୟ ବାହାରେ ମଜୁରି ଖଟୁଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ: ବଇନା ନେଇ ବନ୍ଧା ପଡ଼ିଛନ୍ତି, ନିର୍ଯାତିତ ହେଉଛନ୍ତି first appeared on Sambad.



from ରାଜ୍ୟ – Sambad https://ift.tt/3pqIMMp

Post a Comment

0 Comments