
କଟକ: ଅଦାଲତ କାର୍ଯ୍ୟରେ ଖୁବ୍ଶୀଘ୍ର ଏ-୪ ସାଇଜର କାଗଜ ବ୍ୟବହାର ହେବାର ସମ୍ଭାବନା ରହିଛି। ହାଇକୋର୍ଟ ସହିତ ରାଜ୍ୟର ସମସ୍ତ ନିମ୍ନ ଅଦାଲତ (ସବ୍-ଅର୍ଡିନେଟ୍ କୋର୍ଟ), ଟ୍ରିବୁନାଲରେ ଏ-୪ କାଗଜ ବ୍ୟବହାର ପ୍ରସଂଗକୁ ନେଇ ଦାୟର ମାମଲାର ରାୟରୁ ଏପରି କଥା ସ୍ପଷ୍ଟ ହୋଇଛି। ହାଇକୋର୍ଟଙ୍କ ପ୍ରଶାସନିକ ବ୍ୟବସ୍ଥାରେ ଏହି ପ୍ରସଂଗ ରହିଥିବା ବେଳେ ଏ ନେଇ ପଦକ୍ଷେପ ନିଆଯାଉଛି ବୋଲି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଛି। ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଭଳି ସ୍ଥିତିରେ ଏ-୪ କାଗଜ ବ୍ୟବହାର ସଂପର୍କିତ ମାମଲକୁ ବିଚାରାଧୀନ ରଖିବା ଅନାବଶ୍ୟକ ବୋଲି ଖଣ୍ଡପୀଠ କହିବା ସହିତ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ସାଧାରଣ ଭାବେ ଅଦାଲତି କାର୍ଯ୍ୟରେ ଫୁଲ୍ସ୍କାପ୍ ବା ଲିଗାଲ ସାଇଜ କାଗଜ ବ୍ୟବହାର କରାଯାଉଥିବା ବେଳେ ଆକାରରେ ଛୋଟ ଏ-୪ କାଗଜ ବ୍ୟବହାର ସପକ୍ଷରେ କେତେକ ମତ ଦେଇଥିଲେ। ଅଦାଲତରେ ସାଧାରଣ ଭାବେ ଫୁଲସ୍କାପ୍ କାଗଜର ଗୋଟିଏ ପାର୍ଶ୍ବରେ ଲେଖାଥାଇ ବା ପ୍ରିଣ୍ଟ କରାଯାଇ ଆବେଦନ, ଜବାବ ଓ ସତ୍ୟପାଠ ଦାଖଲ କରାଯାଉଛି। ଏଭଳି କରାଯିବା ଦ୍ବାରା ବହୁତ କାଗଜ ଖର୍ଚ୍ଚ ହେଉଛି। ଅଦାଲତି କାର୍ଯ୍ୟରେ ଏ-୪ କାଗଜ ବ୍ୟବହାର ଓ ଏପରି କାଗଜର ଉଭୟ ପାର୍ଶ୍ବରେ ପ୍ରିଣ୍ଟ ଦ୍ବାରା କାଗଜ ଖର୍ଚ୍ଚ କମିବ ବୋଲି ମତ ପ୍ରକାଶ ପାଇଥିଲା। ଓଡ଼ିଶାରେ ମଧ୍ୟ ଅଦାଲତି କାର୍ଯ୍ୟରେ ଏ-୪ କାଗଜ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆଇନଜୀବୀ ପି.ଏସ.ଚନ୍ଦ୍ରଲେଖା ଓ ସ୍ବୟଂସିଦ୍ଧା ମହାନ୍ତି ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଥିଲେ।
The post ଜନସ୍ବାର୍ଥ ମାମଲାରେ ପୂର୍ଣ୍ଣଚ୍ଛେଦ, ଅଦାଲତରେ ଏ-୪ ସାଇଜ କାଗଜ ବ୍ୟବହାର ହେବ first appeared on Sambad.
from ରାଜ୍ୟ – Sambad https://ift.tt/37xbBAL
0 Comments