
ଭୁବନେଶ୍ୱର, : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ (ଯୁକ୍ତ୨) ଶ୍ରେଣୀ ପରୀକ୍ଷା ବିଳମ୍ବ ହେବ। ଫେବ୍ରୁଆରି ଓ ମାର୍ଚ୍ଚ ମାସରୁ ଆରମ୍ଭ ହେଉଥିବା ଉକ୍ତ ଦୁଇ ପରୀକ୍ଷା ଏପ୍ରିଲ କିମ୍ବା ମେ’ ମାସରେ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଯଦି ସବୁ କିଛି ଠିକ୍ ଠାକ୍ ଚାଲେ, ତେବେ ପୂର୍ବବର୍ଷଗୁଡ଼ିକ ପରି ଏଥର ବି ଅଫ୍ଲାଇନ୍ରେ ଉଭୟ ବୋର୍ଡ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ। ତେବେ ୩ରୁ ୪ ମାସ ଧରି କ୍ଲାସ ରୁମ୍ ପାଠପଢ଼ା ହେବା ପରେ ଯାଇ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା କରାଯିବ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା କେଉଁ ପ୍ରକ୍ରିୟାରେ ହେବ, ତାହାକୁ ନେଇ ବହୁ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ରହିଛନ୍ତି। କରୋନା ସଂକ୍ରମଣ ଲାଗି ରହିଥିବାରୁ ଉକ୍ତ ଦୁଇ ବୋର୍ଡ ପରୀକ୍ଷା ଅନ୍ଲାଇନ୍ରେ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଛୁ ଯେ କେନ୍ଦ୍ରୀୟ ବୋର୍ଡ ସିବିଏସ୍ଇ ଦ୍ବାରା ପରିଚାଳିତ ପରୀକ୍ଷାଗୁଡ଼ିକ ଏଥର ବି ଅଫ୍ଲାଇନ୍ରେ ହେବ। ଏନେଇ ସିବିଏସ୍ଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ଆମେ ବି ଅଫ୍ଲାଇନ୍ରେ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛୁ। ତେବେ କେବେ ପରୀକ୍ଷା ହେବ, ସେନେଇ ଏପର୍ଯ୍ୟନ୍ତ କିଛି ବି ସ୍ଥିର ହୋଇନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାହା ନିର୍ଦ୍ଦେଶ ଦେବେ, ସେହି ଅନୁଯାୟୀ ପଦକ୍ଷେପ ନିଆଯିବ। ତେବେ ପରୀକ୍ଷା କରିବା ପୂର୍ବରୁ ୩ ମାସ ଧରି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ହେବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ୟୁଟ୍ୟୁବ୍ରେ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି। ଅନ୍ଲାଇନ୍ରେ ସମସ୍ତ ସୁବିଧା ଉପଲବ୍ଧ ହୋଇଛି। ଶିକ୍ଷକ/ଶିକ୍ଷୟିତ୍ରୀ ବି ଦିନରାତି ଏକ କରି ଯେତେଦୂର ସମ୍ଭବ ପିଲାଙ୍କୁ ପଢ଼ାଉଛନ୍ତି। ତେଣୁ ଛାତ୍ରଛାତ୍ରୀ ପାଠପଢ଼ା ଉପରେ ମନୋନିବେଶ କରନ୍ତୁ ଏବଂ ପରୀକ୍ଷା ଲାଗି ପ୍ରସ୍ତୁତ ରୁହନ୍ତୁ।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନସ୍ତରରେ ଘନଘନ ବୈଠକ ହେବା ପରେ ଡିସେମ୍ବର ମାସରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାର ବହୁତ ସମ୍ଭାବନା ସୃଷ୍ଟି ହୋଇଛି। ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ଡିସେମ୍ବର ମାସରେ ଆସିଥିବା ଗାଇଡ୍ଲାଇନ୍କୁ ଆଧାର କରି ଗଣଶିକ୍ଷା ବିଭାଗ ଏଭଳି ଯୋଜନା କରିଛି। କିନ୍ତୁ କେବେ ଖୋଲିବ, ତାହା ସ୍ଥିର ହୋଇ ନାହିଁ। ଏବେ କରୋନା ସଂକ୍ରମଣ ରାଜ୍ୟରେ ତଳମୁହାଁ ରହିଛି। ପ୍ରତିଦିନ ୫୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତାହାକୁ ଆଧାର କରି ପର୍ଯ୍ୟାୟକ୍ରମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ନେଇ ମତ ପ୍ରକାଶ ପାଇଛି। ଏଥିସହ ଉକ୍ତ ଦୁଇ ବୋର୍ଡ ପରୀକ୍ଷା ଲାଗି ଜାନୁଆରିରୁ ଫର୍ମପୂରଣ ଆରମ୍ଭ କରାଯିବ। ଫଳରେ ପିଲାଙ୍କର ୪ମାସ ପାଠପଢ଼ା ହେବା ସହ ଏପ୍ରିଲରେ ପରୀକ୍ଷା କରାଯାଇପାରିବ। ତେବେ ସବୁ କିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଗାଇଡ୍ଲାଇନ୍ ଉପରେ ନିର୍ଭର କରୁଛି। ସିବିଏସ୍ଇ ଓ ଆଇସିଏସ୍ସିଇ ବୋର୍ଡର କାର୍ଯ୍ୟସୂଚୀକୁ ଆଧାର କରି ଓଡ଼ିଶା ସରକାର ପଦକ୍ଷେପ ନେବେ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
The post ଅଫ୍ଲାଇନ୍ରେ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା, ଏପ୍ରିଲ ଓ ମେ’ରେ ପରୀକ୍ଷା ହେବାର ସମ୍ଭାବନା first appeared on Sambad.
from ରାଜ୍ୟ – Sambad https://ift.tt/3g9a1Yq
0 Comments