
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ୧୫ଟି ଅନ୍ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ (କେଜ୍ କଲଚର୍) ପାଇଁ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷି ଉଦ୍ୟୋଗୀମାନଙ୍କୁ ରାଜ୍ୟ ସରକାର ବାର୍ଷିକ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି। ଏହାଦ୍ବାରା ରାଜ୍ୟର ଚାଷୀ ଓ ଯୁବକମାନେ ବ୍ୟାପକ ଭାବରେ କୃଷି ଉଦ୍ୟୋଗ ସୃଷ୍ଟି କରିପାରିବେ। ଏହା ସହିତ କୋଭିଡ ସମୟରେ ଅନୁଷଙ୍ଗିକ କ୍ଷେତ୍ରଗୁଡିକ ପାଇଁ ରାଜ୍ୟ ସରକାର ୧୭୩ କୋଟି ଟଙ୍କାର କୋଭିଡ ପ୍ୟାକେଜ କାର୍ଯ୍ୟକାରୀ କରିଛନ୍ତି; ଯାହାଦ୍ବାରା ରାଜ୍ୟର ୪୪ ହଜାରରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି।
ତେବେ ବର୍ତମାନର ଅନ୍ଲାଇନ ସେବା ଦ୍ବାରା ମାଛ ଚାଷୀ ଓ ଉଦ୍ୟୋଗୀ ସରକାରୀ ଯୋଜନାର ଲାଭ ପାଇପାରିବେ। ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍ସ ପ୍ରାପ୍ତି ଆଦି ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ। ଏହି ଅବସରରେ ବୃହତ ଓ ମଧ୍ୟମ ଧରଣର ହ୍ରଦରେ କେଜ୍ କଲ୍ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ନୂତନ ନୀତି ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ରାଜ୍ୟର ବାର୍ଷିକ ମତ୍ସ୍ୟ ଉତ୍ପାଦନ ୧.୨୪ ଟନ୍ ବଢିପାରିବ ଏବଂ ରାଜ୍ୟରେ ମାଛର ସଂପୂର୍ଣ୍ଣ ଚାହିଦା ପୂରଣ ହୋଇପାରିବ। କେଜ୍ କଲ୍ଚର ଦ୍ବାରା ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ହେବ। ଜଳଭଣ୍ଡାର ଲିଜ୍ ରୟାଲଟିରୁ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଗୁଡିକ ଲାଭବାନ ହୋଇପାରିବେ।
ରାଜ୍ୟର ବୃହତ ଓ ମଧ୍ୟମ ଜଳଭଣ୍ଡାରର ୧% ଜଳଭାଗରେ ବ୍ୟାବସାୟିକ ଭାବରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ୬୦୦ଟି ସବ୍ ଜୋନ୍ ମଧ୍ୟରୁ ୧୦୦ଟି ସବ୍ ଜୋନରେ ଉଦ୍ୟୋଗୀ ମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଆଜି ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ଉଦ୍ୟୋଗୀଙ୍କ ସହିତ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ମାଛ ଚାଷ ନିମନ୍ତେ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁ, ସଚିବ ଆର୍ ରଘୁପ୍ରସାଦ ପ୍ରମୁଖ ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିସନର ଆର୍. କେ ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କେଜ୍ କଲ୍ଚର ମାଛ ଚାଷ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ଦୁଇ ଜଣ କେଜ୍ କଲ୍ଚର ଚାଷୀ ମାନଙ୍କ ମତାମତ ନିଆ ଯାଇଥିଲା।
The post ହୀରାକୁଦ ଜଳଭଣ୍ଡାର ମଧ୍ୟରେ ହେବ କେଜ୍ କଲ୍ଚର ମାଛ ଚାଷ first appeared on Sambad.
from ରାଜ୍ୟ – Sambad https://ift.tt/3ojB7Pm
0 Comments