ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ଟାଟା ପାୱାର ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର : ବନ୍ୟଜନ୍ତୁ ଓ ହାତୀମାନଙ୍କ ସୁରକ୍ଷାକୁ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍‌) ସର୍ବଦା ଗୁରୁତ୍ବ ଦେଇ ଆସୁଛି। ଏଥିପାଇଁ ଅନେକ ପଦକ୍ଷେପ ମଧ୍ୟ କମ୍ପାନି ନେଇଛି। ବନ୍ୟଜନ୍ତୁ ଓ ହାତୀମାନେ ଯେଭଳି ବିଦ୍ୟୁତ୍‌ ଆଘାତ ଜନିତ ସମସ୍ୟାର ସମ୍ମୁଖୀନ ‌ନହେବେ ସେଥିପାଇଁ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲଥ) ପକ୍ଷରୁ ଭୁବନେଶ୍ବରଠାରେ ଏକ ୨୪ ଘଣ୍ଟିଆ ହାତୀ ଯତ୍ନ ନିୟନ୍ତ୍ରଣ କକ୍ଷ ବା ଏଲିଫାଣ୍ଟ କେୟାର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହା ଫଳରେ ହାତୀମାନଙ୍କର ଚଳପ୍ରଚଳକୁ ଦେଖି ବିଦ୍ୟୁତ୍‌ ସରବରାହକୁ ବିଚ୍ଛିନ୍ନ କରାଯାଇ ପାରିବ। ଏଥିପାଇଁ ଏକ ସ୍ବତନ୍ତ୍ର ହ୍ବାଟ୍‌ସଆପ୍‌ ଗ୍ରୁପ୍ କରାଯାଇଛି। ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କଠାରୁ ହ୍ବାଟ୍‌ସଆପ୍‌ ମେସେଜ୍‌ ଆଧାରରେ ହାତୀ ଯତ୍ନ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟ କରିବ। ଟିପିସିଓଡିଏଲ୍‌ର ବିଦ୍ୟୁତ୍‌ ଲାଇନ ନିକଟବର୍ତ୍ତୀ ଅଞ୍ଚଳରେ ହାତୀଙ୍କ ସମ୍ଭାବ୍ୟ ଯାତାୟାତକୁ ଦେଖି ନିୟନ୍ତ୍ରଣ କକ୍ଷରୁ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ବିଦ୍ୟୁତ୍ କାଟ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଟିପିସିଓଡିଏଲ ପକ୍ଷରୁ କେତେକ ସ୍ଥାନରେ ଇନସୁଲେଟେଡ କଣ୍ଡକ୍ଟର ଲଗାଯାଇଛି। ଏଥିସହିତ ସିଇଏ ବା କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷଙ୍କ ନିୟମ ଅନୁଯାୟୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ତାରକୁ ଭୂପୃଷ୍ଠ ଠାରୁ ଆବଶ୍ୟକ ଉଚ୍ଚତାରେ ଟଣାଯାଇଛି।

ନିକଟରେ ଗୋଟିଏ ‌ହାତୀ ଏବଂ ବାର୍‌ହା ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିବା ସମ୍ପର୍କରେ ମଧ୍ୟ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ତଥ୍ୟରୁ ଯାହା ଜଣାପଡ଼ିଛି ଶିକାରୀଙ୍କ ଦ୍ବାରା ବେଆଇନ ଭାବେ ହୁକ ପକାଇ ବିଛାଯାଇଥିବା ତାରରେ ଏହି ଅଘଟଣ ଘଟିଛି। ଜଙ୍ଗଲ ବିଭାଗ ଦ୍ବାରା ଏହି ଶିକାରୀମାନେ ଗିରଫ ହୋଇଛନ୍ତି। ବେଆଇନ ହୁକ ପକାଇବା ଯୋଗୁ ହାତୀ ମୃତ୍ୟୁ ହୋଇଥିବା ବିଷୟକୁ ମଧ୍ୟ ସେମାନେ ସ୍ବୀକାର କରିଛନ୍ତି। ହାତୀ ମୃତ୍ୟୁ ସଂପର୍କରେ ଟିପିସିଓଡିଏଲ୍‌ର ସ୍ବତନ୍ତ୍ର ଟିମ୍‌ ଢେଙ୍କାନାଳ ଡିଏଫ୍‌ଓଙ୍କ ସହିତ ଆଲୋଚନା କରିଛନ୍ତି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଧିକ କ’ଣ ପଦକ୍ଷେପ ନିଆଯାଇ ପାରିବ ସେ ଦିଗରେ ପଦକ୍ଷେପ ନିଆଯିବ। ବନ୍ୟଜନ୍ତୁଙ୍କ ସୁରକ୍ଷା କ୍ଷେତ୍ରରେ ଯେଭଳି କୌଣସି ସାଲିସ ହେବ ନାହିଁ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଡିଏଫ୍‌ଓ ଏ ନେଇ ଗୁରୁତ୍ବପୂର୍ଣ୍ଣ ପରାମର୍ଶମାନ ଦେଇଛନ୍ତି। ତାହା ଆଧାରରେ ହାତୀମାନଙ୍କ ଯାତାୟାତର ଅନୁଧ୍ୟାନ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ହାତୀ ଓ ଅନ୍ୟ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ପାଇଁ ଟିପିସିଓଡିଏଲ୍‌ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ବୋଲି କହିଛି।

The post ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ଟାଟା ପାୱାର ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ first appeared on Sambad.



from ରାଜ୍ୟ – Sambad https://ift.tt/3gdvT4Q

Post a Comment

0 Comments