ବୁଗୁଡ଼ା: ଟାଙ୍କି ଅଛି, ପାଣି ନାହିଁ; ୧୦ ମାସ ହେଲା ୨୦୦୦ ଲୋକ ଡହଳବିକଳ

ବୁଗୁଡ଼ା: ଟାଙ୍କି ଅଛି। ହେଲେ ଲୋକଙ୍କୁ ବୁନ୍ଦାଏ ପାଣି ମିଳୁନି। ୧୦ ମାସ ହେଲା ‌ପାଣି ପାଇଁ ୨ହଜାର ଲୋକ ଡହଳବିକଳ ବି ହେଉଛନ୍ତି। କିନ୍ତୁ ପ୍ରଶାସନ ସବୁ କିଛି ଜାଣି ବି ନଜାଣିବା ଭଳି ରହିଛି। ଏହି ଚିତ୍ର ହେଉଛି, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଗୋଲିଆ ପଞ୍ଚାୟତ ଅଧୀନ ଚିରିକିପଡ଼ା ଗ୍ରାମରେ।

ବସୁଧା ଯୋଜନାରେ ଚିରିକିପଡ଼ା ନିକଟ ସୀତାରାମପଲ୍ଲୀ ଠାରେ ୨୦୧୬ ମସିହାରେ ୭୫ ହଜାର ଲିଟର କ୍ଷମତାସଂପନ୍ନ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଓଭରହେଡ୍ ଟାଙ୍କି ସହ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ୍ ନିର୍ମାଣ ହୋଇଥିଲା। ଘରୋଇ ସଂଯୋଗ ବି ଯୋଗାଇଦିଆଯାଇଥିଲା। ହେଲେ ଦୁଃଖର କଥା ହେଲା, ଦୀର୍ଘ ୧୦ ମାସ ହେଲା ପାଣି ଆସୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପାଣି ଟାଙ୍କି ଉପରେ ଚିରିକିପଡ଼ା, ସୀତାରାମପଲ୍ଲୀ ଓ ଡିମ୍ବିରିସାହି ଗ୍ରାମର ୪ଟି ୱାର୍ଡର ପ୍ରାୟ ଦୁଇ ହଜାର ଜନସାଧାରଣ ନିର୍ଭର କରୁଛନ୍ତି। କିନ୍ତୁ ଟାଙ୍କି ତିଆରି ହେବାର ୪ ବର୍ଷ ମଧ୍ୟରେ ୩ ଥର ଜଳଯୋଗାଣ ବାଧାପ୍ରାପ୍ତ ହେଉଛି। ଏବେ ଦୀର୍ଘ ମାସ ହେଲା ଜଳଯେଗାାଣ ବନ୍ଦ ହୋଇ ଥିବାରୁ ପାଇପ୍‌ଲାଇନ୍ ଗୁଡ଼ିକ ବିଭିନ୍ନ ସ୍ଥାନରେ ଫାଟି ଯାଇଥିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଲଟାବୁଦା ମାଳି ଖରାପ ହେବାକୁ ବସିଲାଣି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ମୋଟର ପୋଡ଼ିଯାଇଛି କହି ବାରମ୍ବାର ଧ୍ୟାନ ଦେଉନାହାନ୍ତି। ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବ ଶୀଘ୍ର ଟେଣ୍ଡର ବାହାର କରାଯାଇ କାମ ଆରମ୍ଭ ହେବ।

The post ବୁଗୁଡ଼ା: ଟାଙ୍କି ଅଛି, ପାଣି ନାହିଁ; ୧୦ ମାସ ହେଲା ୨୦୦୦ ଲୋକ ଡହଳବିକଳ first appeared on Sambad.



from ରାଜ୍ୟ – Sambad https://ift.tt/39I6Be5

Post a Comment

0 Comments