ଓବିସି, ଏସ୍‌ଇବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଅ : ଧର୍ମେନ୍ଦ୍ର

କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ସୁବିଧା ଦେଇଛନ୍ତି

ଭୁବନେଶ୍ୱର : ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ଏକ ସଂକଳ୍ପ କ୍ୟାବିନେଟରେ ପାରିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଶ୍ରୀ ପ୍ରଧାନ ପୂର୍ବରୁ ମଧ୍ୟ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

କେନ୍ଦ୍ର ମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି‌ ଯେ ତାଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ଫେବ୍ରୁଆରି ୧୨,୨୦୨୦ରେ ବ୍ୟାକ୍‌ୱାର୍ଡ କ୍ଲାସ୍‌ କମିସନ୍‌ ଗଠନ କରିଛନ୍ତି। ମାତ୍ର ଏହି କମିସନ୍‌ର ରିପୋର୍ଟ ଏ ପର୍ଯ୍ୟନ୍ତ ଦାଖଲ ହୋଇ ନ ଥିବା ବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣର ଅନୁରୋଧ କାର୍ଯ୍ୟକାରୀ ହୋଇ ନାହିଁ। ତେବେ ଓଡ଼ିଶା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଓବିସି ଓ ଏସ୍‌ଇବିସି ଜନସଂଖ୍ୟା ସପକ୍ଷରେ ନିଶ୍ଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସ୍‌ଇବିସି ବର୍ଗ। ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ସେଥି ପାଇଁ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରି ନାହିଁ। କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡ଼ୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟଗୁଡ଼ିକ ମଧ୍ୟ ଏହି ଜାତିର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତେବେ ଓଡ଼ିଶାରେ ଓବିସି ଓ ଏସ୍‌ଇବିସି ପାଇଁ ଏଭଳି ସକରାତ୍ମକ ପଦକ୍ଷେପ ନେବାରେ ରାଜ୍ୟ ସରକାରଙ୍କ ବିଳମ୍ବ ପରିଲକ୍ଷିତ ହୋଇଛି। ଏହି ବର୍ଗର ଲୋକମାନଙ୍କୁ ସଂରକ୍ଷଣ ନ ଦିଆଯାଇ ରାଜ୍ୟରେ ସାମାଜିକ – ଅର୍ଥନୈତିକ ବିକାଶର ସମନ୍ୱୟକୁ ଧରି ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଓଡ଼ିଶାର ବୃହତ ଅବ‌େହଳିତ ସମାଜ ଓବିସି ଏବଂ ଏସ୍‌ଇବିସି ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗ୍ରାଧିକାର ପ୍ରଦାନ କରିବା ଏବଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

The post ଓବିସି, ଏସ୍‌ଇବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଅ : ଧର୍ମେନ୍ଦ୍ର first appeared on Sambad.



from ରାଜ୍ୟ – Sambad https://ift.tt/3806F7z

Post a Comment

0 Comments