
ପୁରୀ: ଭକ୍ତଙ୍କୁ ଶହେରୁ ଦେଢ଼ଶହ ଟଙ୍କାରେ ମିଳିବ ରହିବା ସୁବିଧା। ଶ୍ରୀମନ୍ଦିର ପ୍ରଶାସନ ବାସେଳିସାହି ଥାନା ନିକଟରେ ପ୍ରାୟ ୧୦ ଏକର ଜାଗାରେ ଏଥି ପାଇଁ ସ୍ବତନ୍ତ୍ର କୋଠା ନିର୍ମାଣ କରିବ। କିଛି ଦିନ ତଳେ ଏହି ଘୋଷଣା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର। ଏଥି ପାଇଁ ଅନେକ ପ୍ରଶଂସା ସାଉଁଟିଥିଲା ମନ୍ଦିର ପ୍ରଶାସନ। କିନ୍ତୁ ପ୍ରକୃତ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଯେଉଁ ଭକ୍ତ ନିବାସ କଥା ଶ୍ରୀମନ୍ଦିର ପ୍ରଶାସନ କହୁଛି, ତାହା ପୂର୍ବରୁ ବି ହୋଇ ସାରିଛି। କିନ୍ତୁ ଏଠାରେ ଭକ୍ତ ବର୍ଷ ବର୍ଷ ଧରି ଶୋଷିତ ହୋଇ ଆସୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ପକେଟ୍ ଖାଲି କରି ଫେରୁଛନ୍ତି। ଭକ୍ତ ନିବାସରେ ଭକ୍ତଙ୍କୁ ସୁଲଭ ଦରରେ ରୁମ ମିଳିବା ସ୍ବପ୍ନ ପାଲଟିଛି। ଗରିବ ଭକ୍ତ ଆସିଲେ କାନମୁଣ୍ଡା ଆଉଁସି ଘରକୁ ଫେରୁଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ଉପରେ ତିନିଟି ଭକ୍ତ ନିବାସ ନିର୍ମାଣ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ଖୋଲିଥିବାବେଳେ ଟାଉନ୍ ଥାନା ନିକଟରେ ନୀଳାଚଳ ଓ ନୀଳାଦ୍ରି ଭକ୍ତ ନିବାସ ଖୋଲାଯାଇଛି। ବିସ୍ତୀର୍ଣ୍ଣ ଜାଗାରେ ବହୁତଳ କୋଠା ଠିଆ କରାଯାଇଛି। ଏହାର ପ୍ରମୁଖ ଲକ୍ଷ୍ୟ ଥିଲା ଭକ୍ତଙ୍କୁ ସୁଲଭ ଦରରେ ରହିବାର ସୁବିଧା ସାଙ୍ଗକୁ ମହାପ୍ରଭୁଙ୍କ ଦର୍ଶନ ସୁବିଧା ଯୋଗାଇ ଦେବା। କିନ୍ତୁ ପ୍ରକୃତସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଏହି ତିନି ଭକ୍ତ ନିବାସର ରୁମ୍ ଭଡ଼ା ଦେଖିଲେ ଏହା ଗରିବଙ୍କ ପାଇଁ ନୁହେଁ, ବଡ଼ବଡ଼ିଆଙ୍କ ପାଇଁ ପ୍ରଯୁଜ୍ୟ ଥିବା ସ୍ପଷ୍ଟ।
ତିନି ଭକ୍ତ ନିବାସ ପାଇଁ ରୁମ୍ ଭଡ଼ା ଭିନ୍ନ ଭିନ୍ନ ରହିଛି। ନୀଳାଦ୍ରି ଭକ୍ତ ନିବାସ ପାଇଁ ଭିଆଇପି ସୁଟ୍ (୩ଜଣ ରହିପାରିବେ) ରୁମ ଦର ୧୫୮୪ ଟଙ୍କା ରଖାଯାଇଛି। ସେହିଭଳି ଡିଲକ୍ସ ଏସି ପାଇଁ ୧୨୫୪, ସିଙ୍ଗଲ୍ ବେଡ୍(ଏସି) ୧୦୯୯ ଟଙ୍କା ଓ ନନ୍ ଏସି(୨ଜଣ) ୬୬୦ ଟଙ୍କା ରଖାଯାଇଛି। ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ଭିଆଇପି ସୁଟ୍ ଭଡ଼ା ୧୫୮୫ ଟଙ୍କା, ଡିଲକ୍ସ ଦର ୧୨୫୪ ଟଙ୍କା ଓ ନନ୍ ଏସି ଦର ୬୬୦ ଟଙ୍କା ରଖାଯାଇଛି। ନୀଳାଚଳ ଭକ୍ତ ନିବାସରେ ଭିଆଇପି ସୁଟ୍ ୧୫୮୫ ଟଙ୍କା, ଡିଲକ୍ସ ୧୨୫୪ ଟଙ୍କା, ନନ୍ ଏସି ୫ଜଣଙ୍କ ପାଇଁ ୯୯୦ ଟଙ୍କା ଓ ୭ ଜଣଙ୍କ ପାଇଁ ୧୩୮୬ ଟଙ୍କା ରଖାଯାଇଛି। ଏହାବାଦ୍ ହଜାରେ ଟଙ୍କା ଉପରେ ଜିଏସଟି ବି ଲାଗୁ କରାଯାଉଛି। ଜନ୍ମଦିନ, ବ୍ରତ ଆଦି କାର୍ଯ୍ୟକ୍ରମ ପାଇଁ ବି ଭିନ୍ନ ଭିନ୍ନ ଦର ରଖାଯାଇଛି। ଭକ୍ତ ନିବାସ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଏହି ଦର କୌଣସି ବଡ଼ ହୋଟେଲ୍ଠାରୁ କମ୍ ନୁହେଁ।
ବଡ଼ ବଡ଼ ହୋଟେଲ ବି ରୁମ୍ ପିଛା ଏହି ଦର ନେଇ ଭକ୍ତ ତଥା ପର୍ଯ୍ୟଟକଙ୍କୁ ରଖୁଛନ୍ତି। ଏଭଳି ସ୍ଥିତିରେ ବଡ଼ଦାଣ୍ଡ ଭଳି ପ୍ରମୁଖ ସ୍ଥାନରେ ସରକାରୀ ଜାଗା ନେଇ ଭକ୍ତଙ୍କ ନାଁରେ ଏତେ ବଡ଼ ବଡ଼ କୋଠା ନିର୍ମାଣର ଲକ୍ଷ୍ୟ କ’ଣ ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି। ଭକ୍ତ ନିବାସ ଥିଲେ ବି ଏହାକୁ ସଂପୂର୍ଣ୍ଣ ବ୍ୟବସାୟୀକରଣ କରି ଦିଆଯାଇଛି। ସେବା ନୁହେଁ, ଲାଭ ଆଶାରେ ଦୌଡ଼ୁଛି ଶ୍ରୀମନ୍ଦିର ପ୍ରଶାସନ। ଯାହା ଭକ୍ତଙ୍କ ମହଲରେ ନିରାଶା ଭରି ଆସୁଛି। ଏଭଳି ସ୍ଥିତିରେ ଶହେ ଟଙ୍କାରେ ଭକ୍ତଙ୍କୁ ରୁମ୍ ଦେବା ଯୋଜନା ନିଶ୍ଚିତ ପ୍ରହେଳିକା ପାଲଟିବ ବୋଲି ମତପ୍ରକାଶ ପାଇଛି। ଯଦି ସୁଲଭ ମୂଲ୍ୟରେ ଭକ୍ତଙ୍କୁ ରୁମ୍ ଦେବାର ଅଛି, ଆଗ ଏହି ତିନି ଭକ୍ତ ନିବାସ କଥା ବିଚାରକୁ ନିଆଯାଉ। ପରେ ଅନ୍ୟ ପ୍ରକଳ୍ପ କଥା ସରକାର ଅବା ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରିବ ବୋଲି ଭକ୍ତମାନେ ମତ ଦେଇଛନ୍ତି।
The post ଶହେ ଟଙ୍କିଆ ରହଣି; କେତେ ବାସ୍ତବ? ଏବେ ଭକ୍ତ ନିବାସ ଦର ବଡ଼ ହୋଟେଲ ଠାରୁ କମ୍ ନୁହେଁ first appeared on Sambad.
from ରାଜ୍ୟ – Sambad https://ift.tt/3mMHlG9
0 Comments