କୋଭିଡ୍ ପାଇଁ ନିଯୁକ୍ତ ଠିକା କର୍ମଚାରୀଙ୍କୁ ଛଟେଇ ମାମଲା : ପ୍ରଥମେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ମିଳିବ

କଟକ : କୋଭିଡ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ଡାକ୍ତରଖାନାରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏପରି କର୍ମଚାରୀଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖ ପରେ ଆଉ ନ ବଢାଇବା ପାଇଁ ସରକାର ୨୦୨୦, ଡିସେମ୍ବର ୨୨ରେ ନିଷ୍ପତ୍ତି ନେଇଥିବାବେଳେ ଜିଲ୍ଲା ପ୍ରଶାସନ ଚାହିଁଲେ ୨୫ ପ୍ରତିଶତ କର୍ମଚାରୀଙ୍କୁ ରଖିପାରିବେ ବୋଲି ଏ ସଂପର୍କିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କୋଭିଡ ମୁକାବିଲା ପାଇଁ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ କାର୍ଯ୍ୟକାଳ ବୃଦ୍ଧି ସମୟରେ ପ୍ରଥମେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁବ୍ୟକ୍ତି ପ୍ରଥମେ ନିଯୁକ୍ତି ପାଇଥିବେ ତାଙ୍କୁ ରଖାଯିବା ପ୍ରସଂଗକୁ ବିଚାର ନିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି।

କୋଭିଡ ମୁକାବିଲା ପାଇଁ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ରଖିବା ପ୍ରସଂଗରେ ବିଚାର କରିବାବେଳେ ସବୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ ପ୍ରଥମେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବେ। ଯଦି ଦୁଇ ଜଣ କର୍ମଚାରୀ ସମାନ ଅବସ୍ଥାରେ ରୁହନ୍ତି ତେବେ ମେଧା ତାଲିକାର ଉପର ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧, ଜାନୁଆରି ୬କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଏସ.କେ.ମିଶ୍ରଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏସ.ଏନ.ମିଶ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

The post କୋଭିଡ୍ ପାଇଁ ନିଯୁକ୍ତ ଠିକା କର୍ମଚାରୀଙ୍କୁ ଛଟେଇ ମାମଲା : ପ୍ରଥମେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ମିଳିବ first appeared on Sambad.



from ରାଜ୍ୟ – Sambad https://ift.tt/3hyYwdw

Post a Comment

0 Comments