ମାଲକାନଗିରି: ମଲକାନଗିରି ଜିଲ୍ଲାର ନକ୍ସଲ ପ୍ରବଣ ଭାବେ ପରିଚିତ ସ୍ବାଭିମାନ ଅଂଚଳରେ ଆଶାର ଆଲୋକ ପାଲଟଛନ୍ତି ମାଲକାନଗିରି ଜିଲ୍ଲାର ମଲାଲା କୁସମଣି। ନକ୍ସଲଙ୍କ ରାଜଧାନୀ କୁହାଯାଉଥିବା ଗୋରାସେତୁ ଗ୍ରାମର ଖସପତି ଖିଲ ଏବଂ ଚନ୍ଦ୍ରମା ଖିଲଙ୍କ ସାତ ଜଣ ପୁଅ ଝିଅଙ୍କ ମଧ୍ୟରେ କୁସୁମଣି ଜଣେ। ପିଲାଟି ଦିନରୁ ପାଠ ପ୍ରତି ପ୍ରବଳ ଆଗ୍ରହ ଥିବା ଯୋଗୁଁ ପରିବାର ଲୋକେ ମଧ୍ୟ ତାଙ୍କୁ ପାଠ ପଢିବାରେ ସହଯୋଗ କରିଥିଲେ। ଏବେ ଖୁସମଣି ବାଲିମେଳା କଲେଜରେ ଯୁକ୍ତ ତିନିର ତୃତୀୟ ବର୍ଷର ଛାତ୍ରୀ। ଗୋରାସେତୁ ଅଂଚଳକୁ ନକ୍ସଲ ନିଜର ରାଜଧାନୀ କରିଥିବା ବେଳେ ଅଂଚଳରେ ନକ୍ସଲଙ୍କ କୋକୂଆ ଭୟ ରହିଥିଲା। ତେଣୁ ପିଲାମାନେ ସ୍କୁଲ ଏବଂ ଅଂଗନବାଡି ଯିବାକୁ ମଧ୍ୟ ଭୟ କରୁଥିଲେ। ଏହି ଅଂଚଳର ପିଲା ପାଠ ପଢିବାକୁ ବାହାର ହୋଷ୍ଟେଲରେ ରହି ପଢୁଥିଲେ ସିନା ଗାଁରେ ପାଠର କୌଣସି ସୁବିଧା ନଥିଲା। ଏବେ ଧିରେ ଧିରେ ବିଏସଏଫ ଗୋରାସେତୁକୁ ମଧ୍ୟ ନିକ କବଜାକୁ ନେବା ପରେ ଏହି ଅଂଚଳରେ ଲୋକେ ସ୍ବଚ୍ଛନ୍ଦରେ ଘୁରିବୁଲିପାରୁଛନ୍ତି ଏବଂ ପିଲାଙ୍କୁ ପାଠ ପଢାଇବାକୁ ଇଛା ପ୍ରକଟ କରିଛନ୍ତି। ଆଜି ପର୍ଯ୍ୟନ୍ତ ପିଲାଙ୍କ ପାଠ ପଢାରେ ଡୋରି ବନ୍ଦା ହୋଇଥିଲା।
କିନ୍ତୁ କୁସୁମଣି ଏବେ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଗାଁରେ ସ୍କୁଲ କିମ୍ବା ଅଂଗନବାଡି କେନ୍ଦ୍ରର ଅବସ୍ଥା ଠିକ ନଥିବା ବେଳେ ପ୍ରଶାସନ କିମ୍ବା ସରକାର ଏନେଇ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଥିଲା। କରୋନା ମହାମାରୀ ପଢାଉଛନ୍ତି ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଥିବା ଯୋଗୁଁ ସେ ଘରେ ରହି ଗୋରାସେତୁ ଅଂଚଳର ପିଲାଙ୍କୁ ଶିକ୍ଷାଦାନ ଦେବା ଆରମ୍ଭ କରିଛନ୍ତି। କୁସୁମଣି ପାଠ ପଢିଛନ୍ତି, ତେଣୁ ସେ ଜାଣିଛନ୍ତି ଶିକ୍ଷାର କେତେ ମହତ୍ବ ରହିଛି। ତେଣୁ ଏହି ଅଂଚଳର ପିଲାଙ୍କୁ ମଣିଷ କରିବା ପାଇଁ ସେ ଆଗେଇ ଆସିଛନ୍ତି। ପିଲାଙ୍କୁ ଭଙ୍ଗା ଦଦରା ସ୍କୁଲ ଗୃହରେ ବସାଇ ପାଠ ପଢାଉଛନ୍ତି। କେବଳ ପାଠ ନୁହେଁ ପିଲାଙ୍କୁ ଗୀତ, ନାଚ ସହ ଚିତ୍ରାଙ୍କନ ମଧ୍ୟ ଶିକ୍ଷାଉଛନ୍ତି। ବାଲିମେଳା କଲେଜରେ ପାଠ ପଢିବା ସହ କୁସୁମଣି ନାଚ ଗୀତର ମଧ୍ୟ ଶିକ୍ଷା ଲାଭ କରିଛନ୍ତି। ତେଣୁ ସେହି ଶିକ୍ଷାକୁ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳର ପିଲାଙ୍କୁ ଶିକ୍ଷାଦାନ କରି ଉଚ୍ଚ ଶିକ୍ଷିତ କରିବାର ଇଛା ପ୍ରକଟ କରିଛନ୍ତି। ଏବେ କୁସୁମଣି ସ୍ବାଭିମାନ ଅଂଚଳର ମଲାଲ ବୋଲି ପରିଚିତ ହେଉଛନ୍ତି। କେବଳ ପିଲାଙ୍କୁ ପାଠ ପଢାରେ ସୀମିତ ହୋଇ ରହିନାହିଁ।
ଗୋରାସେତୁ ଅଂଚଳରେ କିପରି ସ୍କୁଲ ଓ ଅଂଗନବାଡି କେନ୍ଦ୍ର ହେବ ସେନେଇ ପଦକ୍ଷେପ ଗ୍ରହଣ କରି ସଫଳ ହୋଇଛନ୍ତି। ଗତ ମାସକ ତଳେ ଗୋରାସେତୁ ଅଂଚଳକୁ ପୁଲିସ ଡିବି ଅଭୟ କୁମାର ଗସ୍ତ କରିଥିବା ବେଳେ କୁସୁମଣି ତାଂକୁ ଦେଖା କରି ଏହି ଅଂଚଳରେ ସୁରକ୍ଷା ଦେଉଥିବାରୁ ଧନ୍ୟବାଦ ଦେବା ସହ ଗ୍ରାମର ସମସ୍ୟା ସଂପର୍କରେ ମଧ୍ୟ କହିଥିଲେ। ପୁଲିସ ଡିଜି ଅଭୟ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ଡିଜିପି ଅଭୟ ଗ୍ରାମରେ ସ୍କୁଲର ମରାମତି କାମ ଆରମ୍ଭ କରିବା ସହ ନୂତନ ଅଂଗନବାଡି କେନ୍ଦ୍ର ମଧ୍ୟ ନିର୍ମାଣ କରାୟାଉଥିବା ଦେଖିବାକୁ ମିଳିଛି। କୁସୁମଣି ଆଦିବାସୀ ଝିଅ ହେଲେ ମଧ୍ୟ ତାଂକର ଓଡିଆରେ କଥାବାର୍ତ୍ତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ପଷ୍ଟ ଓଡିଆରେ ଭାଷଣ ଦେବା ଏବଂ ପାଠ ପଢାଇବା ଶୈଳୀ ଦେଖିଲେ ଯେ କେହି ବି ଚକିତ ହୋଇଯିବ। କୁସୁମଣି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବହୁ ପୁରସ୍କୃତ ହୋଇଥିବା ଦେଖିବାକୁ ମିଳିଛି।
ସ୍ବାଭିମାନ ଅଂଚଳର ପିଲା ଆଗକୁ ପଢିବେ ଏବଂ ବଢିବେ ବୋଲି ସେ ଶପଥ ନେଇଛନ୍ତି।ପିଲାମାନଙ୍କ କହିବା ହେଲା ଦିଦିଙ୍କ ପାଠ ପଢା ଆମକୁ ଭଲ ଲାଗୁଛି। ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ ପିଲାଙ୍କୁ ଏକତ୍ରୀତ କରି ପାଠ ପଢାଉଛନ୍ତି। ସେହିପରି ଗ୍ରାମବାସୀଙ୍କ କହିବା ହେଲା ଗ୍ରାମରେ ସ୍କୁଲ କିମ୍ବା ଅଂଗନବାଡି କିଛି ନଥିଲା। କୁସୁମଣିଙ୍କ ପ୍ରଚେଷ୍ଟାରେ ଆଜି ଏଠାରେ ବିକାଶ ଧାରା ଆଗେଇଛି। ଗୋରାସେତୁ ଅଂଚଳରେ ବିକାଶର ଧାରାକୁ ଆହୁରି ଆଗେଇ ନେଉଥିବା କୁସୁମଣିଙ୍କୁ ଯଦି ପ୍ରଶାସନର ସହଯୋଗ ମିଳିବ ତେବେ ଏହି ଅଂଚଳ ଆହୁରି ଆଗକୁ ବଢିବ ବୋଲି କୁହାଯାଇଛି।
The post ନକ୍ସଲ ପ୍ରବଣ ଗୋରାସେତୁରେ ଆଶାର ଆଲୋକ ଦେଖାଉଛନ୍ତି କୁସୁମଣି; ପିଲାଙ୍କୁ ନାଚ-ଗୀତ ସହ ପାଠ ପଢାଉଛନ୍ତି first appeared on Sambad.
from ରାଜ୍ୟ – Sambad https://ift.tt/2KmYDMx
0 Comments