୧୪ରେ ବର୍ଷର ଶେଷ ସୂର୍ଯ୍ୟୋପରାଗ, ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହେବ ପରାଗ

ଭୁବନେଶ୍ୱର : ଆସନ୍ତା ୧୪ ତାରିଖରେ ବର୍ଷର ଶେଷ ସୂର୍ଯ୍ୟୋପରାଗ ସଂଘଟିତ ହେବ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ସମୟରେ ପୂର୍ଣ୍ଣ ପରାଗ କେବଳ ଚିଲ୍ଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ପରାଗ ଅଧିକାଂଶ ଅଂଚଳ ସମୁଦ୍ର ମଧ୍ୟ ଦେଇ ଯିବ।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ମୁତାବକ, ସୂର୍ଯ୍ୟୋପରାଗ ସନ୍ଧ୍ୟା ୭ଟା ୩ ମିନିଟରେ ଆରମ୍ଭ ହୋଇ ରାତି ୧୨ଟା ୩୦ରେ ଶେଷ ହେବ। ରାତି ୯ଟା ୪୩ ମିନିଟରେ ଏହା ସର୍ବାଧିକ ସଂଘଟିତ ହେବ। ତେବେ ଭିନ୍ନଭିନ୍ନ ସ୍ଥାନରେ ସୂର୍ଯ୍ୟୋପରାଗ ଆରମ୍ଭ, ଶେଷ ଓ ସର୍ବାଧିକ ସମୟ ଭିନ୍ନ ରହିବ। ପରାଗ ପରିମାଣରେ ବି ଭିନ୍ନତା ଦେଖାଯିବ। ଯେକୌଣସି ସ୍ଥାନରେ ପରାଗର ପରିମାଣ ଓ ସମୟ ଇଣ୍ଟରନେଟ ଓ ବିଭିନ୍ନ ଆପ୍‌ରୁ ସୂଚନା ପାଇହେବ। ୨୦୨୧ରେ ସଂଘଟିତ ହେବାକୁ ଯାଉଥିବା ୨ଟି ସୂର୍ଯ୍ୟୋପରାଗ ଭାରତରେ ଦେଖାଯିବ ନାହିଁ। ୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ପରବର୍ତୀ ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ।

ଡ. ପଟ୍ଟନାୟକ କହିଛନ୍ତି, ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ଏକ ସାଧାରଣ ଘଟଣା। ଏହା ଛାଇ ଆଲୁଅର ଏକ ଦୃଶ୍ୟ। ଏହା ପଛରେ ବୈଜ୍ଞାନିକ କାରଣ ରହିଥିବାରୁ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି।

The post ୧୪ରେ ବର୍ଷର ଶେଷ ସୂର୍ଯ୍ୟୋପରାଗ, ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହେବ ପରାଗ first appeared on Sambad.



from ରାଜ୍ୟ – Sambad https://ift.tt/3gHuCTN

Post a Comment

0 Comments