
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଅର୍ଥରେ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି। ଅଥଚ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ନାଁରେ ଶସ୍ତା ଲୋକପ୍ରିୟତା ଅର୍ଜନ କରୁଛନ୍ତି। ଏମିତି ଅଭିଯୋଗରେ ଆଜି ବିଜେପିର ରାଜ୍ୟବ୍ୟାପି ଆନ୍ଦୋଳନ ପରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାର ଲୋଗୋ ବଦଳାଇଛନ୍ତି। ପୂର୍ବରୁ ‘ପ୍ର ଆ ଯୋ’ ଲେଖାଯାଉଥିଲା ଓ ବିଜୁ ପକ୍କା ଘର ସମ୍ପୂର୍ଣ୍ଣ ଲେଖାଯାଉଥିଲା। ଏବେ କିନ୍ତୁ ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ବିଜୁ ପକ୍କାଘର ଯୋଜନା ସମ୍ପୂର୍ଣ୍ଣ ଭାବେ ଲେଖାଯାଇଥିବା ଓ ପ୍ରାଞ୍ଜଳ ଭାବେ ଛପାଥିବା ଷ୍ଟିକର୍ ଲାଗିବ। ଅର୍ଥାତ୍ ୨୦୧୪-୧୫ରୁ ଲାଗୁଥିବା ଲୋଗ ଆଉ ବ୍ୟବହାର ହେବନାହିଁ। ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସବୁ ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଡାକୁଆ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି କି, ନୂଆ ଲୋଗୋ ଥିବା ଷ୍ଟିକର ସମସ୍ତ ହିତାଧିକାରୀଙ୍କ ବାସଗୃହରେ ୨୦୨୧ ଫେବ୍ରୁଆରି ସୁଦ୍ଧା ଲଗାଯିବ। ଏ ସମ୍ପର୍କରେ ସମସ୍ତ ହିତାଧିକାରୀଙ୍କୁ ମଧ୍ୟ ଅବଗତ କରାଯିବ। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାସଗୃହ ସମ୍ପୂର୍ଣ୍ଣ ହୋଇଥିବା ଅଞ୍ଚଳରେ ହିତାଧିକାରୀମାନଙ୍କୁ ଚଳିତମାସ ୩୧ ତାରିଖ ସୁଦ୍ଧା ବାସଗୃହ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜଣାଇଛନ୍ତି।
The post ବଦଳିଲା ପକ୍କାଘର ଯୋଜନା ଲୋଗୋ first appeared on Sambad.
from ରାଜ୍ୟ – Sambad https://ift.tt/3aWH1Cz
0 Comments