ଆଜି ବୋର୍ଡର ଗୁରୁତ୍ବପୂର୍ଣ୍ଣ ସାଧାରଣ ପରିଷଦ ବୈଠକ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ବାର୍ଷିକ ସାଧାରଣ ପରିଷଦ ବୈଠକକୁ ସଦସ୍ୟ ଥିବା ବିଧାୟକମାନଙ୍କୁ ଡକାଯାଉନି। ବୋର୍ଡରେ ସଦସ୍ୟ ଥିବା ବିଧାୟକମାନେ ଏପରି ଗୁରୁତର ଅଭି‌ଯୋଗ ଉଠାଇବା ପରେ ଏହାର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଆସନ୍ତାକାଲି ବୋର୍ଡର ସାଧାରଣ ପରିଷଦ ବୈଠକ ପାଇଁ ମଧ୍ୟ ୩ ଜଣ ସଭ୍ୟ ବିଧାୟକଙ୍କୁ ସୂଚନା ଦିଆଯାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି।

ବୋର୍ଡ ପକ୍ଷରୁ ବର୍ଷକୁ ଦୁଇଟି ବାର୍ଷିକ ସାଧାରଣ ପରିଷଦ ବୈଠକ ଡକାଯିବାର ଅଧିନିୟମ ରହିଛି। ଚଳିତବ‌ର୍ଷ କିନ୍ତୁ ଜାନୁଆରିରେ ହେବାକୁ ଥିବା ବୈଠକ କରୋନା ପାଇଁ ବାତିଲ ହୋଇଥିବା ବେଳେ ଆସନ୍ତାକାଲି ସକାଳେ ଚଳିତବର୍ଷର ପ୍ରଥମ ସାଧାରଣ ପରିଷଦ ବୈଠକ ବସିବାର ରୂପରେଖ ପ୍ରସ୍ତୁତି ହୋଇଛି। ଏହି ବୈଠକରେ ବୋର୍ଡର ବାର୍ଷିକ ବଜେଟ୍‌, ମାଟ୍ରିକ୍ ପରୀକ୍ଷା ସମେତ ବୋର୍ଡ ପରିଚାଳନା କରୁଥିବା ଅନ୍ୟାନ୍ୟ ପରୀକ୍ଷା ପରିଚାଳନା, ନବମ, ଦଶମ ପାଠ୍ୟକ୍ରମ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବୋର୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବୋର୍ଡର ସିଲାବସ୍‌, ପରୀକ୍ଷା ପରିଚାଳନା ଭଳି ସମସ୍ତ ସବ୍‌କମିଟି ସଭ୍ୟଙ୍କ ସମେତ ସମସ୍ତ ଜିଲ୍ଲାଶିକ୍ଷାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବେ। ରାଜ୍ୟରେ ୧୨ଲକ୍ଷରୁ ଅଧିକ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଆହୂତ ‌ଏହି ‌ବୈଠକରେ ୩ଜଣ ବିଧାୟକ ସଭ୍ୟ ରହିବା ବ୍ୟବସ୍ଥା ଅଛି। ୨୦୧୯ମସିହାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ପଟାଙ୍ଗୀ ବିଧାୟକ ରଘୁରାମ ପଡ଼ାଲ, ଦେବଗଡ଼ ବିଧାୟକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ଓ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ବୋର୍ଡ ସଭ୍ୟ ଭାବେ ମନୋନୀତ କରାଯାଇଛି। କିନ୍ତୁ ବୋର୍ଡ ପକ୍ଷରୁ କୌଣସି ବୈଠକ ପାଇଁ ସେମାନଙ୍କୁ ନିମନ୍ତ୍ରଣ ଦୂର କଥା, ସୂଚନା ବି ଦିଆଯାଉନାହିଁ। ଏ ସଂକ୍ରାନ୍ତରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି ଯେ ବୋର୍ଡର ଆସନ୍ତାକାଲି ‌ବୈଠକ ବିଷୟରେ ସେ ଜାଣି ନାହାନ୍ତି। ‌ସେହିପରି ଦେବଗଡ଼ ବିଧାୟକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ, ୨୦୧୯ରୁ ଆମକୁ କେବଳ ସଭ୍ୟ ଭାବେ ରଖାଯାଇଛି। ବୋର୍ଡର କୌଣସି ବୈଠକକୁ ଆମକୁ ଡକାଯାଉନାହିଁ କି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବିଷ‌ୟରେ ଆମକୁ ସୂଚନା ବି ଦିଆଯାଉନାହିଁ।

The post ଆଜି ବୋର୍ଡର ଗୁରୁତ୍ବପୂର୍ଣ୍ଣ ସାଧାରଣ ପରିଷଦ ବୈଠକ first appeared on Sambad.



from ରାଜ୍ୟ – Sambad https://ift.tt/3mT7K5m

Post a Comment

0 Comments