
କଟକ: ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ପୁଣି କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। ଅଭିଯୁକ୍ତକୁ ଏଯାଏ କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତଦନ୍ତର ଅଗ୍ରଗତିକୁ ନେଇ ଷ୍ଟାଟସ୍ ରିପୋର୍ଟ ଡିସେମ୍ବର ୨୪ ପୂର୍ବରୁ ବନ୍ଦ ଲଫାପାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୪କୁ ଧାର୍ଯ୍ୟ କରିଛନ୍ତି। ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟ ଆଜି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ବନ୍ଦ୍ ଲଫାପାରେ ଦାଖଲ କରାଯାଇଥିଲା। ଏଥିସହିତ ଏହି ମାମଲାର ତଦନ୍ତ ଶେଷ କରିବାକୁ ଅଧିକ ସମୟ ଲୋଡ଼ା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପୂର୍ବ ନିର୍ଦ୍ଦେଶ ଅନୁସାରେ ତଦନ୍ତର ଅଗ୍ରଗତିକୁ ନେଇ ନୟାଗଡ଼ ଏସ୍ପି ସତ୍ୟପାଠ ଦାଖଲ କରି ନଥିବାରୁ ଖଣ୍ଡପୀଠ କ୍ଷୁବ୍ଧ ହୋଇଥିଲେ। ଜୁଲାଇ ମାସରୁ ଘଟଣା ଘଟିଲାଣି। ଡିସେମ୍ବର ୩ରେ ଏସ୍ଆଇଟିକୁ ଫଳପ୍ରଦ ଓ ତ୍ବରିତ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଭିତରେ ଦୁଇ ସପ୍ତାହ ବିତିବାକୁ ବସିଥିବା ବେଳେ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ପାରି ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହିତ ଏହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଥିଲେ।
ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାରେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ ବୋଲି ଆବେଦନକାରୀ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦର୍ଶାଇବା ସହିତ ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ଦଳର ମୁଖ୍ୟ ଏଡିଜି ଅରୁଣ ବୋଥ୍ରାଙ୍କ ସିଆରପିସିର ଧାରା ୩୬ ଅନୁସାରେ ପୁଲିସ କ୍ଷମତା ନାହିଁ ବୋଲି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସଆଇଟି ମୁଖ୍ୟ ଏବେ ଓଏସଆରଟିସି ଅଧ୍ୟକ୍ଷ ଥିବାରୁ ତାଙ୍କୁ କିଭଳି ଭାବେ ଏସଆଇଟି ମୁଖ୍ୟ ଭାବେ ଦାୟିତ୍ବ ଦିଆଗଲା ତାକୁ ନେଇ ଆଇନଜୀବୀ ମହାପାତ୍ର ପ୍ରଶ୍ନ ଉଠାଇଥିଲେ।
ସୂଚନାଯୋଗ୍ୟ ଯେ ଏହି ଘଟଣାରେ ପୁଲିସ ତଦନ୍ତ ଉପରେ ଭରସା ନାହିଁ, ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହି ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର ହେବା ସହିତ ଘଟଣାର ସିବିଆଇ ତଦନ୍ତ ଆଉ ପରୀର ବାପା-ମାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଉଭୟ ମାମଲାର ଏକତ୍ର ଶୁଣାଣି ଚାଲିଛି। ଗଲା ଜୁଲାଇ ୧୪ରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ଜୁଲାଇ ୨୩ରେ ପରୀର କେବଳ କେତେ ଖଣ୍ଡ ହାଡ଼, ଖପୁରି, ଦାନ୍ତ ଓ କେଶ ମିଳିଥିଲା। ପରୀର ହାତ ଗୋଡ, କିଡ଼ନି, ଆଖି ମିଳି ନଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତାର ଶବ ବାନ୍ଧି ପକାଇ ଦେଇଥିବା ସନ୍ଦେହ କରାଯାଇଥିଲା। ପରୀ ନିଖୋଜ ଘଟଣାକୁ ନେଇ ପରୀର ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଥାନାରେ ଜୁଲାଇ ୧୪ ତାରିଖରେ ଏତଲା ଦେଇଥିଲେ। କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଂଗରେ ପୁଲିସ କିଛି ପଦକ୍ଷେପ ଗ୍ରହଣ କରି ନଥିଲା। ପରୀର ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୋଧରେ ପରୀର ପରିବାର ସଦସ୍ୟ ଅଭିଯୋଗ କରିବା ପରେ ମଧ୍ୟ ପୁଲିସ କିଛି ପଦକ୍ଷେପ ଗ୍ରହଣ କରି ନଥିଲା। ଏହି ଘଟଣାରେ ଜଣେ ମନ୍ତ୍ରୀ ପରୀର ହତ୍ୟାକାରୀକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ଓ ପୁଲିସ ଚାପରେ ରହିଛି ବୋଲି ମାମଲାରେ ଦର୍ଶାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।
The post ହାଇକୋର୍ଟ କ୍ଷୁବ୍ଧ, କାହିଁକି ଗିରଫ ହୋଇନି ଅଭିଯୁକ୍ତ? first appeared on Sambad.
from ରାଜ୍ୟ – Sambad https://ift.tt/3r5RfWQ
0 Comments