ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ: ପ୍ରଶାସନର ଆଢୁଆଳରେ ଅଣଦେଖା ସଫଳ ଦିବ୍ୟାଙ୍ଗ

ଯାଜପୁର: ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ। ଦିବ୍ୟାଙ୍ଗମାନଙ୍କୁ ସଶକ୍ତିକରଣ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସଚେତନତା ଉ‌ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବହୁ ସମୟରେ ଦିବ୍ୟାଙ୍ଗମାନଙ୍କୁ ସବୁ କାର୍ଯ୍ୟ ପାଇଁ ଅକ୍ଷମ ବୋଲି ଆଲୋଚନା ହୁଏ। ତେଣୁ ସେମାନଙ୍କୁ ବହୁ ସ୍ଥାନରେ ଅବହେଳା ଓ ହୀନ ଚକ୍ଷୁରେ ଦେଖାଯାଏ। କିନ୍ତୁ ଏବେ ସମୟ ସହ ତାଳ ଦେଇ ଦିବ୍ୟାଙ୍ଗ ନିଜକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସଫଳ ହେବାକୁ ପ୍ରୟାସ ଜାରି ରଖିଛନ୍ତି। ସେହିପରି କିଛି ଦିବ୍ୟାଙ୍ଗମାନଙ୍କୁ ନେଇ ଆଜି ଯାଜପୁର ଜିଲ୍ଲା ଜାତୀୟ ସ୍ତରରେ ଗର୍ବିତ ହୋଇଛି। କିନ୍ତୁ ପ୍ରଶାସନିକ ଓ ସରକାରୀ ଅଣଦେଖା ସେମାନଙ୍କ ପ୍ରତିଭାକୁ ବିକଶିତ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି।

ନିଯୁକ୍ତି ନଥିବାରୁ ମାଗଣା ଫେନସିଙ୍ଗ ଶିକ୍ଷା ଦେଉଛନ୍ତି ଦେବାମୃତ
ଦିବ୍ୟାଙ୍ଗ କୈଣସି ଗୁଣରେ କମ୍ ନୁହନ୍ତି ଓ ସମାଜ ପାଇଁ ସେମାନଙ୍କର ମଧ୍ୟ ବହୁ ଦାୟିତ୍ୱ ରହିଛି । ମାତ୍ର ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ମିଳିଲେ ସେ ସେମାନଙ୍କ ପାଖରେ ଥିବା ଅନ୍ତର୍ନିହିତ ଗୁଣ ବିକାଶ କରିପାରିବେ। ଏହିପରି ବହୁ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ଥାଇ ମଧ୍ୟ ଲୋକଲୋଚନ ନଆସିବା ଫଳରେ ସେମାନଙ୍କ ଗୁଣ ପ୍ରସ୍ଫୁଟିତ ହୋଇପାରୁନାହିଁ। ସେହିପରି ଏକ ପ୍ରତିଭାବାନ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଫେନସିଙ୍ଗ କ୍ରୀଡାବିତ୍‌ ଆଜି ପ୍ରଶାସନ ଆଢୁଆଳରେ ରହିଯାଇଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗ ଯୁବକ ନିଜ ଚେଷ୍ଟାରେ ଯୁକ୍ତ ତିନି ପରେ ରାଜ୍ୟର ପ୍ରଥମ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଭାବେ ତାଲିମ ନେଇ ଗୌରବ ଅର୍ଜନ କରିପାରିଛନ୍ତି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକର ଟମକା ଅଞ୍ଚଳର ପ୍ରକାଶ ସାହୁ ଓ ପଦ୍ମିନୀ ସାହୁଙ୍କ ସୁପୁତ୍ର ଦେବାମୃତ ସାହୁ। ନିଜଚେଷ୍ଟା ବଳରେ ନିଜର ପତିଭାକୁ ବିକଶିତ କରି ସର୍ବଭାରତୀୟ ଦଳରେ ହୁଇଲ ଚେୟାର ଫେନସର ଭାବେ ନିଜର ସ୍ଥାନ ବଜାୟ ପାରିଛନ୍ତି ସତ, ମାତ୍ର ପ୍ରୋତ୍ସାହନ ଅଭାବରୁ ଏହି କ୍ରୀଡାକୁ ଆଗକୁ ନେଇ ପାରୁନାହାନ୍ତି। ସେହିପରି ଦିବ୍ୟାଙ୍ଗ କ୍ରୀଡାବିତଙ୍କୁ ନିଯୁକ୍ତି ଯୋଗାଇ ଦେବାପାଇଁ ପ୍ରତିଶୃତି ଥିବା ବେଳେ ଏଭଳି ଆନ୍ତର୍ଜାତୀୟ କ୍ରୀଡାବିତଙ୍କୁ ନିଯୁକ୍ତି ନମିଳିବା ଦୁଃଖ ଦାୟକ ଘଟଣା। ନିଜର ଉଦ୍ୟମ ବଳରେ ସଫଳତାର ସ୍ବାଦ ଚାଖୁଥିବା ଦେବାମୃତ ଟମକା ଠାରେ ଦୀର୍ଘ ଦୁଇ ବର୍ଷ ହେଲା ୩୦/୪୦ ଜଣ ପୁଅ ଝିଅକୁ ମାଗଣା ଶାରୀରିକ ଶିକ୍ଷା ପ୍ରଦାନ କରିବା ସହ ଫେନସିଙ୍ଗ କ୍ରୀଡା କଳାର ପ୍ରଶିକ୍ଷଣ ଦେଉଛନ୍ତି।

ରଙ୍ଗ ତୂଳୀକୁ ନେଇ ଜୀବନ୍ତ ଚିତ୍ର ଆଙ୍କୁଥିବା ବାଦଲ ସରକାରୀ ସୁବିଧାରୁ ଦୂରରେ
ରସୁଲପୁରର ଲକ୍ଷ୍ମୀନଗର ପଞ୍ଚାୟତର ରାଧାନଗର ଗ୍ରାମର ଦିବ୍ୟାଙ୍ଗ ବାଦଲଙ୍କ କ୍ଷେତ୍ରରେ ଯେକି ନିଜର ଚିତ୍ରକଳା ମାଧ୍ୟମରେ ସାରା ରାଜ୍ୟରେ ପ୍ରଶଂସା ସାଉଣ୍ଟି ଥିବାବେଳେ ଜିଲ୍ଲା ପ୍ରଶାସନ ପାଖରେ ‌ତାଙ୍କ ସଂପର୍କରେ ଖବର ନାହିଁ। ରାଜ୍ୟସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ବର୍ଗରେ ପ୍ରଥମ ହୋଇଥିଲେ ବାଦଲ। ସୂଚନା ଅନୁଯାୟୀ ରାଧାନଗର ଗ୍ରାମର ନାରାୟଣ ପତ୍ରୀଙ୍କ ପୁଅ ବାଦଲ ପତ୍ରୀ ହେମୋଫୋଲିଆ ଯୋଗୁ ଦିବ୍ୟାଙ୍ଗ। ବାଦଲ ୯୦ ପ୍ରତିଶତ ଦିବ୍ୟାଙ୍ଗତା ହୋଇଥିଲା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ ନା ମିଳୁଛି ଦିବ୍ୟାଙ୍ଗ ଭତ୍ତା ନା ମିଳୁଛି ଶିକ୍ଷା ଅଧିକାର ଆଇନ୍ ଅନୁସାରେ ବାଣୀଶ୍ରୀ ମେଧାବୃତି ଭତ୍ତା, ଏଥିପାଇଁ ନା ବ୍ଳକ ପ୍ରଶାସନ ସଚେତନତା ନା ଶିକ୍ଷା ବିଭାଗର ଅଧିକାରୀ। ଏବେ ବାଦଲ ଭଦ୍ରକ ଚିତ୍ରକଳା ମହାବିଦ୍ୟାଳୟ ରେ ଯୁକ୍ତଦୁଇ ଛାତ୍ର ଭାବେ ଶିକ୍ଷାଲାଭ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବାଦଲ ନିଜ ତୂଳୀ ମାଧ୍ୟମରେ ବିଭିନ୍ନ ଚିତ୍ରକୁ ଜୀବନ୍ତ ରୂପ ଦେଇଚାଲିଛି। ଚିତ୍ରକଳା କୁ ଆଧାରକରି କିଛି ନୂଆ କରିବା ଆଶା ରେ ସଦାସର୍ବଦା ଚେଷ୍ଟା କରୁଥିବା ବେଳେ ସରକାରୀ ସହାୟତା ମିଳିଲେ ଆହୁରି ଅଧିକରୁ ଅଧିକ ସଫଳତା ମିଳିପାରନ୍ତା ବୋଲି କହନ୍ତି ବାଦଲ।

The post ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ: ପ୍ରଶାସନର ଆଢୁଆଳରେ ଅଣଦେଖା ସଫଳ ଦିବ୍ୟାଙ୍ଗ first appeared on Sambad.



from ରାଜ୍ୟ – Sambad https://ift.tt/3ohTrbz

Post a Comment

0 Comments