ସେପ୍ଟେମ୍ବର ଶେଷରୁ ଖସୁଛି ସଂକ୍ରମଣ କ୍ଷମତା

ଭୁବନେଶ୍ୱର, (କ୍ଷିତୀଶ ରାୟ) : ଜୁଲାଇ-ଅଗଷ୍ଟ ମାସରେ ଯେତେବେଳେ ଓଡ଼ିଶା କରୋନା ସଂକ୍ରମଣରେ ଥରୁଥିଲା ସେ ସମୟରେ ରାଜ୍ୟର ଦୁଇ ସର୍ବାଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ ଓ ଖୋର୍ଧାରେ ଜଣେ ଆକ୍ରାନ୍ତ ଅନ୍ୟ ୧.୫ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିଲେ। ଦୁଇ ଜିଲ୍ଲାରେ ଅଜାଣତରେ ଏହି ଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିଲା। ଏହି ସମୟରେ ସମଗ୍ର ରାଜ୍ୟରେ ‘Ro’ (ରିପ୍ରଡକସନ୍ ରେଟ୍‌) ବା ଜଣେ ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ୧ ସଂଖ୍ୟା ଟପି ଯାଇଥିଲା। ଚାହୁଁ ଚାହୁଁ ସଂକ୍ରମିତଙ୍କ ସଂଖ୍ୟା ଓଡ଼ିଶାରେ ଲକ୍ଷେ ଟପିଥିଲା। ଚେନ୍ନାଇସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାଥେମାଟିକାଲ ସାଇନ୍‌ସ (ଆଇଆଇଏମ୍‌ଏସ୍‌) ପକ୍ଷରୁ ଓଡ଼ିଶାର ‘Ro’ ଭ୍ୟାଲୁ ସଂପର୍କରେ ଏଭଳି ସୂଚନା ମିଳିଛି।

ରାଜ୍ୟରେ ମାର୍ଚ ମାସରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଜୁନ୍‌ ମାସରେ ଏହା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କରିଥିଲା। ହେ‌ଲେ ଜୁଲାଇ ମାସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥିଲା। ଏହି ସମୟରେ ରାଜ୍ୟର ଦୁଇ ସର୍ବାଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ‌ରେ ଏହା ୧.୫୫ ଓ ଖୋର୍ଧାରେ ୧.୪୬କୁ ଛୁଇଁ ଯାଇଥିଲା। କମ୍ ଦିନ ଭିତରେ ଦୁଇ ଜିଲ୍ଲାରେ ସଂକ୍ରମଣ ୨୦ହଜାର ଟପି ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିଥିଲା। ସେହିପରି ଏହି ସମୟରେ ଦେବଗଡ଼, ସୋନପୁର ଭଳି କିଛି ହାତ ଗଣତି ଜିଲ୍ଲାକୁ ଛାଡ଼ି ଦେଲେ ବଳକା ଜିଲ୍ଲା ଗୁଡ଼ିକରେ ଆର୍‌ ଭ୍ୟାଲୁ ୧ ସଂଖ୍ୟା ଛୁଇଁଥିଲା। ଫଳରେ ରାଜ୍ୟରେ ସଂକ୍ରମଣ ବଢ଼ିଥିଲା ଓ ବହୁ ସଂଖ୍ୟାରେ ରୋଗୀ ପ୍ରାଣ ହରାଇଥିଲେ। ତେବେ ସେପ୍ଟେମ୍ବର ମାସ ୨୬ ତାରିଖ ବେଳକୁ ଆର୍‌ ଭ୍ୟାଲୁ ଖସିବାକୁ ଆରମ୍ଭ କରିଥିଲା। ଏହି ସମୟରେ ଆର୍‌ ଭ୍ୟାଲୁ ୦.୯୫ କୁ ଖସି ଆସିଥିଲା। ନଭେମ୍ବର ୨୫ତାରିଖ ଆଡ଼କୁ ଓଡ଼ିଶାର ଆର୍‌ ଭ୍ୟାଲୁ ୦.୭୭ କୁ ଖସି ଆସିଛି।

ପ୍ରତ୍ୟେକ ରୋଗର ଭିନ୍ନ ଭିନ୍ନ ‘Ro’ଭ୍ୟାଲୁ ରହିଛି। ବିଶ୍ବରେ ଆଜି ପର୍ଯ୍ୟନ୍ତ ଯେଉଁସବୁ ରୋଗ ଦେଖା ଯାଇଛି ଏଥିରେ ମିଳିମିଳାର ସର୍ବାଧିକ ଆର୍‌ ଭ୍ୟାଲୁ ରହିଛି। ଜଣେ ମିଳିମିଳା ସଂକ୍ରମିତ ବ୍ୟକ୍ତି ୧୪-୧୬ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିଥାନ୍ତି। ସେହିପରି ‌ସାର୍ସ କୋଭ୍‌-୨ ବା କୋଭିଡ୍‌-୧୯ ଆର୍‌ ଭ୍ୟାଲୁ ବିଶ୍ବରେ ୨-୩ ରେକର୍ଡ କରାଯାଇଛି।

ଆଇଆଇଏମ୍‌ଏସ୍‌ର ପ୍ରଫେସର ସୀତଭ୍ର ସିହ୍ନାଙ୍କ କହିବା ମୁତାବକ, ଏହି ସମୟରେ ଓଡ଼ିଶାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା। ତେଣୁ ଗଞ୍ଜାମ ଓ ଖୋର୍ଧା ଜିଲ୍ଲା ସମେତ ଓଡ଼ିଶାରେ ରହିଥିବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାକୁ ହିସାବକୁ ନିଆଯାଇ ଆର୍‌ ଭ୍ୟାଲୁର ଗଣନା କରାଯାଇଛି। ଯଦି ଆର୍‌ ଭ୍ୟାଲୁ ୧ ତଳକୁ ରହେ ତା’ହେଲେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି ଧରିବାକୁ ହେବ। ଯଦି ଏହା ୧ ଟପିଯାଏ ତାହାଲେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଥାଏ। ଯଦିଓ ଓଡ଼ିଶାରେ ଆର୍‌ ଭ୍ୟାଲୁ ୧ ତଳକୁ ଖସି ଆସିଛି ଏହା ଅର୍ଥ ନୁହେଁ ଯେ, ସଂକ୍ରମଣ ହେଉନାହିଁ। ମାତ୍ର ଏହା ଏବେ କମ୍ ହେଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଆର୍‌ ଭ୍ୟାଲୁ ଏବେ ୧ ନିକଟରେ ରହିଛି। ତେବେ ଆଗାମୀ କିଛି ଦିନରେ ଓଡ଼ିଶାର ଆର୍‌ ଭ୍ୟାଲୁ କେତେ ରହିବ ତାହା ଏବେଠାରୁ ହିସାବ କରିହେବ ନାହିଁ। ଏବେ ସଂକ୍ରମଣ ତଳକୁ ତଳକୁ ଯାଉଥିବାରୁ ଆର୍‌ ଭ୍ୟାଲୁର ଗଣନା ହୁଏତ ଠିକ୍ ହୋଇ ନ ପାରେ ବୋଲି ପ୍ରଫେସର ସିହ୍ନା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଆଇସିଏମ୍‌ଆର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା. ତ୍ରିଭୁବନ ମହାପାତ୍ରଙ୍କ କହିବାନୁଯାୟୀ, ଯଦି ଆଇଆଇଏମ୍‌ଏସ୍‌ ଗଣନା ଅନୁସାରେ ଖୋର୍ଧା ଓ ଗଞ୍ଜାମରେ ଆର୍‌ ଭ୍ୟାଲୁ ୧.୫ ରହିଥିଲା ତାହା ଏକପ୍ରକାର ଜାତୀୟ ହାର ସହିତ ସମାନ। ଯାହାକି ରାଜ୍ୟରେ ଦ୍ରୁତ ସଂକ୍ରମଣର ସ୍ଥିତିକୁ ସୂଚନା ଦେଉଛି। ତେବେ ଏହି ଗଣନା କେବଳ ଚିହ୍ନଟ ହୋଇଥିବା ରୋଗୀଙ୍କ କ୍ଷେତ୍ରରେ କରାଯାଉଥିବାରୁ ଯେଉଁ ଲକ୍ଷଣ ବିହୀନ ରୋଗୀ ଚିହ୍ନଟ ହୋଇପାରିଲେ ନାହିଁ ଓ ଯେଉଁମାନେ ନିଜର ରୋଗ ସଂପର୍କରେ ରିପୋର୍ଟ କଲେ ନାହିଁ ଯଦି ସେମାନଙ୍କୁ ହିସାବକୁ ନିଆଯାଏ ତା’ହେଲେ ଆର୍‌ ଭ୍ୟାଲୁ ଆହୁରି ଅଧିକ ହୋଇପାରେ। ଏବେ ଆର୍‌ ଭ୍ୟାଲୁ ୧ ତଳକୁ ଖସି ଆସିଥିବାରୁ ଏହା ଓଡ଼ିଶା ପାଇଁ ଶୁଭ ସୂଚନା ବୋଲି ଡା. ମହାପାତ୍ର କହିଛନ୍ତି।

ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ର କହିଛନ୍ତି, ବିଶ୍ବରେ କୋଭିଡ୍‌-୧୯ର ଆର୍‌ ଭ୍ୟାଲୁ ୨-୩ ଭିତରେ ସୀମିତ ରହିଛି। ଯାହାକି ଅନ୍ୟ ସଂକ୍ରମିତ ରୋଗ ତୁଳନାରେ ବିଶେଷ ଭୟଙ୍କର ନୁହେଁ। ଆର୍‌ ଭ୍ୟାଲୁ ୧ ଟପିଗଲେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଥାଏ। ମାତ୍ର ବିଶ୍ବରେ ଦେଖାଯାଇଛି ଯେ, ଯେତିକି ସଂଖ୍ୟକ ରୋଗୀ ପରୀକ୍ଷା ଦ୍ବାରା ଚିହ୍ନଟ ହୋଇଥାନ୍ତି ତାହା ୧୦-୧୨ଗୁଣ ଲୋକ ରୋଗର ସଂସ୍ପର୍ଶରେ ଆସିଥାନ୍ତି। ଯାହାକି ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଥିବା ଆଣ୍ଟବଡି ପରୀକ୍ଷାରୁ ଜଣାପଡ଼ିଛି। କିଛିଦିନ ପୂର୍ବରୁ ଭୁବନେଶ୍ବରରେ ୫୫ ପ୍ରତିଶତ, ଗଜପତିରେ ୬୫ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ତେଣୁ ଓଡ଼ିଶାରେ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଗୋଷ୍ଠୀ ପ୍ରତିରୋଧକ କ୍ଷମତା ବା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି। ଆର୍‌ ଭ୍ୟାଲୁ ୧ ତଳକୁ ଖସି ଆସଥିବାରୁ ଆଗାମୀ ଦିନରେ ଓଡ଼ିଶାରେ ବଡ଼ ଧରଣର ଦ୍ବିତୀୟ ଲହରୀ ଆଶଙ୍କା କମ୍ ‌ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି।

The post ସେପ୍ଟେମ୍ବର ଶେଷରୁ ଖସୁଛି ସଂକ୍ରମଣ କ୍ଷମତା first appeared on Sambad.



from ରାଜ୍ୟ – Sambad https://ift.tt/39HRJMJ

Post a Comment

0 Comments