ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ବିଏଡ୍‌ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ : ଅନ୍‌ଲାଇନ୍‌ରେ ହେବ ପରୀକ୍ଷା

ଭୁବନେଶ୍ବର : ପରୀକ୍ଷା ସମସ୍ୟାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ଥିବା ରାଜ୍ୟର ୮ଟି ବିଏଡ୍‌ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣିଥରେ ଅସନ୍ତୋଷ ଦେଖିବାକୁ ମିଳିଛି। ଶତାଧିକ ଛାତ୍ରଛାତ୍ରୀ ଆଜି ବିଶ୍ବବିଦ୍ୟାଳୟ ପ୍ରଶାସନିକ ଭବନ ଘେରାଉ କରି ପୂର୍ବ ଦାବି ଉପସ୍ଥାପନ କରିଥିଲେ। ସେମାନଙ୍କ କହିବାନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଏଯାବତ୍‌ ହୋଇନି। ଧାର୍ଯ୍ୟ ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯାଇ ନାହିଁ। କରୋନା ଯୋଗୁଁ ଅନ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ୍‌ରେ ପରୀକ୍ଷା କରୁଥିବା ବେଳେ ଉତ୍କଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେବେ ଜାନୁଆରି ୭ରୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏଡ୍‌ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ନ ଥିବା ବେଳେ ଏବେ କରୋନା ଯୋଗୁଁ ଘରଭଡ଼ା ମିଳୁନି। ରାଜ୍ୟ ବାହାରର ବହୁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ତେଣୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ। ଛାତ୍ରଛାତ୍ରୀଙ୍କ ବାରମ୍ବାର ଆନ୍ଦୋଳନ ପରେ ଏବେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଷ୍ପତ୍ତି ବଦଳାଇବାକୁ ସ୍ଥିର କରିଛନ୍ତି। ସମସ୍ୟାର ସମାଧାନ ଲାଗି ଏକ କମିଟି ଗଠନ ହୋଇଛି। ଉକ୍ତ କମିଟି ରି‌ପୋର୍ଟ ଆଧାରରେ ପରବର୍ତୀ ପଦକ୍ଷେପ ନିଆଯିବ। ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଯୋଜନା ହୋଇଛି ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ କହିଛନ୍ତି।

The post ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ବିଏଡ୍‌ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ : ଅନ୍‌ଲାଇନ୍‌ରେ ହେବ ପରୀକ୍ଷା first appeared on Sambad.



from ରାଜ୍ୟ – Sambad https://ift.tt/2KRBmTN

Post a Comment

0 Comments