
ଯୋଡା : କେନ୍ଦୁଝର ଜିଲ୍ଲାର କେତେକ ବନ୍ଦ ଖଣି ଉପରେ ଲୁହାପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଶହଶହ ମେଟ୍ରିକ ଟନ୍ ଲୁହାପଥର ଚୋରାରେ ଉତ୍ତୋଳନ କରି ବିଭିନ୍ନ ଉପାୟରେ ଚାଲାଣ କରାଯାଉଛି। ବିଶେଷକରି ଯୋଡା ଖଣି ମଣ୍ତଳରେ ବନ୍ଦ ରହିଥିବା ଅଧିକାଂଶ ଖଣିରେ ସୁରକ୍ଷା ଅଭାବରୁ ଚୋରା ଲୁହାପଥର କାରବାର ଦିନକୁ ଦିନ ବଢ଼ୁଛି। ଏକ ଜଙ୍ଗଲ ରାସ୍ତାରୁ ଚୋରା ଲୁହାପଥର ଜବତ ହେବା ପରେ ଏଭଳି ସାଂଘାତିକ ଘଟଣା ପଦାକୁ ଆସିଛି।
କଳାପାହାଡ ନିକଟ ରାଇକା ଜଙ୍ଗଲ ରାସ୍ତାରେ ବିପୁଳ ପରିମାଣର ଲୁହାପଥର ଜମା କରାଯାଇଥିବା କୌଣସି ସୂତ୍ରରୁ ପୁଲିସ ଖବର ପାଇଥିଲା। ଏ ସମ୍ପର୍କରେ ଖଣି ବିଭାଗକୁ ଅବଗତ କରାଯିବା ପରେ ଉଭୟ ପୁଲିସ ଓ ଖଣି ବିଭାଗ ପକ୍ଷରୁ ଖାନତଲାସି କରାଯାଇଥିଲା। ସେଠାରେ ଗଚ୍ଛିତ ଥିବା ପ୍ରାୟ ଦେଢ଼ଶହ ମେଟ୍ରିକ ଟନ ଲୁହାପଥରକୁ ଜବତ କରାଯାଇଥିଲା। ଖଣି ମାଫିଆମାନେ କୌଣସି ଏକ ବନ୍ଦ ଖଣିରୁ ଏହି ଲୁହାପଥର ଉତ୍ତୋଳନ କରି ଚାଲାଣ ପାଇଁ ଗଚ୍ଛିତ ରଖିଥିବା ଖଣି ବିଭାଗ ଅନୁମାନ କରୁଛି। ପରେ ଏହାକୁ ସୁଯୋଗ ଦେଖି ଚାଲାଣ କରାଯାଇଥାନ୍ତା ବୋଲି ପୁଲିସ ସନ୍ଦେହ ଘନୀଭୂତ ହୋଇଛି। ଜବତ ଲୁହାପଥରକୁ ଖଣି ବିଭାଗ ନିଜ ଅକ୍ତିଆରକୁ ନେଇଥିବାବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।
ଏ ନେଇ ଯୋଡ଼ା ଖଣି ଯୁଗ୍ମ ନିର୍ଦେର୍ଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅନ୍ୟ କେଉଁ ଜାଗାରୁ ଏହି ଚୋରା ଲୁହାପଥରକୁ ଆଣି ଏଠାରେ ଗଚ୍ଛିତ କରି ରଖାଯାଇଥିଲା। ପୁଲିସ ଖବର ପାଇବା ପରେ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଏ ନେଇ ଖଣି ବିଭାଗ ଓ ପୁଲିସ ତଦନ୍ତ କରୁଛି ବୋଲି ସେ କହିଛନ୍ତି। ଚୋରା ଲୁହାପଥର କାରବାର ନେଇ ଖୋଳତାଡ଼ ଆରମ୍ଭ କରାଯାଇଥିବା ଯୋଡ଼ା ଥାନା ଆଇଆଇସି ରାଇସେନ ମୁର୍ମୁ ପ୍ରକାଶ କରିଛନ୍ତି।
The post ବନ୍ଦ ଖଣି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି : ଦେଢ଼ଶହ ମେଟ୍ରିକ ଟନ୍ ଲୁହାପଥର ଜବତ first appeared on Sambad.
from ରାଜ୍ୟ – Sambad https://ift.tt/3kBVZzb
0 Comments