ନରସିଂହପୁର ରାଜମାତା ମଞ୍ଜୁଳାମଞ୍ଜରୀ ଦେବୀଙ୍କ ପରଲୋକ 

ନରସିଂହପୁର : ନରସିଂହପୁର ରାଜମାତା ତଥା ବଡ଼ମ୍ବାର ପୂର୍ବତନ ବିଧାୟକ ଦିବଂଗତ ରାଜା ତ୍ରିଲୋଚନ ସିଂହଦେଓଙ୍କ ପତ୍ନୀ ମଞ୍ଜୁଳାମଞ୍ଜରୀ ଦେବୀ(୮୮)ଙ୍କର ଆଜି ହୃଦ୍‌ଘାତରେ ପରଲୋକ ଘଟିଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଜଣେ ପରୋପକାରୀ, ଧର୍ମପ୍ରାଣା ଓ ଉତ୍ତମ ସ୍ୱଭାବର ମହିଳା ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ନରସିଂହପୁରରେ ଶୋକର ଛାୟା ଖେଳି ଯାଇଛି।

ଶେଷଶଯ୍ୟା ନିକଟରେ ସାନପୁଅ ଶୁଭାଶିଷ ସିଂହଦେଓ ଓ ଝିଅ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ପଦ୍ମାଳୟା ଦେବୀଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଆସନ୍ତାକାଲି ତାଙ୍କ ମରଶରୀର ନରସିଂହପୁର ଅଣାଯିବ। ପରେ ନରସିଂହପୁର ଜୟପୁରରେ ତାଙ୍କର ‌ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି। ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସମେତ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜମାତାଙ୍କର ବଡ଼ପୁଅ ଦେବାଶିଷ ସିଂହଦେଓ ତିନି ବର୍ଷ ତଳେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ।

The post ନରସିଂହପୁର ରାଜମାତା ମଞ୍ଜୁଳାମଞ୍ଜରୀ ଦେବୀଙ୍କ ପରଲୋକ  first appeared on Sambad.



from ରାଜ୍ୟ – Sambad https://ift.tt/35zf00T

Post a Comment

0 Comments