ଖସୁଛି ରାତି ତାପମାତ୍ରା, ବଢ଼ୁଛି ଶୀତ; ୧୦ ଡିଗ୍ରି ତଳେ ସୋନପୁର

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ରାତ୍ରି ତାପମାତ୍ରା ଖସିବାରେ ଲାଗିଛି। ଫଳରେ ଶୀତ ବଢ଼ିବା ଆରମ୍ଭ ହୋଇଗଲାଣି। ଶୁକ୍ରବାର ରାତିରେ ରାଜ୍ୟର ୫ ସହର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିବା ବେଳେ ଗତକାଲି ରାତିରେ ୧୦ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ସୋନପୁରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୪ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗବାଡ଼ିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରହିଥିବା ଜଣାପଡ଼ିଛି। ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ହାଲ୍‌କା କୁହୁଡ଼ି ମଧ୍ୟ ଦେଖାଯାଇଥିଲା। ଏଠାରେ ଦୃଶ୍ୟମାନ ଦୂରତା ୮୦୦ ମିଟର ରହିଥିଲା। ଗତ ୨୪ ଘଣ୍ଟାରେ ବିଶେଷ କରି ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଆଜି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ତା’ପରେ ଅପରିବର୍ତିତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ, ଗତକା‌ଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ ବଳୟ ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୩୬ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହାପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨ ତାରିଖ ଆଡ଼କୁ ଦକ୍ଷିଣ ତାମିଲନାଡ଼ୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

The post ଖସୁଛି ରାତି ତାପମାତ୍ରା, ବଢ଼ୁଛି ଶୀତ; ୧୦ ଡିଗ୍ରି ତଳେ ସୋନପୁର first appeared on Sambad.



from ରାଜ୍ୟ – Sambad https://ift.tt/2HQiZx3

Post a Comment

0 Comments