‘ସୋରଡ଼ା ବିଧାୟକଙ୍କ କଳା କାରବାରରେ ପ୍ରଦୀପଙ୍କ ଟଙ୍କା’

ଭୁବନେଶ୍ୱର : ସୋରଡ଼ା ବିଧାୟକଙ୍କ କଳା କାରବାର ପଛରେ ଲାଗିଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଟଙ୍କା। ଏଭଳି ଅଭିଯୋଗ ଆଣିଛନ୍ତି ଦଣ୍ଡପାଣି ମହାନ୍ତିଙ୍କ ପୁଅ ତଥା ଗତ ନିର୍ବାଚନରେ ସୋରଡ଼ା ବିଧାୟକ ପ୍ରାର୍ଥୀ ଭାବରେ କଂଗ୍ରେସରୁ ଲଢ଼ୁଥିବା ସଂଗ୍ରାମ କେଶରୀ ମହାନ୍ତି। ଆଜି ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗୁମର ଖୋଲିଛନ୍ତି। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁ ଏବଂ ଜମି ମାଫିଆ ନିର ପାଢ଼ୀଙ୍କ ଜରିଆରେ କୋଟି କୋଟିର କଳା ଟଙ୍କାକୁ ବେପାରରେ ଲଗାଇଛନ୍ତି। ଏମାନଙ୍କ ମାଧ୍ୟମରେ ମାଲାମାଲ ହେବା ସହ ଏମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ବୋଲି ସେ ସିଧା ସଳଖ ଅଭିଯୋଗ କରିଛନ୍ତି। କେବଳ ଅଭିଯୋଗ କାରିନାହାନ୍ତି ଏସ୍‌ଆଇଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ପ୍ରଦୀପ ପାଣିଗ୍ରାହୀ ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁଙ୍କୁ ବିଜେଡି ଟିକେଟ୍‌ କରାଇ ଦେଇଥିଲେ। ସେ ଜିତିବା ପରେ ତାଙ୍କ ଜରିଆରେ କଳା କାରବରରେ ଟଙ୍କା ଲଗାଇଥିଲେ। କ୍ରମଶଃ କଳା ବେପାର ବଢ଼ିବାରେ ଲାଗିଥିଲା। ୨୦୦୯ ମସିହାରେ ୧ ଲକ୍ଷ ୫୩ ହଜାର ଟଙ୍କା ସମ୍ପତ୍ତିର ମାଲିକ ଥିବା ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପତ୍ତି କୋଟି କୋଟି ଟଙ୍କାରେ ପହଞ୍ଚିଥିଲା। ଗୋପାଳପୁରର ବିଧାୟକ ହେଲେ ମଧ୍ୟ ପ୍ରଦୀପଙ୍କର ଶ୍ବଶୁର ଘର ସୋରଡ଼ାରେ ହୋଇଥିବାରୁ ସେଠାରେ ସେ ଏହି କଳା ବେପାର ବଢ଼ାଇଥିଲେ।

ସଂଗ୍ରାମ ଆହୁରି ଅଭିଯୋଗ କରିଛନ୍ତି ଯେ, ପୂର୍ଣ୍ଣଚନ୍ଦ୍ର ୩ ଏକର ୧୨୦ ଡିସିମିଲ୍ ସରକାରୀ ଜମି ମାଡ଼ି ବସିଛନ୍ତି। ସେଠାରେ ପ୍ରଥମେ ଚାରା ବିକ୍ରି ହେଉଥିବା ବେଳେ ଏବେ ସେଠାରେ ଟିଭିଏସ୍ ସୋ’ ରୁମ୍ ହୋଇଛି। ପୂର୍ଣ୍ଣଚନ୍ଦ୍ର ସରକାରୀ ଜାଗା ମାଡ଼ି ବସିବା ନେଇ ଅନେକ ଥର ‌ଅଭିଯୋଗ ହୋଇଥିଲେ ତାଙ୍କୁ ସରକାରୀ ଅନୁକମ୍ପା ପଛରେ ପ୍ରଦୀପଙ୍କର ହାତ ଅଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେହିଭଳି ବିଧାୟକ ୨୫ ଏକର ଜାଗା ମାଡ଼ିବସି ଆଶ୍ରମ କରିଥିଲେ। ସେଠାରେ ବଜରଙ୍ଗ ଦଳର ଆଶ୍ରମ ହୋଇଥିଲା। ଲଗାତାର ଅଭିଯୋଗ ହେବା ପରେ ଏହି ଆଶ୍ରମ ଭଙ୍ଗା ଯାଇଥିଲା। ସେଠାରେ ଏକ ମଡର୍ଣ୍ଣ ସ୍କୁଲ ତିଆରି ହୋଇଥିଲା। ହେଲେ ସେଠାରେ ଏବେ ବି ଦୁଇଟି ରୁମ୍‌ରେ ଆଶ୍ରମ ଚାଲିଛି।

ସୋରଡ଼ାରୁ ମୟଙ୍ଗୀ ଯିବା ରାସ୍ତାରେ ଦେଢ଼ଶହ ଏକର ବିବାଦୀୟ ଜମିକୁ ଉଭୟ ବିଧାୟକ କିଣିଛନ୍ତି। ଏଥିପାଇଁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଅଗ୍ରୀମ ଦିଆଯାଇଛି। ବ୍ରହ୍ମପୁର କୋର୍ଟପେଟା ଛକରେ ୨୦ କୋଟି ଟଙ୍କାର ଜମି କିଣଯାଇଛି। ଯାହା ଗୋପାଳପୁର ବିଧାୟକଙ୍କ ଭାଇଙ୍କ ନାମ‌ରେ ରହିଛି। ବାଦୁଆଠାରେ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ସୋରଡ଼ା ବିଧାୟକଙ୍କ ପତ୍ନୀଙ୍କ ନାମରେ ରହିଛି। ବର୍ଷ ବର୍ଷ ଧରି ବିନା ପରିବେଶ ମଞ୍ଜୁରୀରେ ବେଆଇନ ଭାବରେ ଚାଲିବା ପରେ ଅଭିଯୋଗ ହୋଇଥିଲା। ପରେ ଏନ୍‌ଜିଟି ମାମଲାର ବିଚାର କରି ବିଧାୟକଙ୍କ ପତ୍ନୀଙ୍କୁ ମୋଟା ଅଙ୍କର ଜରିମାନା କରିଥିଲା।

ସେହିଭଳି ସରକାରୀ ଜାଗାରେ ପୋଖରୀ ଖୋଳା ଯାଇଛି। ୪୦ ଲକ୍ଷ ଟଙ୍କା ଦେଇ ବିଧାୟକ ଏବେ ଜାଗା କିଣିଛନ୍ତି। ଖଣିରେ ବିଧାୟକଙ୍କ ଟ୍ରକ୍‌ ଲାଗିବା ସହ ବିଭିନ୍ନ କଳାଧନ୍ଦାରେ ସୋରଡ଼ା ବିଧାୟକ ମାତିଥିବା ବେଳେ ଗୋପାଳପୁର ବିଧାୟକ ନିଜ କଳାଧନକୁ ଧଳା କରିବାରେ ବ୍ୟସ୍ତ ଅଛନ୍ତି ଏ ସବୁ ଉପରୁ ପରଦା ହଟାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗ୍ରାମ ଦାବି କରିଛନ୍ତି। ଅନ୍ୟପଟେ ଏ ବାବଦରେ ପ୍ରତିକ୍ରିୟା ପାଇଁ ଶ୍ରୀ ପାଣିଗ୍ରାହୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ।

The post ‘ସୋରଡ଼ା ବିଧାୟକଙ୍କ କଳା କାରବାରରେ ପ୍ରଦୀପଙ୍କ ଟଙ୍କା’ first appeared on Sambad.



from ରାଜ୍ୟ – Sambad https://ift.tt/3o6IAkH

Post a Comment

0 Comments