ମନ୍ଦିର, ସ୍କୁଲ ଖୋଲିବା ପାଇଁ ଦାବି

ଭୁବନେଶ୍ବର: ମହାମାରୀ କରୋନା ସୁପରିଚାଳନା ପାଇଁ ଓଡ଼ିଶା ସରକାରଙ୍କୁ ସାରା ଭାରତରେ ପ୍ରଶଂସା ମିଳୁଛି। କିନ୍ତୁ ସରକାରଙ୍କ ପାଖରେ ନିର୍ଦ୍ଦିଷ୍ଟ ତଥ୍ୟ ଅଛି କି ଆମ ସଫଳତାର କାରଣ କଣ? ଆଜି ବିଧାନସଭା ଶୂନ୍ୟକାଳରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି। କଟକଣା ଭିତରେ ଯାତ୍ରା ପରିବେଷଣକୁ ଅନୁମତି ଦେବା ସହିତ ମନ୍ଦିର ଓ ସ୍କୁଲ ଖୋଲିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସମେତ ମନ୍ଦିର ଓ ସ୍କୁଲ ଖୋଲିବା ନେଇ ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସମାନ ଦାବି କରିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ କମୁଛି ଓ ସୁସ୍ଥ ହାର ବଢ଼ୁଛି। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଲକ୍‌ ଡାଉନ୍‌, ମନ୍ଦିର ବନ୍ଦ ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି। କରୋନା ସଫଳତା ପାଇଁ କେଉଁଟା ମାପକାଠି। କରୋନା ସଫଳତାରେ ଉଲ୍ଲସିତ ନ ହୋଇ ତାର କାରଣ ଖୋଜିବାକୁ ପଡ଼ିବ। ରାଜ୍ୟବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଯାତ୍ରା ପରିବେଷଣକୁ ଅନୁମତି ମିଳିନାହିଁ। ଯଦି କଟକଣା ଭିତରେ ବଜାର ସଉଦା କରିହେଉଛି, ତାହେଲେ ସାଂସ୍କୃତିକ କାର୍ଯ୍ୟକ୍ରମ କାହିଁକି ହୋଇପାରିବନି। ଏ ବିଷୟରେ ସରକାର ଯଦି ଆସନ୍ତା ଜାନୁଆରିରୁ ଅନୁମତି ଦିଅନ୍ତି ତାହେଲେ କଳାକାରମାନଙ୍କୁ ପ୍ରସ୍ତୁତ ହେବା ପାଇଁ ୨ ମାସ ସମୟ ଲାଗିବ। ଏ ସମ୍ପର୍କରେ ସରକାର କଣ ପଦକ୍ଷେପ ନେବେ, ଆଗୁଆ ସ୍ପଷ୍ଟ କରିବା ଦରକାର।
ସେହିପରି କରୋନା ସମୟରେ ସରକାର ସାରା ରାଜ୍ୟରେ କୋଭିଡ୍‌ କେୟାର୍‌ ହୋମ୍‌ ଓ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିଥିଲେ। କୋଭିଡ୍‌ କେୟାର ହୋମ୍‌ରେ ଏଏନ୍‌ଏମ୍‌ମାନଙ୍କୁ ମାସିକ ୨୫ ହଜାର ଟଙ୍କାରେ ନିଯୁକ୍ତି ମିଳିଥିଲା। ଏବେ ସବୁ କୋଭିଡ୍‌ କେୟାର ହୋମ୍‌ ବନ୍ଦ କରିଦିଆଯାଇଛି। ସେଥିରେ ନିଯୁକ୍ତି ପାଇଥିବା ଏଏନ୍‌ଏମ୍‌ମାନଙ୍କୁ ଛଟେଇ କରି ଦିଆଯାଇଛି। ଏବେ ସେମାନେ ବିଧାୟକଙ୍କ ବାସଭବନ ସମେତ ଅନେକ ଯାଗାରେ ଧାରଣା ଦେଉଛନ୍ତି। ସେମାନଙ୍କ କଥା ସରକାର ଚିନ୍ତା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ମନ୍ଦିର ଖୋଲିବା ନେଇ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତଯୋଡ଼ି ଗୁହାରି କରିଛନ୍ତି। ଦାବି କରି କହିଲେ ଆସନ୍ତା ୨୪ ଘଣ୍ଟା ଭିତରେ ପୁରୀ ଶ୍ରୀମନ୍ଦିରଠାରୁ ଆରମ୍ଭ କରି ସବୁ ମନ୍ଦିର ଖୋଲାଯାଉ। ମନ୍ଦିର ବନ୍ଦ ଯୋଗୁଁ ପୂଜକ ଓ ସେବାୟତମାନେ ହଇରାଣ ହେଉଛନ୍ତି। ସେମାନଙ୍କ ଜୀବିକା ବାଧାପ୍ରାପ୍ତ ହୋଇଛି। ତୁରନ୍ତ ବାଚସ୍ପତି ରୁଲିଂ ଦେବାକୁ ଶ୍ରୀ ବାହିନୀପତି ଦାବି କରିଥିଲେ। ସମାନ ପ୍ରସଙ୍ଗ ଉତ୍‌ଥାପନ କରି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଥିଲେ, ମହାରାଷ୍ଟ୍ର ସମେତ ଯେଉଁ ରାଜ୍ୟରେ କୋଭିଡର ପ୍ରଭାବ ଅଧିକ ରହିଛି ସଠି ବି ମନ୍ଦିର ଖୋଲାଯାଇଛି। ଓଡ଼ିଶାରେ କାହିଁକି ଖୋଲାଯାଇପାରିବନି। ସାମାଜିକ ଦୂରତା ନିୟମ ଅନୁପାଳନ କରି କଟକଣା ଭିତରେ ମନ୍ଦିର ଖୋଲିବାକୁ ଶ୍ରୀ ମାଝୀ ମଧ୍ୟ ଦାବି କରିଥିଲେ।

The post ମନ୍ଦିର, ସ୍କୁଲ ଖୋଲିବା ପାଇଁ ଦାବି first appeared on Sambad.



from ରାଜ୍ୟ – Sambad https://ift.tt/3fwj2KD

Post a Comment

0 Comments