କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ସଭାପତି, ପରାଜୟର ଠୋସ୍‌ କାରଣ ଦର୍ଶାଇଲେନି

ଭୁବନେଶ୍ୱର: ଉପନିର୍ବାଚନରେ ବିଜେପି ହାତରୁ ବାଲେଶ୍ବର ଆସନ ଛଡ଼ାଇ ନେଲା ବିଜେଡି। ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଯେତିକି ଭୋଟ୍‌ ବ୍ୟବଧାନରେ ଜିତିଥିଲେ ତାହା ଠାରୁ ଅଧିକ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ଜିତିଲେ। ସେହିପରି ତିର୍ତ୍ତୋଲରେ ବିଜେପିର ଭୋଟ୍‌ ସଂଖ୍ୟା ଗତ ନିର୍ବାଚନ ଠାରୁ ଆହୁରି କମିଛି। ଉଭୟ ଆସନର ଫଳାଫଳ ନେଇ ଆଜି ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। କିନ୍ତୁ ନିର୍ବାଚନରେ ପରାଜୟ ନେଇ ଠୋସ୍‌ କାରଣ ନ ଦର୍ଶାଇ କଂଗ୍ରେସକୁ ଗାଳି ଦେଇଛନ୍ତି। ଶାସକ ଦଳର ଦୋଷ ବାଛିବା ପରିବର୍ତ୍ତେ ରାଜ୍ୟରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା କଂଗ୍ରେସକୁ ବିଜେପି ସଭାପତି ଟାର୍ଗେଟ୍‌ କରିବା ଚର୍ଚ୍ଚାର ବିଷୟ ହୋଇଛି।

ଶ୍ରୀ ମହାନ୍ତି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବାଲେଶ୍ୱର ଓ ତିର୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗ ଭିତ୍ତିକ ଭାବେ ଲଢେଇ କରିଥିଲା। ମୋଦୀ ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ତ୍ବେ ରାଜ୍ୟ ସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦୀ ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ବାଟମାରଣା ଓ ବ୍ୟାପକ ଭ୍ରଷ୍ଟାଚାର ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢୁଥିଲା । କରୋନା ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକ ଭାଇ ଭଉଣୀମାନଙ୍କୁ ରୋଜଗାରକ୍ଷମ ନ କରାଇ ପ୍ରତାରଣା କରିବା ପ୍ରସଙ୍ଗ ଆମେ ଉଠାଇଥିଲୁ। ଅନ୍ୟ ପଟେ କଂଗ୍ରେସର କେବଳ ମିଥ୍ୟା ପ୍ରଚାର ଛଡ଼ା ଆଉ କୌଣସି ପ୍ରସଙ୍ଗ ନ ଥିଲା। ରାଜ୍ୟରେ ଏବେ କଂଗ୍ରେସ ଶକ୍ତିହୀନ ହୋଇପଡ଼ିଛି। ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତୋଲବାସୀ ଏହାର ସଙ୍କେତ ଦେଇଛନ୍ତି। ୨୦୧୯ ନିର୍ବାଚନରେ ବିଜେପିକୁ ବିରୋଧୀ ଦଳର ମାନ୍ୟତା ଦେଇ କଂଗ୍ରେସକୁ ବ୍ୟାକଫୁଟ୍‌କୁ ଠେଲିଥିଲେ ଓଡ଼ିଶାର ଜନତା। ଦୁଇ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିବା ପରେ ବି କଂଗ୍ରେସ ଦେଢ଼ ବର୍ଷ ମଧ୍ୟରେ କେବଳ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତି କରି ଚାଲିଛି । ଆଗାମୀ ନିର୍ବାଚନରେ ଓଡ଼ିଶା କଂଗ୍ରେସ ମୁକ୍ତ ହେବା ବେଳେ ରାଜ୍ୟରେ କେବଳ ଦ୍ୱିପାକ୍ଷିକ ନିର୍ବାଚନ ହେବ ବୋଲି ଏହି ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

କରୋନା ମହାମାରୀ ସମୟରେ ଘରୁ ବାହାରି ନିଜ ମତ ସାବ୍ୟସ୍ତ କରିଥିବାରୁ ବାଲେଶ୍ୱର ଏବଂ ତିର୍ତୋଲବାସୀଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଦେବା ସହ ଲୋକଙ୍କ ରାୟଙ୍କୁ ସମ୍ମାନ ଜଣାଇଛନ୍ତି। ସେହିପରି କରୋନା ସମୟରେ ଘରୁ ବାହାରି କଠିନ ପରିଶ୍ରମ କରିଥିବା ଦଳୀୟ ନେତା ଏବଂ କାର୍ଯ୍ୟକର୍ତାଙ୍କୁ ସେ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ସୁଦୃଢ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବୁ ବୋଲି ସେ କହିଛନ୍ତି।

The post କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ସଭାପତି, ପରାଜୟର ଠୋସ୍‌ କାରଣ ଦର୍ଶାଇଲେନି first appeared on Sambad.



from ରାଜ୍ୟ – Sambad https://ift.tt/3knjcVF

Post a Comment

0 Comments