ନକଲି ଗୃହ ସଚିବ କାହ୍ନୁ ପ୍ରଧାନ ଗିରଫ: କାର୍‌, ଜାଲ୍‌ ପ୍ରମାଣପତ୍ର ଜବତ

ରଣପୁର: ରଣପୁର ଓ ଆଖପାଖ ଅଞ୍ଚଳରେ ନିଜକୁ ଗୃହ ସଚିବ କହି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବହୁଚର୍ଚ୍ଚିତ କାହ୍ନୁ ପ୍ରଧାନ(୩୫) ଆଜି ପୁଲିସ ହାତରେ ଗିରଫ ହୋଇଛି। ତା’ଠାରୁ ଏକ କାର୍‌ ସହ ବହୁ ନକଲି ପ୍ରମାଣପତ୍ର ଜବତ ହୋଇଥିବା ଜଣାଯାଇଛି। ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର କାହ୍ନୁ ପ୍ରଧାନ ଓରଫ କାହ୍ନୁ ଦୀର୍ଘଦିନ ଧରି ଲୋକଙ୍କୁ ନିଜକୁ ଗୃହ ସଚିବ, ଏପରିକି ଅନେକ ସମୟରେ ଏସ୍‌.ସିଏସ୍‌.ଟି କମିସନର୍‌, ବିଏମ୍‌ସି କମିସନର ଓ ଭାରତୀୟ ଜାତୀୟ ରାଜପଥ ଅଧିକାରୀର ପରିଚୟ ଦେଇ ବହୁ ଗରିବ ଯୁବକଙ୍କୁ ଚାକିରି କରାଇଦେବା ଓ ତହସିଲ୍‌, ବ୍ଲକ୍‌, ଏନ୍‌ଏସି, ପଞ୍ଚାୟତ, ସବ୍‌ରେଜିଷ୍ଟ୍ରାର୍‌, କୃଷି, ଶିକ୍ଷା, ଖଣି, କାଜୁ ଜଙ୍ଗଲ ନିଲାମ କରାଇଦେବା ଓ ବିଭିନ୍ନ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସହଜରେ କାମ ଓ ଚାକିରି କରାଇଦେବାକୁ କହି ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି। ଏ ନେଇ କାହ୍ନୁ ନାମରେ ଚାନ୍ଦପୁର ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ୨ ମାସ ଧରି ସେ ପୁଲିସ ନଜରରେ ଥିବାବେଳେ, ଗତକାଲି ଚଢ଼ଉ କରାଯାଇ ତାକୁ କଟକରୁ ଗିରଫ କରାଯାଇଥିଲା। ତେବେ ବହୁ ସଂଖ୍ୟାରେ ପୁଲିସ ଉପସ୍ଥିତି ଦେଖି କାହ୍ନୁ ହଡ଼ବଡ଼େଇ ଯାଇଥିଲା। ପୁଲିସ ଟିମ୍ ତତକ୍ଷଣାତ୍ କାହ୍ନୁକୁ କାବୁ କରିନେଇ ଚାନ୍ଦପୁର ଥାନାକୁ ଆଣି ପଚରାଉଚରା ଜାରି ରଖିଥିଲେ। କାହ୍ନୁଠାରୁ ଏକ କାର୍‌ (ଓଡି୦୨ ବିଜି୭୬୯୬), ବିଭିନ୍ନ ବିଭାଗର ୧୧ଟି ନକଲି ପ୍ରମାଣପତ୍ର (ଆଇ କାର୍ଡ), ୨ଟି ମୋବାଇଲ୍‌, ବିଭିନ୍ନ ବ୍ୟାଙ୍କ୍‌ର ୫ଟି ପାସ୍‌ବୁକ୍‌ ସହିତ ଚେକ୍‌ ବୁକ୍, ୧୫ଟି ଏଟିଏମ୍‌ କାର୍ଡ, ୨ଟି ଲାପ୍‌ଟପ୍ ଓ ଏକ ଡାଇରୀ ଜବତ ହୋଇଥିବା ଜଣାଯାଇଛି। ତେବେ ଉକ୍ତ ଡାଇରୀରେ ରଣପୁରର ବ୍ଲକ୍‌, ତହସିଲ, ଏନ୍‌ଏସି, ଶିକ୍ଷା ଆଦି ବିଭିନ୍ନ ବିଭାଗର ସମସ୍ତ ଅଧିକାରୀଙ୍କ ନମ୍ବର ଥିବା ବେଳେ ବହୁ ଆପତ୍ତିଜନକ ତଥ୍ୟ ଓ ଅଧିକାରୀଙ୍କ ନାମ ମିଳିଛି ବୋଲି ଆଇଆଇସି ଶ୍ରୀ ଦାଶ କହିଛନ୍ତି।

ଅପରପକ୍ଷରେ, ବିଭିନ୍ନ ରାଜନେତାଙ୍କ ସହ କାହ୍ନୁର ସମ୍ପର୍କକୁ ନେଇ ବାରମ୍ବାର ଚର୍ଚ୍ଚା ହୋଇଆସୁଥିବା ବେଳେ ଏହି ଗିରଫଦାରୀ ପରେ ରଣପୁରନିର୍ବାଚନୀ ମଣ୍ତଳୀର ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ସେହିପରି ବହୁଚର୍ଚ୍ଚିତ ରାଇପଡ଼ା କାଜୁ ଜଙ୍ଗଲ ନିଲାମକୁ ନେଇ ଡବଲ ମର୍ଡର ଘଟଣାରେ କାହ୍ନୁର ସଂପୃକ୍ତି ତଥା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଆଇଆଇସି ଶ୍ରୀ ଦାଶ କହିଛନ୍ତି। ତେବେ ବିଭିନ୍ନ ବିଭାଗରେ ଚାକିରି କରାଇଦେବାକୁ କହି ଅନେକ ବିଭାଗୀୟ ଅଧିକାରୀଙ୍କୁ ଯୁବତୀ ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଶ୍ରୀ ଦାଶ କହିଛନ୍ତି। ତେବେ କାହ୍ନୁ ଗିରଫ ପରେ ରଣପୁର-ଟାଙ୍ଗୀ ଅଞ୍ଚଳର ପ୍ରଶାସକଙ୍କ ମଧ୍ୟରେ ଛନକା ପଶିଥିବା ପରିଲକ୍ଷିତ ହୋଇଛି। ଆଜି ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

The post ନକଲି ଗୃହ ସଚିବ କାହ୍ନୁ ପ୍ରଧାନ ଗିରଫ: କାର୍‌, ଜାଲ୍‌ ପ୍ରମାଣପତ୍ର ଜବତ first appeared on Sambad.



from ରାଜ୍ୟ – Sambad https://ift.tt/3pn6Oc3

Post a Comment

0 Comments