ଝିଅକୁ ଜାଳିଦେଲା ବାପା! ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,ଥାନାରେ ବାପା ଅଟକ

ବଲାଙ୍ଗୀର/ ବେଲପଡ଼ା : ନିଜ ଔରସରୁ ଜନ୍ମିତ ଝିଅକୁ ଜାଳିଦେଇଛି ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଡେବ୍ରିପାଲି ଗାଁରେ। ଗାଁର ଅରକ୍ଷିତ ନାଗ ନିଜ ନାବାଳିକା ଝିଅ ସୂର୍ଯ୍ୟକାନ୍ତି ନାଗଙ୍କ ଦେହରେ ପେଟ୍ରୋଲ ଢାଳି ଜାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂର୍ଯ୍ୟକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡ଼ା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ପଡ଼ୋଶୀ ଲୋକ ଉଦ୍ଧାର କରି ଆଣି ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ଓ ସେଠାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଝିଅର ମାମୁ ଘର ଲୋକ ତାଙ୍କ ବାପା ଅରକ୍ଷିତ ହିଁ ଏହା କରିଥିବା ଅଭିଯୋଗ କରିଛନ୍ତି। ଏପଟେ ବେଲପଡ଼ା ଥାନା ପୁଲିସ ଅରକ୍ଷିତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅରକ୍ଷିତ ପ୍ରାୟ ୨୦ ବର୍ଷ ତଳେ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖି ବିବାହ କରିଥିଲେ। ତାଙ୍କ ଝିଅଟିଏ ଜନ୍ମ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଅରକ୍ଷିତଙ୍କ ପତ୍ନୀ ନିଜ ବାପଘରେ ରହିଥିଲେ। ଆଉ ଅରକ୍ଷିତ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ଆଡ଼ୁ ମଧ୍ୟ ମଧ୍ୟ ଜଣେ ପୁଅ ଓ ଝିଅ ଅଛନ୍ତି। ଏଭଳି ସ୍ଥିତିରେ କିଛି ମାସ ତଳେ ପ୍ରଥମ ସ୍ତ୍ରୀଙ୍କ ଝିଅ ସୂର୍ଯ୍ୟକାନ୍ତିଙ୍କୁ ଅରକ୍ଷିତ ନିଜ ପାଖରେ ରଖିବାକୁ ସମାଜ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଝିଅ ଅରକ୍ଷିତଙ୍କ ଘରକୁ ଯିବା ପରେ ଅରକ୍ଷିତଙ୍କ ଦ୍ୱିତୀୟ ସ୍ତ୍ରୀ ଏହାକୁ ନାପସନ୍ଦ କରୁଥିଲେ। ରବିବାର ରାତି ପ୍ରାୟ ଅଢ଼େଇଟା ସମୟରେ ଅରକ୍ଷିତ ସୂର୍ଯ୍ୟକାନ୍ତିଙ୍କ ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାମୁଘର ପରିବାର। ଝିଅର ପାଟି ଶୁଣି ପାଖପଡ଼ିଶା ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

The post ଝିଅକୁ ଜାଳିଦେଲା ବାପା! ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,ଥାନାରେ ବାପା ଅଟକ first appeared on Sambad.



from ରାଜ୍ୟ – Sambad https://ift.tt/3kUmAHH

Post a Comment

0 Comments