ମୋଷ୍ଟ ୱାଣ୍ଟେଡ୍‌ ନିଶା ମାଫିଆ ମୁନା ଗିରଫ, ୨୩ ଲକ୍ଷ ଟଙ୍କା ସହ ୬୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ

ବାଲେଶ୍ୱର : ବାଲେଶ୍ବର ଅରଡ଼ବଜାର ମସଜିଦ୍‌ ଗଳିରୁ ମୋଷ୍ଟ ୱାଣ୍ଟେଡ୍‌ ନିଶା ମାଫିଆ ମୁନା ଓରଫ୍‌ ୱାସିଦ୍‌ ଅହମ୍ମଦ ଖାନ୍‌ (୨୭)କୁ ଆଜି ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ସହଦେବଖୁଣ୍ଟା ଥାନା ପୁଲିସ ଗିରଫ କରିଛି। ତା’ଠାରୁ ନଗଦ ୨୩ ଲକ୍ଷ ଟଙ୍କା, ୬୫ ଗ୍ରାମର ବ୍ରାଉନ୍‌ସୁଗାର ଓ ୩ଟି ମୋବାଇଲ ଜବତ କରାଯାଇଛି। ତେବେ ଅଭିଯୁକ୍ତ ମୁନାର ଡାହାଣ ହାତ କୁହାଯାଉଥିବା ବାପୁନା ଓରଫ୍‌ କାର୍ତ୍ତିକ ଦାସ ପୁଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଛି। ଏ ନେଇ ଥାନା କେସ୍ ନଂ ୩୨୫/୨୦ରେ ମାମଲା ରୁଜୁ କରାଯିବା ସହ ମୁନାକୁ କୋର୍ଟଚାଲାଣ କରାଯାଇଛି।

ପୁଲିସ ସୂଚନା ମୁତାବକ, କୁଖ୍ୟାତ ନିଶା ମାଫିଆ ସେକ୍‌ ରାଜାର ଭିଣୋଇ ହେଉଛି ଅରଡ଼ବଜାର ମସଜିଦ୍‌ ଗଳିର ମୁନା ଖାନ୍‌। ଧଳାଜହର କାରବାରରେ ସେକ୍‌ ରାଜା ଗିରଫ ହେବା ପରେ ତାର ପରିବାର, ସାଙ୍ଗସାଥୀ ଓ ସମ୍ପର୍କୀୟ ଡ୍ରଗ୍ସ ବେପାରରେ ଲିପ୍ତ ଥିବା‌ ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା। ଏଥିପାଇଁ ସମସ୍ତଙ୍କ ଉପରେ କଡ଼ା ନଜର ରଖିଥିଲା ଏସ୍‌ଟିଏଫ୍‌। ଆଜି ଦ୍ବିପ୍ରହର ସମୟରେ ମୁନା ଓ ତାର ବିଶ୍ବସ୍ତ ସହଯୋଗୀ ଅରଡ଼ବଜାର ମସଜିଦ ଗଳିର ବାପୁନା ଓରଫ୍‌ କାର୍ତ୍ତିକ ଦାସ ବ୍ରାଉନ୍‌ସୁଗାର ସହ ଟଙ୍କା ଭର୍ତ୍ତି ବ୍ୟାଗ ଧରି ବାହାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲେ କ୍ରାଇମ୍‌ ଡିଏସ୍‌ପି ମନୋଜ ରାଉତ। ଆଉ ବିଳମ୍ବ ନ କରି ଶ୍ରୀ ରାଉତଙ୍କ ନେତୃତ୍ବରେ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଏବଂ ସହଦେବଖୁଣ୍ଟା ଥାନା ପୁଲିସର ଏକ ମିଳିତ ଟିମ୍‌ ସେଠାରେ ଚଢ଼ଉ କରିଥିଲେ। ପୁଲିସ ଚାରିପଟୁ ଘେରି ଯାଇଥିବା ଜାଣିବା ପରେ ମୁନା ଘର କବାଟ ସାଙ୍ଗେ ସାଙ୍ଗେ ବନ୍ଦ ହୋଇ ଯାଇଥିଲା। ପୁଲିସ ବାରମ୍ବାର କବାଟ ବାଡ଼େଇବା ପରେ ଜଣେ ମହିଳା କବାଟ ଖୋଲିଥିଲେ। ଏତିକିବେଳେ ମୁନା‌ ଓ ବାପୁନା ଟଙ୍କା ଭର୍ତ୍ତି ବ୍ୟାଗ ସହ ବ୍ରାଉନ୍‌ସୁଗାର ଧରି ଛାତ ଉପରୁ ଡେଇଁ ପଡି ଧାଇଁଥିଲେ। ଗଳି ରାସ୍ତାରେ ପୁଲିସ ଦୁହିଁଙ୍କୁ ଗୋଡ଼ାଇଥିଲା। ତେବେ ମୁନା‌ ପଡ଼ିଯାଇ ପୁଲିସ ହାତରେ ଧରାପଡ଼ିଥିବା ବେଳେ ବାପୁନା ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ ଓ ବ୍ରାଉନ୍‌ସୁଗାର ପୁଡ଼ିଆ ଫିଙ୍ଗିଦେଇ ସେଠାରୁ ଖସି ଯାଇଥିଲା। ଗିରଫ ସମୟରେ ମୁନାଠାରୁ ୩ଟି ମୋବାଇଲ ଜବତ ହୋଇଛି। ପରେ ତାକୁ ଥାନାକୁ ଆଣି ପଚରାଉଚୁରା କରାଯିବା ସହ ଜବତ ମୋବାଇଲଗୁଡ଼ିକର ‌କଲ ରେକର୍ଡ ଯାଞ୍ଚ୍‌ କରାଯାଉଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଡିଏସ୍‌ପି ଶ୍ରୀ ରାଉତ କହିଛନ୍ତି।

The post ମୋଷ୍ଟ ୱାଣ୍ଟେଡ୍‌ ନିଶା ମାଫିଆ ମୁନା ଗିରଫ, ୨୩ ଲକ୍ଷ ଟଙ୍କା ସହ ୬୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ first appeared on Sambad.



from ରାଜ୍ୟ – Sambad https://ift.tt/3lQCeoS

Post a Comment

0 Comments