ବିଧାନସଭାର ଶୀତ ଅଧିବେଶନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପିଏମ୍‌ ଆବାସ ଦୁର୍ନୀତି, ସୀମା ବିବାଦ ବିଜେପିର ପ୍ରସଙ୍ଗ ହେବ

ଭୁବନେଶ୍ୱର : ଶୁକ୍ରବାର ଠାରୁ ବିଧାନସଭାର ଶୀତ ଅଧିବେଶନ। ଆଜି ବିଜେପି ବିଧାୟକ ଦଳ ବୈଠକ ବସି ରଣନୀତି ସ୍ଥିର ହୋଇଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ବେରୋଜଗାର, ମଣ୍ଡି ଅବ୍ୟବସ୍ଥା, କୋଭିଡ ପରିଚାଳନାରେ ବିଫଳତା, ପିଏମ୍‌ ଆବାସ ଦୁର୍ନୀତି ଓ ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇ ବିଜେପି ଶାସକ ଦଳକୁ ଘେରିବାକୁ ଯୋଜନା କରିଛି। ପୁଣି ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଯୌନ ସଂପର୍କ ରଖିବା ପାଇଁ ବାଧ୍ୟ କରାଯିବା ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ମଧ୍ୟ ବିଜେପି ଉଠାଇବ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକ ପରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚଳିତ ବିଧାନସଭା ଅଧିବେଶନରେ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ। ୨୦ ବର୍ଷ ଶାସନ ପରେ ବି ରାଜ୍ୟ ସରକାର କୌଣସି କଥାକୁ ଗୁରୁତ୍ୱ ଦେଲେ ନାହିଁ। ନା ଗାଁକୁ କାମ ମିଳିଲା ନା ମାକୁ ସମ୍ମାନ ମିଳିଛି। ନାରୀ ନିର୍ଯାତନା ଘଟଣା ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ମଣ୍ଡିତ କରୁଛି। କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗରିବ ଅସହାୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁଥିଲେ ହେଁ ସରପଞ୍ଚ ଘର ଦେବା ପାଇଁ ହିତାଧିକାରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି। ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ସମାନ ଢଙ୍ଗରେ ଘର କରାଇବା ନାଁରେ ପଞ୍ଚାୟତ ଅଫିସରେ ଜଣେ ମହିଳାଙ୍କ ସହ ବିଜେଡି ନେତାମାନେ ଦୁଷ୍କର୍ମ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ଲାଗି ବିଜେଡି ନେତାମାନେ ଚଞ୍ଚକତା କରି ହିତାଧିକାରୀଙ୍କ ଠାରୁ ହଜାର ହଜାର ଟଙ୍କା ହଡପ କରୁଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଗଲାଣି। ଏବେ ବି ଅନେକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ। ରାଜ୍ୟ ସରକାର ପାଖାପାଖି ୯୦୦୦ ସ୍କୁଲକୁ ବନ୍ଦ କରିସାରିଲେଣି। ଏହି ସବୁ ବିଷୟକୁ ବିଧାନସଭାରେ ଆଲୋଚନା କରାଯିବ।

ବିରୋଧୀ ଦଳ ନେତା ଶ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ୍‌ ଧାନ ପଡ଼ି ରହୁଛି। ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶୀକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଞ୍ଚିତ ହେଉଛି। ମଣ୍ଡିର ଅଭାବ ଯୋଗୁଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମ୍‌ଏସ୍‌ପିରୁ କମ୍ ଦରରେ ଚାଷୀ ନିଜର ଉତ୍ପାଦିତ ଅମଳ ବିକ୍ରି କରୁଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି। ସୀମାବର୍ତୀ ଗ୍ରାମଗୁଡ଼ିକରେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବାରେ ବିଫଳ ହୋଇଛନ୍ତି। କୋଭିଡ୍‌ ପରିଚାଳନା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦେଇଥିବା ବେଳେ ଏଠାରେ ସରକାର ଏହାକୁ ଠିକ ଢଙ୍ଗରେ ଖର୍ଚ୍ଚ କରିପାରି ନାହାନ୍ତି। ଏହିପରି ଅନେକ ପ୍ରସଙ୍ଗକୁ ବିଜେପି ବିଧାୟକ ଦଳ ଗୃହରେ ଉପସ୍ଥାପନା କରିବା ସହ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଏବଂ ଭକ୍ତଙ୍କ ଆବେଗକୁ ହୃଦୟଙ୍ଗମ କରି ମନ୍ଦିର ଖୋଲିବା ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ଦଳ ଦାବି କରିବ ବୋଲି ଶ୍ରୀ ନାଏକ କହିଛନ୍ତି।

ବିଧାୟକ ଦଳ ବୈଠଳରେ ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସମେତ ଦଳର ସମସ୍ତ ବିଧାୟକ, ବିଧାୟିକା ଉପସ୍ଥିତ ଥିଲେ।

The post ବିଧାନସଭାର ଶୀତ ଅଧିବେଶନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପିଏମ୍‌ ଆବାସ ଦୁର୍ନୀତି, ସୀମା ବିବାଦ ବିଜେପିର ପ୍ରସଙ୍ଗ ହେବ first appeared on Sambad.



from ରାଜ୍ୟ – Sambad https://ift.tt/35KkbuU

Post a Comment

0 Comments