ଏସ୍‌ସିବି ଆଇସିୟୁରେ ଅକ୍ସିଜେନ ପାଇପ୍‌ ଫାଟିଲା; ୨ ଗୁରୁତର ରୋଗୀ ସ୍ଥାନାନ୍ତର, ଅକ୍ସିଜେନ୍‌ ପ୍ଲାଣ୍ଟ ବନ୍ଦ

କଟକ : ଏସ୍‌ସିବିରେ ଗତକାଲି ଅର୍ଦ୍ଧରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। କାର୍ଡିଓଥୋରାସିସ୍ ବିଭାଗ ଆଇସିୟୁରେ ଅକ୍ସିଜେନ୍ ପାଇପ୍ ଫାଟି ଯାଇଛି। ଏଥିପାଇଁ ଜଣେ ୧୬ ବର୍ଷୀୟା ବାଳିକାର ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି। ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଅକ୍ସିଜେନ୍‌ ପ୍ଲାଣ୍ଟକୁ ବନ୍ଦ କରାଯିବା ସହିତ ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଓପନ୍‌ ହାର୍ଟ ସର୍ଜରି ବନ୍ଦ ରହିବ ବୋଲି ଜଣାଇ ଦିଆଯାଇଛି।

କ‌ାର୍ଡିଓଥୋରାସିସ୍‌ ବିଭାଗରେ ଦୀର୍ଘଦିନ ହେଲା ଆଇସିୟୁ ଅକ୍ସିଜେନ ପାଇପ୍‌ରେ ଲିକେଜ୍‌ ରହିଥିଲା। ଏ ନେଇ ବିଭାଗ ପକ୍ଷରୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଚିଠି ମଧ୍ୟ ଦିଆଯାଇଛି। କିନ୍ତୁ ତାହାର କାମଚଳା ଢଙ୍ଗରେ ମରାମତି କରି ଛାଡ଼ି ଦିଆଯାଇଛି। ଯାହାଫଳରେ, ଗତକାଲି ରାତି ପ୍ରାୟ ସାଢେ ୧୨ଟାରେ ହାଠାତ୍‌ ଆଇସିୟୁରେ ଅକ୍ସଜେନ୍‌ ପାଇପ୍‌ ଫାଟିବା ସହ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପାଇପ୍ ଫାଟିବା ଯୋଗୁଁ ପ୍ରଚଣ୍ଡ ଶବ୍ଦ ହେବା ସହିତ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ଅକ୍ସିଜେନ୍‌ ପ୍ଲାଣ୍ଟକୁ ବନ୍ଦ କରାଯିବା ସହ ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ମାଧ୍ୟମରେ ଅକ୍ସିଜେନ୍ ଦେବା ବ୍ୟବସ୍ଥା କରାଯାଇଥିଲା।

ଏଭଳି ସ୍ଥିତିରେ ଆଜି ଅପରେସନ ହେବାକୁ ଥିବା ଜଣେ ୧୬ ବର୍ଷର ବାଳିକାର ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି। ଶେଷ ମୁହୂର୍ତ୍ତରେ ଅସ୍ତ୍ରୋପଚାର ବନ୍ଦ ହେବା ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଝିଅର ବାପା କ୍ଷେତ୍ରବାସୀ ସେଠୀ ଏସ୍‌ସିବି ପ୍ରଶାସନିକ ଅଧିକାରୀଙ୍କୁ ସାକ୍ଷାତ କରି ତୁରନ୍ତ କିପରି ତାଙ୍କ ଝିଅର ଅସ୍ତ୍ରୋପଚାର କରାଯିବ, ସେଥିପାଇଁ ଅନୁରୋଧ କରିଛନ୍ତି। ଅନ୍ୟପଟେ ସ୍ଥିତି ସ୍ବାଭାବିକ ନ ହେବା ଯାଏ ଓପନ ହାର୍ଟ ସର୍ଜରି ବନ୍ଦ ରହିବ ବୋଲି ସୂଚନା ମିଳିଛି। ପୂର୍ବରୁ ବି ବିଭାଗରେ ଅନେକଥର ଅକ୍ସିଜେନ୍ ପାଇପ୍ ଲିକ୍ ହେବାର ଅଭିଯୋଗ ରହି ଆସିଥିଲେ ବି ଅବହେଳାରୁ ପାଇପ୍ ଫାଟିବା ଯାଏ ପରିସ୍ଥିତି ଗଲା ବୋଲି ଅଭିଯୋଗ ହେଉଛି।

କଟକ ବଡ଼ଡାକ୍ତରଖାନାକୁ ଏମ୍ସ ପ୍ଲସ୍‌ କରାଯିବ ବୋଲି ପ୍ରଚାର ଚାଲିଥିବା ବେଳେ ଏଯାଏ ବିଭିନ୍ନ ବିଭାଗର ମୌଳିକ ଭିତ୍ତିଭୂମି ସୁଧୁରିନାହିଁ। ଯାହାଫଳରେ, ଏହିଭଳି ଘଟଣା ଘଟିଥିବା କୁହାଯାଉଥିବାବେଳେ ବୁଦ୍ଧିଜୀବୀ ମହଲରେ ବି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

The post ଏସ୍‌ସିବି ଆଇସିୟୁରେ ଅକ୍ସିଜେନ ପାଇପ୍‌ ଫାଟିଲା; ୨ ଗୁରୁତର ରୋଗୀ ସ୍ଥାନାନ୍ତର, ଅକ୍ସିଜେନ୍‌ ପ୍ଲାଣ୍ଟ ବନ୍ଦ first appeared on Sambad.



from ରାଜ୍ୟ – Sambad https://ift.tt/3nLs2hS

Post a Comment

0 Comments