
ସବିତା ଆଚାର୍ଯ୍ୟ ଉତ୍କଳ, ଅପରାଜିତା ଚୌଧୁରୀ ରମାଦେବୀ କୁଳପତି
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ହେଲେ କିଶୋର ବାସା
ଭୁବନେଶ୍ୱର : ବହୁ ବାଦ ବିବାଦ ପରେ ରାଜ୍ୟର ୬ ସରକାରୀ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ହୋଇଛନ୍ତି। ବର୍ତମାନର କୁଳପତିମାନଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବାରୁ ତା’ ପୂର୍ବରୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର୍ ଗଣେଶୀ ଲାଲ୍ ନୂତନ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର୍ ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଥିବା ବେଳେ ପ୍ରଫେସର୍ ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ପ୍ରଫେସର୍ ଦିନବନ୍ଧୁ ସାହୁଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ପ୍ରଫେସର ଏନ୍. ନାଗରାଜୁଙ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର୍ କିଶୋର କୁମାର ବାସାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ପ୍ରଫେସର୍ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଚୟନ କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନର ଧାରା ୬ର ଉପଧାରା (୭) ଓ (୧) ଅନୁଯାୟୀ ଉକ୍ତ ୬ଜଣ ନବନିଯୁକ୍ତ କୁଳପତି କାର୍ଯ୍ୟରେ ଯୋଗ ଦେବା ଦିନରୁ ୪ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ନବନିଯୁକ୍ତ କୁଳପତିମାନେ ଆସନ୍ତା ୭ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ରାଜଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ବଡ଼ କଥା ହେଉଛି ଯେ ରାଜ୍ୟପାଳଙ୍କ ସହଧର୍ମିଣୀ ସୁଶୀଳା ଦେବୀଙ୍କର ଆଜି ବିୟୋଗ ସତ୍ତ୍ବେ ୬ଟି ବିଶ୍ବବିଦ୍ୟାଳୟ କୁଳପତି ପଦ ଲାଗି ସାକ୍ଷାତକାର ନିଆଯାଇଥିଲା। ଏମିତିକି କୁଳପତି ଚୟନ ପ୍ରକ୍ରିୟା ବାତିଲ୍ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ସୁଦ୍ଧା ୬ଟି ବିଶ୍ବବିଦ୍ୟାଳୟ ଲାଗି ସଂକ୍ଷିପ୍ତ ତାଲିକାରେ ଥିବା ୧୬ଜଣ ପ୍ରଫେସର୍ ରାଜଭବନରେ ପହଞ୍ଚିଥିଲେ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଅପରାହ୍ଣ ଗୋଟାଏରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ରାଜଭବନ ପକ୍ଷରୁ ପ୍ରଫେସର୍ମାନଙ୍କ ସାକ୍ଷାତକାର ନିଆଯାଇଥିଲା ଏବଂ ସନ୍ଧ୍ୟାରେ ନୂତନ କୁଳପତିଙ୍କ ନାମ ଘୋଷଣା ହୋଇଥିଲା।
The post ୬ ବିଶ୍ୱବିଦ୍ୟାଳୟର ନୂତନ କୁଳପତି first appeared on Sambad.
from ରାଜ୍ୟ – Sambad https://ift.tt/3fqle6q
0 Comments