
କଟକ : ବଳିଆ ଚାଲିଯିବା ପରେ ଏବେ ଜଗା ଉପରେ ସମସ୍ତଙ୍କ ନଜର। ଜଗା ସୁସ୍ଥ ଅଛି, ହେଲେ ଗତକାଲିଠାରୁ ମୁହଁ ଶୁଖାଇ ବସିଛି। ଯଦିଓ ସେ ଖେଳୁଛି, ବୁଲୁଛି, ତା’ ମନରେ କିନ୍ତୁ ସରସତା ନଥିବା ଦେଖିବାକୁ ମିଳିଛି। ଏସ୍ସିବିର ବିଶେଷଜ୍ଞ ଟିମ୍ ଜଗାର ମାନସିକ ସ୍ଥିତି ଉପରେ ନଜର ରଖିଛନ୍ତି। ବଳିଆର ମୃତଦେହ ସତ୍କାର ପାଇଁ ତାର ବାପା-ମା ଗତକାଲି ରାତିରୁ ଗାଁକୁ ଯାଇଥିବାବେଳେ ଜଗା ଏସସିବିର ନର୍ସ ଓ ‘ସହାୟ’ର ୩ ଜଣ ସହାୟିକାଙ୍କ ସହାୟତାରେ ରହିଥିଲା। ଅନ୍ୟପଟେ ଜଗାର ମୁଣ୍ଡରେ ହେବାକୁ ଥିବା ଅସ୍ତ୍ରୋପଚାରକୁ ଆହୁରି ଦେଢ ବର୍ଷ ବାକି ଥିବାବେଳେ ଜଗା ଏସ୍ସିବିରେ ରହିବ ନାଁ ତାକୁ ଗାଁକୁ ପଠାଇଦିଆଯିବ, ତାହା ସରକାରଙ୍କ ନିଷ୍ପତ୍ତି ଉପରେ ଅଟକିଛି। ଜଗାର ମା’ ଗାଁକୁ ଚାଲିଯିବାକୁ ବାରମ୍ବାର ଅନୁରୋଧ କରି ଆସୁଛନ୍ତି।
ଅନ୍ୟପକ୍ଷରେ ବଳିଆର ମୃତଦେହକୁ ତାଙ୍କ ବାପା-ମା’ ମହାପ୍ରୟାଣ ଗାଡ଼ିରେ ଗାଁକୁ ନେଇଥିଲେ। ସେଠାରେ ପରମ୍ପରା ଅନୁସାରେ ଶବ ସତ୍କାର ପରେ ମା ଗାଁରେ ରହିଥିବାବେଳେ ବାପା ଆଜି ସଂଧ୍ୟାରେ ଫେରି ଆସିଥିବା ଏସ୍ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
The post ମୁହଁ ଶୁଖାଇ ବୁଲୁଛି ଜଗା, ଏସ୍ସିବିରେ ନର୍ସ ଓ ସହାୟିକାଙ୍କ ସହ ଗୋଟିଏ ଦିନ ରହିଲା ଜଗା first appeared on Sambad.
from ରାଜ୍ୟ – Sambad https://ift.tt/2JltUiM
0 Comments