ଅସ୍ତରଙ୍ଗ ବ୍ଲକ୍‌ରେ ବୃକ୍ଷରୋପଣ ନାଁରେ ବ୍ୟାପକ ହରିଲୁଟ୍‌ ଘଟଣା : ଭିଜିଲାନ୍‌ସ ତଦନ୍ତ ନିର୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌ ଘଟଣାର ଭିଜିଲାନ୍‌ସ ତଦନ୍ତ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଭିଜିଲାନ୍‌ସର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଏହାର ତଦନ୍ତ କରାଯିବା ସହିତ ଏଥିରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ରହିଛି କି ନାହିଁ ତାହାର ଏକ ରିପୋର୍ଟ ଆସନ୍ତା ୩ ମାସ ଭିତରେ ପ୍ରଦାନ କରିବା ଲାଗି ଲୋକାୟୁକ୍ତ କହିଛନ୍ତି। ଆସନ୍ତାବର୍ଷ ଫେବ୍ରୁଆରି ୧୮ରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଅସ୍ତରଙ୍ଗ ବ୍ଲକ୍‌ର ନୂଆଗଡ଼, ଝାଡ଼ଲିଙ୍ଗ, ନଗର, ନାଇଗୁଆଁ ଓ ତାଳଦା ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନା ଜରିଆରେ ବୃକ୍ଷରୋପଣ ନାଁରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ୨୦୧୮/୧୯ ଓ ୧୯/୨୦ବର୍ଷରେ ଏହି ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ସୂଚନାଧିକାର କର୍ମୀ ଜିତେନ୍ଦ୍ର ସ୍ବାଇଁ ଏ ନେଇ ଲୋକାୟୁକ୍ତଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। କେବଳ ବୃକ୍ଷରୋପଣ ନାଁରେ ନୁହେଁ, ଏନ୍‌ଏମ୍‌ଏସ୍‌ଏ (ଆରଏଡି) ଯୋଜନାରେ ଆତ୍ମନିର୍ଭର ହେବା ଲାଗି ଗୃହପାଳିତ ପଶୁପାଳନ ନାଁରେ ୪୦ ଲକ୍ଷ ଟଙ୍କା ହରିଲୁଟ୍‌ କରାଯାଇଥିବା ସେ ଦର୍ଶାଇଥିଲେ। ଗତବର୍ଷ ବାତ୍ୟା ‘ଫନି’ ଆସିବା ପୂର୍ବରୁ ଗଛ ଲଗାଇବା ନାଁରେ ଅର୍ଥ ହରିଲୁଟ୍‌ ହୋଇଥିବା ବେଳେ ବିଭାଗ ପକ୍ଷରୁ ଏସବୁ ଗଛ ‘ଫନି’ରେ ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ତେବେ ଅସ୍ତରଙ୍ଗ ବ୍ଲକ୍‌ରେ ‘ଫନି’ର ବିଶେଷ ପ୍ରଭାବ ନ ଥିଲା ତେଣୁ ଏଭଳି ବିଭାଗର ସୂଚନାରେ ସତ୍ୟତା ନ ଥିବା ଜିତେନ୍ଦ୍ର କହିଥିଲେ।

ଲୋକାୟୁକ୍ତ ଏହି ଅଭିଯୋଗକୁ ଭିତ୍ତିକରି ବୃକ୍ଷରୋପଣ ନାଁରେ ହୋଇଥିବା ହରିଲୁଟ୍‌ ଘଟଣାର ଭିଜିଲାନ୍‌ସ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହାସହ ହରିଲୁଟ୍‌ରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି, ବାତ୍ୟାର ପ୍ରକୃତରେ କ’ଣ ପ୍ରଭାବ ରହିଥିଲା ଓ ଏନ୍‌ଏମ୍‌ଏସ୍‌ଏ(ଆରଏଡି)ରେ ପ୍ରକୃତରେ ହିତାଧିକାରୀଙ୍କୁ ସୁବିଧା ମିଳିଛି କି ନାହିଁ ତାହାର ତଦନ୍ତ କରିବା ଲାଗି ଭିଜିଲାନ୍‌ସକୁ କହିଛନ୍ତି।

The post ଅସ୍ତରଙ୍ଗ ବ୍ଲକ୍‌ରେ ବୃକ୍ଷରୋପଣ ନାଁରେ ବ୍ୟାପକ ହରିଲୁଟ୍‌ ଘଟଣା : ଭିଜିଲାନ୍‌ସ ତଦନ୍ତ ନିର୍ଦେଶ ଦେଲେ ଲୋକାୟୁକ୍ତ first appeared on Sambad.



from ରାଜ୍ୟ – Sambad https://ift.tt/3992VSb

Post a Comment

0 Comments