‌ଦେଢ଼ ଡିଗ୍ରି ଖସିଲା ପାରଦ, ୧୦ ଡିଗ୍ରି ତଳେ ୨ ସହର

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ରାଜ୍ୟର ୨ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ରେକର୍ଡ ହୋଇଥିବା ବେଳେ ମୋଟ ୧୩ ସହର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା‌ ୯ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗବାଡ଼ିରେ ବି ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରହିଥିଲା। ଅନ୍ୟପଟେ ଆହୁରି ୧୧ ସହର ତାପମାତ୍ରା ୧୫ଡିଗ୍ରି ତଳକୁ ଖସିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା, ଅନୁଗୁଳ ୧୦.୬ ଡିଗ୍ରି, ଝାରସୁଗୁଡ଼ା ୧୩.୨ ଡିଗ୍ରି, ବାରିପଦା ୧୨.୪ ଡିଗ୍ରି, କେନ୍ଦୁଝର ୧୨.୦ ଡିଗ୍ରି, ଭବାନୀପାଟଣା ୧୨.୮ ଡିଗ୍ରି, ବଲାଙ୍ଗୀର ୧୪.୦ ଡିଗ୍ରି, କୋରାପୁଟ, ୧୩.୦ ଡିଗ୍ରି, ଫୁଲବାଣୀ ୧୧.୩ ଡିଗ୍ରି, ତାଳଚେର ୧୫.୦ ଡିଗ୍ରି, କଟକ ୧୪.୮ ଡିଗ୍ରି ଓ ସୁନ୍ଦରଗଡ଼ ୧୫.୦ ଡିଗ୍ରି। ଆସନ୍ତା ୪/୫ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସେମିତି କୌଣସି ବିଶେଷ ପରିବର୍ତନ ପରିଲକ୍ଷିତ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପବଳୟ ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଅବପାତ ସୃଷ୍ଟି ହୋଇଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏବେ ପୂର୍ବ-ଦକ୍ଷିଣ ପୂର୍ବ କନ୍ୟାକୁମାରୀଠାରୁ ୧୧୨୦କିମି ଦୂରତାରେ ରହିଛି। ଏହା ଆସନ୍ତା ୧୨ ଘଣ୍ଟାରେ ଆହୁରି ଘନୀଭୂତ ହେବ ଓ ଗଭୀର ଅବପାତର ରୂପ ନେବ। ଏହା ସମୁଦ୍ର ଭିତରେ ଆହୁରି ଅଧିକ ବଳ ଗୋଟାଇ ପରବର୍ତୀ ୨୪ଘଣ୍ଟାରେ ସାମୁଦ୍ରିକ ବାତ୍ୟାର ରୂପ ନେବ। ଏହାପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ଓ ୨ ତାରିଖ ବେଳକୁ ଶ୍ରୀଲଙ୍କା ଉପକୂଳ ଦେଇ ଅତିକ୍ରମ କରିବ। ତେବେ ଏହାର ପ୍ରଭାବ ତାମିଲନାଡୁ କି ଭାରତ ଉପରେ କ’ଣ ରହିବ, ତାହା ଆସନ୍ତା ୧୨ଘଣ୍ଟା‌ରେ ସ୍ପଷ୍ଟ କହି ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

The post ‌ଦେଢ଼ ଡିଗ୍ରି ଖସିଲା ପାରଦ, ୧୦ ଡିଗ୍ରି ତଳେ ୨ ସହର first appeared on Sambad.



from ରାଜ୍ୟ – Sambad https://ift.tt/3ljzpvu

Post a Comment

0 Comments