ଲୋୟର ସୁକତେଲ ପ୍ରସଙ୍ଗ, ଉଚ୍ଚସ୍ତରୀୟ କମିଟିକୁ ବିସ୍ଥାପିତଙ୍କ ବିରୋଧ

ବଲାଙ୍ଗୀର: ଦୀର୍ଘ ୨ ବର୍ଷ ହେଲା ଲୋୟର ସୁକତେଲ କାମ ବନ୍ଦ ରହିଛି। ବିସ୍ଥାପିତମାନଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନି। ୨୦୧୩ ପଲିସିରେ କ୍ଷତିପୂରଣ ଓ ଥଇଥାନ କରାଯାଉ, ତାପରେ କାମ ଆରମ୍ଭ ହେଉ ବୋଲି ବିସ୍ଥାପିତମାନେ ଅଡ଼ି ବସିଛନ୍ତି। ହେଲେ ଦାବିକୁ ନେଇ ସରକାର ନିରବ। ଏପଟେ ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ଟିମ କାମ ଆରମ୍ଭ କରିବାକୁ ବଲାଙ୍ଗୀର ଗସ୍ତ କରିଛି। ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ଜମି ଅଧିଗ୍ରହଣ ଓ ଥଇଥାନ ନିେର୍ଦ୍ଦଶକ ରାଜେନ୍ଦ୍ର ପଟ୍ଟନାୟକ, ଟେକ୍‌ନିକାଲ ଟିମ୍‌ ସହ ଲୋୟର ସୁକତେଲ ଡ୍ୟାମ ସାଇଟ୍‌କୁ ଯାଇଥିଲେ। ବିସ୍ଥାପିତମାନେ କିଛି ସମୟ ଅଧିକାରୀମାନଙ୍କ କଥାବାର୍ତ୍ତା ଶୁଣିବା ପରେ କେବେ ୨୦୧୩ ପଲିସିରେ କ୍ଷତିପୂରଣ ମିଳିବ ବୋଲି ପ୍ରଶ୍ନ କରିଥିଲେ। ପୂର୍ବରୁ ଦିଆଯାଇଥିବା ଦାବିପତ୍ର ଉପରେ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଅଧିକାରୀମାନେ ଉତ୍ତର ରଖି ନପାରିବାରୁ ପ୍ରବଳ ବିରୋଧ କରିଥିଲେ। ପ୍ରଥମେ ଥଇଥାନ ଓ ପରେ ଡ୍ୟାମ କାମ କରିବାକୁ ବିସ୍ଥାପିତମାନେ ଦାବି କରିଥିଲେ। ସକାଳୁ ପ୍ରଥମେ ମୁଖ୍ୟଯନ୍ତ୍ରୀ ଶ୍ରୀ ରଥ ଲୋୟର ସୁକତେଲ କାର୍ଯ୍ୟାଳୟର ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ।

ଏହା ପରେ ଟିମ୍‌ ଡ୍ୟାମ ସାଇଟ୍‌ ପରିଦର୍ଶନ କରିଥିଲେ। ଲୋୟର ସୁକତେଲ କାର୍ଯ୍ୟାଳୟର ଯନ୍ତ୍ରୀ ଓ ଅଧିକାରୀ, କର୍ମଚାରୀ ଯାଇଥିଲେ। କେଉଁ କାମ କେତେ ଦିନ ଲାଗିବ ଓ କେଉଁଠୁ କାମ ଆରମ୍ଭ ହେବ ସେ ନେଇ ମୁଖ୍ୟଯନ୍ତ୍ରୀ ଓ ଅନ୍ୟ ଯନ୍ତ୍ରୀମାନେ ଆଲୋଚନା କରିଥିଲେ। ଏହି ସମୟରେ ବୁଡ଼ି ଅଂଚଳର ବିଭିନ୍ନ ଗାଁର ଶତାଧିକ ଲୋକ ପୂର୍ବରୁ ଉପସ୍ଥାପନ କରାଯାଇଥିବା ୧୧ ଦଫା ଦାବି ଉପରେ କଣ ସବୁ ପଦକ୍ଷେପ ବିଭାଗ ନେଇଛି ସେ ଉପରେ ପ୍ରଶ୍ନ କରିଥିଲେ। ୨୦୧୩ ପଲିସିରେ ଏକକାଳୀନ କ୍ଷତିପୂରଣ ଦେଇ ଥଇଥାନ କରାଯାଉ ଓ ତାପରେ ଡ୍ୟାମ କାମ ହେଉ ବୋଲି ବିସ୍ଥାପିତ କହିଥିଲେ ବିସ୍ଥାପିତଙ୍କ ବିରୋଧ ଯୋଗୁଁ ଯନ୍ତ୍ରୀଗଣ ପ୍ରକଳ୍ପ ଅଂଚଳରୁ ଫେରିଆସିଥିଲେ। ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୯ ତାରିଖ ଉଚ୍ଚସ୍ତରୀୟ ଟିମ ବଲାଙ୍ଗୀର ଗସ୍ତ କରି ବିଭିନ୍ନ ଫୋରମରେ ଆଲୋଚନା କରିଥିଲେ। ଗଣମାଧ୍ୟମକୁ କାମ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। କିନ୍ତୁ କାମ ଆରମ୍ଭ ହୋଇନଥିଲା। ଏହାପରେ ଟିମ୍‌ ପୁଣି ଗସ୍ତ କରିଛି ଓ କାମ ଆରମ୍ଭ କରିବାକୁ ଯୋଜନା କରୁଛି।

The post ଲୋୟର ସୁକତେଲ ପ୍ରସଙ୍ଗ, ଉଚ୍ଚସ୍ତରୀୟ କମିଟିକୁ ବିସ୍ଥାପିତଙ୍କ ବିରୋଧ first appeared on Sambad.



from ରାଜ୍ୟ – Sambad https://ift.tt/3eq0BH4

Post a Comment

0 Comments