କୋଭିଡ୍‌ ଭିତରେ ଦେଶୀୟ ପର୍ଯ୍ୟଟକଙ୍କୁ ଗୁରୁତ୍ବ, ପର୍ଯ୍ୟଟନ ଶିଳ୍ପକୁ ସ୍ବାଭାବିକ କରିବାକୁ କର୍ମଶାଳା

ଭୁବନେଶ୍ବର: ରାଜ୍ୟରେ କରୋନା ବିପଦ ଟଳି ନ ଥିଲେ ବି ସଂକ୍ରମଣ ଧୀରେ ଧ‌ୀରେ କମୁଛି। ଏହି ସମୟରେ ପର୍ଯ୍ୟଟନ ଋତୁ ବି ଆସିଛି। ତେଣୁ ସରକାରଙ୍କ କରୋନା କଟକଣାକୁ ମାନି କିପରି ପର୍ଯ୍ୟଟନ ଶିଳ୍ପକୁ ଚଳଚଞ୍ଚଳ କରାଯିବ, ସେଥି ପାଇଁ ମାନସ ମନ୍ଥନ ଆରମ୍ଭ ହୋଇଛି। ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ହୋଟେଲ୍‌ ମାଲିକ, ଟୁର୍‌ ଅପରେଟର୍‌, ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ଉଦ୍ୟୋଗୀ ଓ ବିଶେଷଜ୍ଞମାନେ ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ଆଲୋଚନା କରିଥିଲେ। କୋଭିଡ୍‌ ଭିତରେ ପର୍ଯ୍ୟଟନ ଶିଳ୍ପକୁ ଗତିଶୀଳ କରାଇବା ପାଇଁ ଦେଶୀୟ ପର୍ଯ୍ୟଟକଙ୍କୁ ଫୋକସ୍‌ରେ ରଖିବାକୁ ମତ ପ୍ରକାଶ ପାଇଥିଲା।

କର୍ମଶାଳାକୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥି‌େଲ ଯେ କରୋନା ମହାମାରୀରେ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି। ତେବେ ବର୍ତ୍ତମାନ ଏକ ସକରାତ୍ମକ ଧାରା ଆରମ୍ଭ ହୋଇଛି। ଓଡ଼ିଶାରେ ପର୍ଯ୍ୟଟନ ପାଇଁ ବ୍ୟାପକ ସୁଯୋଗ ଓ ସମ୍ଭାବନା ରହିଛି। ସରକାରଙ୍କ ଲଗାତର ସହଯୋଗ ଯୋଗୁ ରାଜ୍ୟରେ ପରିବେଶ ପର୍ଯ୍ୟଟନର ଲୋକପ୍ରିୟତା ବଢ଼ିଚାଲିଛି। ସକରାମତ୍କ ଓ ନିଷ୍ଠାପର ଉଦ୍ୟମ ବଳରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଖୁବ୍ ଶୀଘ୍ର କରୋନାର ମାନ୍ଦାବସ୍ଥାରୁ ମୁକୁଳିପାରିବ। ଏହି ସମୟରେ ରାଜ୍ୟକୁ ଆସୁଥିବା ଅତିଥି ପର୍ଯ୍ୟଟକମାନଙ୍କୁ ସର୍ବୋତ୍କୃଷ୍ଟ ଅନୁଭୂତି ଦେବା ପାଇଁ ଅଂଶୀଦାରମାନଙ୍କୁ ସେ ଅନୁରୋଧ କରିଥିଲେ। ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟ, ନିରାପତ୍ତାରେ କୌଣସି ପ୍ରକାର ସାଲିସ୍‌ ନ କରିବା ପାଇଁ ସେ କହିଥିଲେ। ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କୁ ତ ଆଗାମୀ ଦିନରେ ଗୁରୁତ୍ବ ଦିଆଯିବ। ତାହା ସହ ବିଭିନ୍ନ ରାଜ୍ୟର ଦେଶୀୟ ପର୍ଯ୍ୟଟକମାନଙ୍କୁ ଫୋକସ୍‌ରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ୍‌ର ଅଧ୍ୟକ୍ଷ ଜେ କେ ମହାନ୍ତି କହିଥିଲେ ଯେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏପରି ଏକ କର୍ମଶାଳାର ଆୟୋଜନ କରିଛି। କୋଭିଡ୍‌ କଟକଣାକୁ ମାନି ହୋଟେଲ୍‌, ଆତିଥେୟତା ଓ ପର୍ଯ୍ୟଟନ ଶିଳ୍ପକୁ ସ୍ବାଭାବିକ ଭାବେ ଚଳାଇବାକୁ ସରକାର ସହଯୋଗ କରିବେ ବୋଲି ସେ ଆଶାପ୍ରକଟ କରିଥିଲେ। ହୋଟେଲ୍‌ ଓ ରେସ୍ତାଁରା ମାଲିକମାନେ ପର୍ଯ୍ୟଟକମାନଙ୍କୁ ଏକ ସ୍ବଚ୍ଛ ଓ ନିରାପଦ ପରିବେଶରେ ସେବା ଯୋଗାଇବାକୁ ‌ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ନିର୍ଦ୍ଦେଶକ ସଚିନ୍ ଆର୍‌ ଯାଦବ ସ୍ବାଗତ ଭାଷଣ ଦେଇଥିଲେ। ଆଇଆଇଟିଟିଏମ୍‌ର ମହମ୍ମଦ ସବିର୍‌ ହୁସେନ୍‌, ଦେବାଶିଷ ପଟ୍ଟନାୟକ, ଶାରଦା ଘୋଷଙ୍କ ସମେତ ପର୍ଯ୍ୟଟନ ଶିଳ୍ପର ଅଭିଜ୍ଞ ବ୍ୟକ୍ତି ଓ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇଥିଲେ। କର୍ମଶାଳ‌ାରେ ଚାରିଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

The post କୋଭିଡ୍‌ ଭିତରେ ଦେଶୀୟ ପର୍ଯ୍ୟଟକଙ୍କୁ ଗୁରୁତ୍ବ, ପର୍ଯ୍ୟଟନ ଶିଳ୍ପକୁ ସ୍ବାଭାବିକ କରିବାକୁ କର୍ମଶାଳା first appeared on Sambad.



from ରାଜ୍ୟ – Sambad https://ift.tt/2JziFTL

Post a Comment

0 Comments