ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍‌, କରୋନା ପାଇଁ କମିଲା ୫୦ ପ୍ରତିଶତ ଆୟ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ବଜେଟ୍‌ ଅନୁମୋଦନ କରାଯାଇଛି। ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୫୪ କୋଟିର ବଜେଟ୍ ପ୍ରସ୍ତୁତ ହୋଇଥିବା ବେଳେ ପରିଚାଳନା କମିଟି ଏଥିରେ ମୋହର ମାରିଛି। ବଜେଟ୍‌ରେ ସେବାୟତ କଲ୍ୟାଣ ଓ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ତେବେ ଆୟ ତୁଳନାରେ ଶ୍ରୀମନ୍ଦିର ବ୍ୟୟ ବଢ଼ି ଚାଲିଥିବାରୁ ପରିଚାଳନା କମିଟି ଚିନ୍ତା ପ୍ରକଟ କରିଛି। ଏଥିପାଇଁ ଅନ୍‌ଲାଇନ୍‌ ଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍‌ପି ଅଖିଳେଶ ସିଂ, ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଆଜିର ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ଆୟ ଓ ବ୍ୟୟ ସମାନ ରଖାଯାଇଛି। ଉଭୟ ଆୟ ଓ ବ୍ୟୟ ୧୫୪ କୋଟି ଲେଖାଏଁ ରହିଛି। ଚଳିତ ବର୍ଷ କରୋନା ପାଇଁ ଶ୍ରୀମନ୍ଦିର ଆୟ ୫୦ ପ୍ରତିଶତ କମିଛି। ଆୟର ୫୦ ପ୍ରତିଶତ ବ୍ୟାଙ୍କ ଜମା ଅର୍ଥ ସୁଧରୁ ଆସେ। ବାକି ୫୦ ପ୍ରତିଶତ ଭକ୍ତଙ୍କ ଦାନରୁ ଆସେ। ମାର୍ଚ ଠାରୁ ଦର୍ଶନ ବନ୍ଦ ରହିଥିବାରୁ ଦାନ ଅର୍ଥ କିଛି ନାହିଁ କହିଲେ ଚଳେ। ସେପଟେ କରୋନା ପରିସ୍ଥିତି ଯୋଗୁଁ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ମନ୍ଦିର ବନ୍ଦ ରହିଥିବାରୁ ଦୁଇଗୁଣା ପାଳିଆ ପୁରସ୍କାର ବି ଦିଆଯାଉଛି।

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟର ଖୋଲାଗଲା ଓ ଏହାର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କଲା। ରଥଯାତ୍ରାରେ ବି କରୋନା ପାଇଁ ସେବାୟତଙ୍କ ରହିବା, ଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତିରିକ୍ତ ଖର୍ଚ୍ଚ ବି କରାଯାଇଛି। ବ୍ୟୟକୁ ଦେଖିଲେ ଆୟ ତୁଳନାରେ ଏହା ଯଥେଷ୍ଟ ଅଧିକ ରହିଛି। ଏହାର ଭରଣା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ। ସେପଟେ ଶ୍ରୀମନ୍ଦିରକୁ ଦାନ କରିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ଅନ୍‌ଲାଇନ୍‌ ଦାନ ବ୍ୟବସ୍ଥା ଆରମ୍ଭ କରାଯିବ। ଯାହା ଫଳରେ ଭକ୍ତମାନେ ଅନ୍‌ଲାଇନ୍‌ରେ ଦାନ ଦେଇପାରିବେ ଓ ଏହା ଶ୍ରୀମନ୍ଦିରର ରାଜସ୍ବ ବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ କୁମାର କହିଛନ୍ତି। ଏହା ବାଦ୍‌ ଶ୍ରୀମନ୍ଦିରର କର୍ପସ ପାଣ୍ଠି, ଫାଉଣ୍ଡେସନ୍‌ ପାଣ୍ଠି ଓ ନିଜସ୍ବ ପାଣ୍ଠି ରହିଛି। ଏହି ପାଣ୍ଠି ଆବଶ୍ୟକ ବେଳେ ଖର୍ଚ୍ଚ କରାଯାଇଥାଏ। ବର୍ତ୍ତମାନ ପରିସ୍ଥିତି ଭଲ ନଥିବାରୁ ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିରର ନିଜସ୍ବ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ଆସନ୍ତା ଶନିବାର ଦିନ ପୁନର୍ବାର ଏହା ଉପରେ ବୈଠକ ବସିବ। ବୈଠକରେ ଶ୍ରୀମନ୍ଦିର ଦାନ ଅର୍ଥ ବୃଦ୍ଧି ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ମଧ୍ୟ ନାଗାର୍ଜୁନ ବେଶ ସହ କାର୍ତ୍ତିକ ନୀତିକାନ୍ତି ସଂପର୍କରେ ଆଲୋଚନା ହୋଇଥିଲା। ଆଉ ୧୦ ଦିନ ପରେ ନାଗାର୍ଜୁନ ବେଶ ପଡ଼ୁଥିବାରୁ ଏହାକୁ ଶୃଙ୍ଖଳିତ ଭାବେ ଶେଷ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା।

The post ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍‌, କରୋନା ପାଇଁ କମିଲା ୫୦ ପ୍ରତିଶତ ଆୟ first appeared on Sambad.



from ରାଜ୍ୟ – Sambad https://ift.tt/3nzQ3Ze

Post a Comment

0 Comments