ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ୫୦ ହଜାର କର୍କଟ ରୋଗୀ

ଭୁବନେଶ୍ୱର : ରାଜ୍ୟରେ କର୍କଟ ରୋଗର ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରତିବର୍ଷ ପ୍ରାୟ ୩୫ରୁ ୫୦ ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୩୫/୩୬ ହଜାର ଓ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲର ରୋଗୀଙ୍କୁ ମିଶାଇ ଏହି ସଂଖ୍ୟା ପ୍ରାୟ ୫୦ ହଜାରକୁ ବୃଦ୍ଧି ପାଉଛି। ତେବେ ପ୍ରତିବର୍ଷ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ତହିଁରୁ ଏକ ତୃତୀୟାଂଶ ରୋଗୀଙ୍କ କର୍କଟରେ ମୃତ୍ୟୁ ହୋଇଯାଉଛି। ବଳକା ଦୁଇ ତୃତୀୟାଂଶ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ମଧ୍ୟ ଅନେକ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚୁଛନ୍ତି। ରାଜ୍ୟରେ ଏବେ ପ୍ରାୟ ଦେଢ଼ଲକ୍ଷ କର୍କଟ ସର୍ଭାଇଭର୍‌ (ଚିହ୍ନଟ ଓ ସୁସ୍ଥ) ବ୍ୟକ୍ତି ରହିଛନ୍ତି।

ରାଜ୍ୟରେ ଏବେ କର୍କଟ ରୋଗର ଶୀଘ୍ର ଚିହ୍ନଟ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଣ୍ଟିବଡ଼ି ପରୀକ୍ଷା, ଏସ୍‌ସିବିରେ ମଲେକ୍ୟୁଲାର ବାଇଓଲୋଜି ପରୀକ୍ଷାଗାର ଜରିଆରେ ରକ୍ତ ସଂଗ୍ରହ କରାଯାଇ ସ୍କ୍ରିନିଂ କରାଯାଉଛି। ଯାହାଫଳରେ ରୋଗୀଙ୍କ ଶରୀରରେ କର୍କଟ ରୋଗ ଆରମ୍ଭ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରୁଛି। ଫଳରେ ମୃତକଙ୍କ ସଂଖ୍ୟା ପୂର୍ବ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ରାଜ୍ୟରେ ଯେତିକି ସଂଖ୍ୟକ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ତାହିଁରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ। ତମାଖୁ ସେବନ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତମାଖୁ ବର୍ଜନ ନେଇ ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ନିୟନ୍ତ୍ରଣ ଆସି ପାରୁ ନାହିଁ। ବିଦ୍ୟାଳୟଠାରୁ ୧୦୦ମିଟର ଦୂରରେ କୌଣସି ପ୍ରକାର ତମାଖୁ ସେବନକୁ ବାରଣ କରାଯାଇଛି। ମାତ୍ର ତାହା କଡ଼ାକଡ଼ି ଭାବେ ପାଳନ ହୋଇପାରୁନାହିଁ। ଏହାସହ ରାଜ୍ୟ ସରକାର ରାଜ୍ୟରେ ଗୁଟ୍‌ଖାକୁ ନିଷିଦ୍ଧ ଘୋଷଣା କରିଥିଲେ ହେଁ ତାହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ସେହିପରି ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ମଧ୍ୟ ଚିନ୍ତାଜନକ ସ୍ଥିତି‌‌ରେ ରହିଛି। ସଚେତନତା ଅଭାବରୁ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କର୍କଟ ରୋଗ ଓ କେମୋ ସେବା ଉପଲବ୍ଧ ହେଉଛି। ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଦ୍ କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ ରାଉରକେଲାରେ ଡେ’ କେୟାର ସୁବିଧା ଦିଆଯାଉଛି। ଡେ’ କେୟାର କେନ୍ଦ୍ରରେ କେମୋ ଓ ପେଲିଆଟିକ୍‌ କେୟାରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାବାଦ୍ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଏମ୍‌କେସିଜି ଓ ବୁର୍ଲାରେ ରେଡିଓଥେରାପି ଚିକିତ୍ସାର ସୁବିଧା ରହିଛି। ଆଗକୁ କ୍ୟାପିଟାଲ ହସ୍ପିଟାଲର କର୍କଟ କେନ୍ଦ୍ରକୁ ଏକ ପ୍ରତିଷ୍ଠାନରେ ପରିଣତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

The post ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ୫୦ ହଜାର କର୍କଟ ରୋଗୀ first appeared on Sambad.



from ରାଜ୍ୟ – Sambad https://ift.tt/36f6t23

Post a Comment

0 Comments